ତିନି ଅନାଥ ଶିଶୁଙ୍କୁ ଆପଣାଇଲେ ଜିଲ୍ଲା ପ୍ରଶାସନ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ତିନି ଭାଇଭଉଣୀଙ୍କୁ ପୋଷ୍ୟ ଗ୍ରହଣ କରିଛି ପ୍ରଶାସନ । ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଘୋଷଣାର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୃତି ପାଳନ କଲା ଜିଲ୍ଲା ପ୍ରଶାସନ । ଘଟଣାରରୁ ପ୍ରକାଶଯେ ଗତ କିଛି ଦିନ ତଳେ ଯେଉଁ ଲଗାଣ ବର୍ଷା ଗଜପତି ଜିଲ୍ଲାରେ ହୋଇଥିଲା ସେହି ବର୍ଷା ପ୍ରଭାବରେ ରାୟଗଡ ବ୍ଲକ୍ ର ଅନ୍ଦାରିଗୁମ୍ମା ଗ୍ରାମର ସୁରେନ୍ଦ୍ର ଶବର ନାମ ବ୍ୟକ୍ତି କିଛି ଜମି ଭାଗଚାଷ କରୁଥିବା ଯୋଗୁଁ ଗତ କିଛି ମାସ ହେଲା ସେଠାରେ ରହୁଥିଲେ । ଶନିବାର ଦିନ ସନ୍ଧ୍ୟାରେ ସେ ବିଲକୁ ଯାଇ ଆଉ ଫେରି ନଥିଲେ । ବୁଧବାର ଦିନ ସକାଳୁ ଏସ.କରଡାସିଂର ଗାଁ ନାଳ ନିକଟରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସୁରେନ୍ଦ୍ରଙ୍କ ପତ୍ନୀ ଡେମି ଶବରଙ୍କୁ ଗତ ୪ ବର୍ଷ ତଳେ ମୃତ୍ୟୁ ହୋଇଥିଲା । ତାଙ୍କର ଦୁଇ ଜଣ ନାବାଳିକା ଝିଅ ଏବଂ ଜଣେ ନାବାଳକ ପୁଅ ରହିଛନ୍ତି । ତେବେ ସୀତା ଶବର, ସୁଭଦ୍ରା ଶବର ଏବଂ ଜଗନ୍ନାଥ ଶବର ଏହି ୩ ଜଣ ଶିଶୁଙ୍କୁ ଆପଣାଇଛି ଜିଲ୍ଲା ପ୍ରଶାସନ। ସୀତା ଶବର ଓ ସୁଭଦ୍ରା ଶବରଙ୍କୁ ନବଜୀବନ ଶିଶୁ ଯତ୍ନ ଗୃହରେ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ଜଗନ୍ନାଥ ଶବରଙ୍କୁ କାଶିନଗର ବ୍ଲକ୍ ଅଲଡା ଆଦର୍ଶ ବିଦ୍ୟାଳୟରେ ରହିବା ଓ ପଢିବା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ । ପ୍ରଶାସନର ଏଭଳି ତ୍ଵରିତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା