ତୁମେ କଅଣ ପାଇଲ

ତମେ ତ ମୋତେ ଶିଖାଇ ନ ଥିଲ
ଶବ୍ଦ କୁ ଶବ୍ଦ ସହ ଯୋଡିବା
ଶବ୍ଦ ସହ ଭାବ ବ୍ୟଞ୍ଜନ ବାଢିବା
ଦେହର ମନର କ୍ଷତ କୁ ଅକ୍ଷତ କରି
କବିତା ଲେଖିବା
ଖାଲି ଯାହା ତୁମର ସେ ଅଦୃଶ୍ୟ
ଚିନ୍ତା ଚେତନା ଭାବ ସମ୍ଭାଷଣା
ପବନରେ,ଆଲୋକରେ,ଶୁନ୍ୟ ବୀଣାରେ
କେବେ କେବେ ସ୍ୱପ୍ନରେ
ମୋତେ ଆଚ୍ଛାଦିତ କରୁଥିଲା
ହିଲ୍ଲୋଳିତ କରୁଥିଲା
ଛୁଉଁଥିଲା ମୋ ଦେହକୁ ମନକୁ
ବେଳେ ବେଳେ ଆତ୍ମାକୁ,
ଭାବନାରେ ମସଗୁଲ ମୁଁ କେବେ କେବେ ଆଙ୍କିଛି
ତୁମ ପ୍ରତିଛବି ତୁମ ହସ ବାସ ରସ
ଏମିତିକି ତୁମ ଆଲିଙ୍ଗନ ଶୁନ୍ୟରେ
ଅନେକ କିଛି କବିତାରେ,
କି ଲାଭ ପାଇଲ ମାଗିନେଲ
ବୁଢା ଆଙ୍ଗୁଳି ସହ ତର୍ଜନୀ ମଧ୍ୟମା ଆଙ୍ଗୁଳି
ଦକ୍ଷିଣା ରୂପରେ
ବନିଗଲ ନିଷ୍ଠୁର ଦ୍ରୋଣାଚାର୍ଯ୍ୟ
ମୋ ଠାରୁ ନିଜକୁ ଦୂରେଇ
ଏମିତିବି ତ
ତୁମ କୁ ଛାଡି କୋଉ ଲେଖି ପାରିଛିକି
କବିତା ର ପଂକ୍ତି ଖଣ୍ଡିଏ,
ନେଇଯାଅ ;
ନେଇଯାଅ ଏ ଜୀବନ ତ ତୁମର
ମୋର ଏ ତିନୋଟି ଆଙ୍ଗୁଳି ତୁମଠାରୁ କୋଉ
ଗୁରୁତ୍ତ୍ୱପୂର୍ଣ୍ଣ କି!
ହେଲେ ହେ ଦ୍ରୋଣାଚାର୍ଯ୍ୟ
ମୋତେ ଆଉ କିଛି ଦିନ ଶେଷ କରିବାକୁ
ସମୟ ତ ଦିଅ
ବର୍ତ୍ତମାନ ସୁଦ୍ଧା ଅସମ୍ପୂର୍ଣ୍ଣ ଅଛି
ମୋ ଶେଷ କବିତା
କୃତଘ୍ନତା ର ଶେଷ ପାହାଚ ମୋତେ
ଚିହ୍ନିବାକୁ ତ ଦିଅ
ସମାଜକୁ ଦେଇଯାଏ ମୋ ଶେଷ ବାର୍ତ୍ତା
ଏବେ ବି ଅନ୍ଧ ଦ୍ରୋଣାଚାର୍ଯ୍ୟ ଜୀଇଁଛି
ନେବାକୁ ତାର ବକେୟା ଦକ୍ଷିଣା
ପିନ୍ଧିଛି ପାତର ଅନ୍ତରର ଚଷମା
ଜଣେ ଶିଷ୍ୟ ର ପରିଶ୍ରମ ନିଷ୍ଠା ଭଲ ଭାବେ
ଚିହ୍ନିବା ଆଗରୁ ମୋଡିମାଡି ଫିଙ୍ଗିଦେଇପାରେ,
ତାର ସୃଜନଶୀଳତା,
ଏବେ ଏବେ ଫିଙ୍ଗିଦେଲ
ଯୋଉ କାଗଜ ଟୁକୁଡା
ବୁଝିଲନି ସେଇଟା ଥିଲା ତୁମ ପାଇଁ
ମୋର ଶେଷ କବିତା।

ତପସ୍ୱିନୀ ଦାଶ
ବୁଢ଼ୀଖମାରି ଶାସନ
ବାରିପଦା