ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ଗ୍ରାମରେ ନିଜର ମାମୁଁ ମଙ୍ଗୁଳି ସାହୁଙ୍କ ଘରେ ରହି ଆସୁଥିଲେ କନିଆରିବାଡି ଗ୍ରାମର ରମେଶ ସାହୁ ଓ ପତ୍ନୀ ମହାଲକ୍ଷ୍ମୀ ରମେଶଙ୍କ ବଡ ଝିଅ କୁମୁଦିନି ପୁରୁଷୋତ୍ତମପୁର ଠାରେ ବିବାହ କରିଥିବା ବେଳେ ପୁଅ ମିଥୁନ(୧୭) ମାନସିକ ସ୍ତରରେ ଦୁର୍ବଳ ଓ ତାଙ୍କ ସହ ଆଉ ଦୁଇ ଝିଅ ରଶ୍ମିତା(୧୪) ଓ ଗଂଗୋତ୍ରୀ(୧୨)କୁ ନେଇ ରମେଶ ଓ ମହାଲକ୍ଷ୍ମୀଙ୍କ ସଂସାର । ଗତ କିଛି ମାସ ତଳେ ମହାଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ବିଗିଡିବା ପରେ ତାଙ୍କୁ ଚିକତ୍ସା ପାଇଁ ବ୍ରହ୍ମପୁର ନେବା ପରେ ସେଠାରେ ତାଙ୍କର ଦୁରାରୋଗ ବୋଲି ଜଣା ପଡିବା ପରେ ସବୁ ଧାର କରଜ କରି ପତ୍ନୀଙ୍କ ଚିକିତ୍ସା କରିବା ପରେ ବି ତାଙ୍କ ଅବସ୍ଥା ସୁଧୁରିବା ବଦଳରେ ବଢିବାକୁ ଲାଗିଲା । ପରେ ପରେ ସେମାନେ ରହୁଥିବା ଘରକୁ ମଧ୍ୟ ବିକ୍ରି କରାଯାଇଥିଲା । ଗତ ୧୯/୫/୨୦୨୧ ସକାଳେ ମହାଲକ୍ଷ୍ମୀ ଚିକତ୍ସା ଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ତାଙ୍କ ଶବକୁ ନିଜ ଗାଁକୁ ଆଣି ସତ୍କାର କରି ଆସିବା ପରେ ସେହିଦିନ ସନ୍ଧ୍ୟାରେ ସ୍ୱାମୀ ରମେଶଙ୍କର ହୃଦଘାତରେ ମୃତ୍ୟୁବରଣ ହୋଇଥିଲା । ଗୋଟିଏ ଦିନରେ ବାପା ଓ ମା’ଙ୍କୁ ହରାଇ ୩ ସନ୍ତାନ ଅନାଥ ହୋଇଗଲେ । ବର୍ତମାନ ଏହି ସନ୍ତାନ ଅସହାୟ । ତିନି ହାତ ଏକ ଭଙ୍ଗା ଘରେ ରହୁଛନ୍ତି ତିନି ଭାଇ ଓ ଭଉଣୀ ଗାଁ ଲୋକେ ଡାଲି, ଚାଉଳ, ଟଙ୍କା ଆଦି ସଂଗ୍ରହ କରି ଦେଉଛନ୍ତି ସେଥିରେ ଚଳୁଛି ତିନି ଅନାଥ ପିଲାଙ୍କ ଜୀବନ । ପରେ ଖବର ପାଇ କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେମାନଙ୍କ ଘରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦୦୦୦/- ପ୍ରଦାନ କରିବା ସହ ପାଲ ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ଷଣ୍ଢମୂଳ ଗ୍ରାମବାସୀ ମଧ୍ୟ ଏହି ସନ୍ତାନଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଅପର ପକ୍ଷରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଗୁରୁ ଛାତ୍ର କଲ୍ୟାଣ ପାଣ୍ଠିରୁ ଦୁଇ ଛାତ୍ରୀ ରଶ୍ମିତା ଓ ଗଂଗୋତ୍ରୀକୁ ୧୦୦୦୦/- ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ପରିବାରର ବୋଝକୁ କିପରି ସମ୍ଭାଳିବ ନାବାଳକ ଭାଇ ମିଥୁନ ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ସେପଟେ ଦୁଇ ଭଉଣୀଙ୍କ ପାଠ ପଢା କିପରି ହେବ ତାହା ମଧ୍ୟ ସନ୍ଦେହରେ ଅଛି । ସମସ୍ତଙ୍କ ଆଖିରୁ ଲୁହ ଶୁଖୁନି । ଏପରି ସ୍ଥଳେ ପ୍ରଶାସନ କିମ୍ବା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅଥବା କୌଣସି ସହୃଦୟ ବ୍ୟକ୍ତି ଏହି ଅନାଥ ପିଲାଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସମସ୍ତେ ଅନୁରୋଧ କରିଛନ୍ତି ।