ତିତ୍‌ଲି ପ୍ରଭାବରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି, ମିଥ୍ୟା ରିପୋର୍ଟ ଦେଇଥିବା ଏସଆରସିଙ୍କୁ ବହିଷ୍କାର କର ବୋଲି ଦାବୀ କଲା ବିଜେପି

ଭୁବନେଶ୍ୱର: ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଓ ପରବର୍ତୀ ଭୟଙ୍କର ବନ୍ୟା ପରିସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ବର୍ଷା ବିତ୍ପାତ ଯୋଗୁ ଉଭୟ ଜିଲ୍ଲାରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଏବେ ବି  ୩ ଜଣ ନିଖୋଜ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି  ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ଏକ  ସାମ୍ବାଦିକ ସମ୍ମିଳନୀ କରି ଦଳ ଏପରି ଅଭିଯୋଗ ଆଣିବା ସହ ମିଥ୍ୟା ରିପୋର୍ଟ ଦେଉଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ବହିଷ୍କାର କରିବାକୁ ସେ ଓ ତାଙ୍କ ଦଳ ଦାବୀ କରିଛି। ଏସ୍‌ଆରସି ସହ  ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଜିଲ୍ଲାପାଳଙ୍କୁ ମଧ୍ୟ ବହିଷ୍କାର କରିବାକୁ ଦାବି କରିଛି ବିଜେପି । ବାରମ୍ବାର ପାଣିପାଗ ବିଭାଗର ପୂର୍ବାନୁମାନ ପରେ ମଧ୍ୟ ରାଜ୍ୟ ସରକାର ଏହାକୁ ଖାମଖିଆଲି ଭାବେ ଗ୍ରହଣ କରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦଳ ଅଭିଯୋଗ କରିଛି। ସେହିପରି ପଥର ଧସି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପାଖରେ ଏ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ, ପିଇବା ପାଣି, ବିଦ୍ୟୁତ୍‌ ପହଞ୍ଚି ପାରିନାହିଁ। ଯାହା ରାଜ୍ୟ ସରକାରଙ୍କ ସମ୍ବେଦନହୀନତାର ପରିଚୟ ଦେଉଥିବା ବୋଲି ବିଜେପି କହିଛି।ଅନ୍ୟପକ୍ଷରେ ସରକାରଙ୍କ ଦାୟିତ୍ୱହୀନତା ଯୋଗୁ ଧନଜୀବନ ନଷ୍ଟ ହୋଇଛି। ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ସତ୍ତ୍ବେ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ବହୁ ମୂଲ୍ୟବାନ ଜୀବନ ହରାଇବାକୁ ପଡିଛି। ସେମାନଙ୍କ ଜୀବନ ସହ କୌଣସି କ୍ଷତିପୂରଣ ସମାନ ହେବନାହିଁ ବୋଲ ବିଜେପି ପକ୍ଷରୁ ମୁଖପାତ୍ର ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ସେହି ପ୍ରେସ କନଫେରେନ୍ସରେ ।ବନ୍ୟା ଓ ଜଳବନ୍ଦୀ ଭାବେ ରାଜ୍ୟର ଲୋକେ ଜୀବନମରଣ ସହ ଲଢେଇ କରୁଥିବା ବେଳେ ସୋନି ମନୋରଞ୍ଜନ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ‘କୌନ ବନେଗା କରୋଡ଼ପତି’ କାର୍ଯ୍ୟକ୍ରମରେ ଉତ୍ସବ ପାଳନ କରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ମୁଖପାତ୍ର ଗୋଲକ ମହାପାତ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟତମ ମାନବୀୟ ଭାବ ଥିଲେ ସେ ଏପରି କରିନଥାନ୍ତେ। ଓଡିଆ ଲୋକଙ୍କ ସ୍ୱାର୍ଥ କଥା କହି ମୁଖ୍ୟମନ୍ତ୍ରୀ ଯେଉଁ ନାଟକ କରୁଥିଲେ ଏହି ନାଟକର ତିତ୍‍ଲି ପର୍ଦାଫାସ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଗଜପତି ଜିଲାରେ ୧୭ ଜଣଙ୍କ ସମେତ ବିଭିନ୍ନ ଜିଲାରେ ମୂଲ୍ୟବାନ ଜୀବନ ଯିବା ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତାର କାରଣ ବୋଲିି ବିଜେପି କହିବା ସହ ଏହା ପ୍ରାକୃତିକ ଦୁର୍ବିପାକ ଜନିତ ମୃତ୍ୟୁ ନୁହେଁ ବରଂ ସରକାରୀ ପ୍ରାୟୋଜିତ ହତ୍ୟା ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।
ସ୍ୱତନ୍ତ୍ର ରିଲଫ କମିସନର ବିଷ୍ଣୁପଦ ସେଠୀଙ୍କ ଦାୟିତ୍ୱହୀନ ବକ୍ତବ୍ୟ ପାଇଁ ଶ୍ରୀ ମହାପାତ୍ର ତୁରନ୍ତ ତାଙ୍କର ବହିଷ୍କାର ଦାବି କରିଛନ୍ତି। ଏସଆରସି ଶ୍ରୀ ସେଠୀଙ୍କ ବୟାନ ରାଜ୍ୟ ସରକାରଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ଧିଷ୍ଟ , ଯାହା ଓଡିଆ ଲୋକଙ୍କ ପ୍ରତି ଉପହାସ ବୋଲି ସେ କହିଛନ୍ତି। ସେହିପରି ମୁଖ୍ୟଶାସନ ସଚିବ ଗଣମାଧ୍ୟମରେ ଦେଇଥିବା ବୟାନକୁ ସେ ସମାଲୋଚନା କରିଛନ୍ତି। ଏମିତି ହେବ ବୋଲି ଜାଣିନଥିଲୁ ବୋଲି କହିବା ସରକାରଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟସଚିବଙ୍କ ମନ୍ତବ୍ୟ ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ମହାପାତ୍ର ଦୋଷାରୋପ କରିଛନ୍ତି।