ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାରେ କୃଷକମାନଙ୍କ ବିକାଶ ନିମନ୍ତେ ଚାଷକୁ ଅଧିକ ଯାନ୍ତ୍ରିକ ମାଧ୍ୟମରେ କରିବା ପାଇଁ ଏବଂ ଉତ୍ପାଦନ ହାରକୁ ବଢାଇବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ, କୃଷି ଓ ଆନୁସଙ୍ଗିକ ବିଭାଗ ଅନୁକୁଲ୍ୟରେ ତିନିଦିନିଆ ଗଞ୍ଜାମ ଜିଲ୍ଲା କୃଷିଗ୍ରାମ-୨୦୨୦ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋପାଳପୁର ବିଧାୟକ ଡ଼ଃ.ପ୍ରଦୀପ କୁମାର ପାଣିଗ୍ରାହୀ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡୀ, ଡେପୁଟି କଲେକ୍ଟର ବିଜୟାନନ୍ଦ ସେଠି, ତହସିଲଦାର ନୀଳମାଧଵ ଭୋଇଙ୍କ ସମେତ ବହୁ ଅଧିକାରୀମାନେ ଯୋଗଦେଇ କୃଷିଗ୍ରାମ-୨୦୨୦ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ । ଏହି ପ୍ରଦର୍ଶନୀରେ କୃଷି, ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ପଶୁ ସମ୍ପଦ, ମତ୍ସ୍ୟ ବିଭାଗ ଅନୁକୁଲ୍ୟରେ ଏହି ପ୍ରଦର୍ଶନୀ କରାଯାଇଛି । ସରକାରୀ ଓ ବେସରକାରୀ ଭାବେରେ ୬୫ଟି ଷ୍ଟଲ ଖୋଲାଯାଇଛି । ବିଭିନ୍ନ କମ୍ପାନୀର ଟ୍ରାକ୍ଟର, ପାୱାର ଟିଲର, ପାଣିପମ୍ପ, ସୌର ଜଳନିଧି ଯୋଜନା, ବୁନ୍ଦା ଜଳସେଚନ ବ୍ୟବସ୍ଥା, ବିହନ ବୁଣା ଯନ୍ତ୍ର, କୀଟନାଶକ ଔଷଧ ସ୍ପେୟାର, ଗୋପାଳନ, ଚେଳିପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ପାଳନ ଏବଂ ଫୁଲ ଚାଷ ପ୍ରଭୁତି ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଏହିସବୁ କିପରି ସରକାରୀ ରିହାତି ଦରରେ ଚାଷୀ ମାନଙ୍କୁ ପ୍ରଦାନ କରାଯାଇପାରିବ ତାହା କୃଷକମାନଙ୍କୁ ଅବଗତ କରାଯାଉଛି । ଗଞ୍ଜାମର ଜଳବାୟୁ ଫୁଲଚାଷ ପ୍ରତି ବେଶ ଅନୁକୂଳ ଥିବାରୁ ଫୁଲଚାଷ ଅଧିକ ବ୍ୟାପକ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ବୋଲି ସୂଚନା ମିଳିଛି । ଏହାସହ ତାରା ଯୋଜନା ସମ୍ପର୍କିତ ସଚେତନତା ଷ୍ଟଲ ଖୋଲା ଯାଇଛି । ଏହା ଆସନ୍ତା ୯ ତାରିଖରେ ଉଦଯାପିତ ହେବ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା