ଦଶରଥପୁର(ସମୃଦ୍ଧଓଡିଶା): ଦଶରଥପୁର ବ୍ଲକ ଅଧିନ କୟାଁ, କମାରଡ଼ିହି, ଖାନନଗର, ନିଜାମପୁର, ଦତ୍ତପୁର, ଥାଲକୁଡ଼ି, ଦୁଦୁରାଅନ୍ତା ଓ ବିରିପଟା ଆଦି ପଞ୍ଚାୟତ ଗୁଡିକ ବନ୍ୟା ପ୍ଲାବିତ ପଞ୍ଚାୟତ ହୋଇଥିବାରୁ ଏହି ପଞ୍ଚାୟତ ଗୁଡିକରେ ଶାରଦ ଧାନ ଚାଷ ହୋଇନଥାଏ | ଏହି ଅଞ୍ଚଳର ଚାଷୀ ମାନେ ମୁଖ୍ୟତ ଡ଼ାଳୁଅ (ଟାଇଚୀନ ) ଚାଷ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି | ବର୍ତ୍ତମାନ ଡ଼ାଳୁଅ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅଛରା ଓ ରୁଆ ପୋତା କାର୍ଯ୍ୟ ଆରମ୍ଭ ହୋଇଛି | ଡ଼ାଳୁଅ ଚାଷ ପାଇଁ ମୁଖ୍ୟତ କାବେରୀ, ମମତା, ଦବଙ୍ଗ, ୧00୧, ପ୍ରତାପ, ସିଗନେଟ ଆଦି ବିହନ ବ୍ୟବହାର କରାଯାଉଛି | ଶାରଦ ଧାନ ଚାଷ ତୁଳନାରେ ଡ଼ାଳୁଅ ଚାଷ ଏକ ବ୍ୟୟ ବହୁଳ ଚାଷ ହୋଇଥିବାରୁ ଚାଷୀ ମାନେ ଚାଷ କାର୍ଯ୍ୟ ପାଇଁ ଘରୋଇ ମହାଜନ ମାନଙ୍କ ଉପରେ ନିର୍ଭର କରିଥାନ୍ତି | ମହାଜନ ମାନଙ୍କ ଠାରୁ ବିହନ,ସାର, ବିଷ ଓ ଆବଶ୍ୟକତା ଅନୁଯାଇ ଟଙ୍କା ଆଣି ଏହି ଅଞ୍ଚଳର ଚାଷୀ ମାନେ ଡ଼ାଳୁଅ ଚାଷ କାର୍ଯ୍ୟ କରିଥାନ୍ତି | ମାତ୍ର ବର୍ତମାନ ଚାଷ କାର୍ଯ୍ୟ ଜୋର ସୋରରେ ଚାଲୁଥିବା ବେଳେ ହଳ କାର୍ଯ୍ୟ ସାରି ଚାଷୀ ମାନେ ଅଛରା କାର୍ଯ୍ୟ କରୁଛନ୍ତି | ମାତ୍ର ଅଛରା ସମୟରେ ଯେଉଁ ପରିମାଣରେ ବିହନ ଚାଷୀ ମାନେ ଚାଷ କ୍ଷେତରେ ପକାଉଛନ୍ତି ସେ ପରିମାଣରେ ଧାନ ଗଛ ଉଠୁ ନଥିବାରୁ ଚାଷୀ ମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି | ଯାହାକୁ ନେଇ ଏବେ ଏହି ଅଞ୍ଚଳର ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି | ବିହନ ଗଜା ମରୁଡି ହେବା ଫଳରେ ଚଳିତବର୍ଷ ଡ଼ାଳୁଅ ଚାଷୀ ମାନେ ବହୁ ପରିମାଣରେ କ୍ଷତି ଗ୍ରସ୍ତ ହେବେ ବୋଲି କୃଷକ ନେତା ବାଇଧର ଯେନା, ଚୌଧୁରୀ ଯେନା,ଜୟପ୍ରକାଶ ନାୟକ, ମଳୟ କୁମାର ପଣ୍ଡା, ପ୍ରିୟବ୍ରତ ବିଶ୍ୱାଳ, ଟୁନା ବିଶ୍ୱାଳ, ଭାଗିରଥି ସାହୁ, ବିଜୟ ପାତ୍ର, ଆନନ୍ଦ ଚନ୍ଦ୍ର ବାରିକ,ଦୀପକ ବାରିକ,ଚିତ୍ତରଞ୍ଜନ ନାୟକ,ବିରଜା ମଲ୍ଲିକ, ଗଙ୍ଗାଧର ଯେନା, ଚଉବନ ବାରିକ ପ୍ରମୁଖ ଅଭିଯୋଗ କରିଛନ୍ତି | କେଉଁ କାରଣରୁ ବିହନ ଗଜା ମରୁଛି ତାହା ସ୍ପଷ୍ଟ ଜଣା ପଡ଼ିନଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୃଷି ବିଭାଗର କୌଣସି ଅଧିକାରୀ ତଦନ୍ତରେ ଆସିନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି | ଏପରି ଭାବେ ଗଜା ମରୁଡି ହେଲେ ଅନେକ ଚାଷୀ ମହାଜନ ଠାରୁ ଆଣିଥିବା ବାକି ସୁଝି ନପାରି ବହୁଅସୁବିଧାର ସମ୍ମୁଖୀନ ହେବେ ବୋଲି ଜଣା ପଡିଛି | ଚଳିତ ବର୍ଷ ଏହି ଅଞ୍ଚଳରେ ବନ୍ୟା ହୋଇନଥିବାରୁ ଏଭଳି ଗଜା ମରୁଡି ହେଉଛି ବୋଲି ଅନେକ ଚାଷୀ କହୁଥିବା ବେଳେ ଅଧିକ ଶୀତ ପାଇଁ ଏମିତି ହେଉଛି ବୋଲି ମଧ୍ୟ ଅନେକ ଚାଷୀ କହିଛନ୍ତି | ତେଣୁ ଏଥିପାଇଁ କୃଷି ବିଭାଗ ପକ୍ଷରୁ ତଦନ୍ତ କରାଯାଇ କେଉଁ କାରଣରୁ ଗଜା ମରୁଡି ହେଉଛି ତାହା ସ୍ପଷ୍ଟ କରିବା ସହ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଖୁବ ଶୀଘ୍ର ସରକାରୀ ସହାୟତା ଯୋଗେଇ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଚାଷୀ ମାନଙ୍କ ପକ୍ଷରୁ ଦାବି ହୋଇଛି |
ରିପୋର୍ଟ : ରଜତ ମହାପାତ୍ର