ଦୁଇଟି ଚିଠି ଲେଖିବ ବୋଲି ସେ ନିଷ୍ପତ୍ତି ନେଲା। ଗୋଟେ ମିନାକ୍ଷୀ ପାଖକୁ ଆଉ ଗୋଟେ ଘରକୁ, ବାପା ମା ଙ୍କ ପାଇଁ। କାଗଜ କଲମ ରେ ଲେଖିବାର ଅଭ୍ୟାସ ଆଉ ନାହିଁ, ଅକ୍ଷର ତ ତଦ୍ରୁପ। ତେଣୁ whatsapp ଲେଖି ମେସେଜ କରିବ ବୋଲି ଭାବି ଲେଖା ଆରମ୍ଭ କଲା। ତା’ପରେ ….ମେସେଜ ଟି ଟାଇପ କରି ସାରି ଦୁଇଥର ପଢିଲା ସେ। ବାହାରି ଆସୁଥିବା ଲୁହ କୁ ଟି-ଶାର୍ଟ ରେ ପୋଛିଲା ସେ। ପୁଣି ଆରମ୍ଭ କଲା ଦ୍ବିତୀୟ ମେସେଜ ଲେଖା, ପ୍ରେମିକା ପାଖକୁ।ଲେଖିସାରି, ମେସେଜ ଦୁଇଟି କୁ ସେଭ କରି, ଆଖିରୁ ଲୁହ ପୋଛି ଛାତ ଉପରୁ ଆସିଲା ସେ। କେତେ ସମୟ ହେବ? ବୋଧହୁଏ ଚାରିଟା ବାଜିବ। ମଝିରେ ମଝିରେ ଚଢ଼େଇ ଙ୍କ ବୋବାଳି ଶୁଭିଲାଣି। ରାତି ପାହିବାକୁ ଆଉ କିଛି ସମୟ। ମିନାକ୍ଷୀ ଶୋଇଥିବା ଖଟ ପାଖକୁ ଗଲା ସେ। ନିରୀହ, ଛଳ ଛଳ ବନ ହରିଣୀ ସମ ଚନ୍ଦ୍ରଉଦିଆ ମୁହଁ ଟି ପରମ ଶାନ୍ତି ରେ ଶୋଇଲା ପରି ଲାଗୁଥାଏ। ଅଫିସ ରେ ଦିନ ଯାକର ଖଟଣୀ, ଘର କାମ ପରେ କ୍ଲାନ୍ତ, ଶ୍ରାନ୍ତ ଦେହଟି କୁ କେଇ ଘଣ୍ଟା ଗଡେଇ ଦେବାର ଅପଚେଷ୍ଟା ଇଏ। ତଥାପି ଶାନ୍ତ ସ୍ନିଗ୍ଧ ମୁହଁଟି ଖୁବ ସୁନ୍ଦର ଦେଖା ଯାଉଥାଏ। ମଥାରେ ଚୁମ୍ବନ ଟିଏ ଦେଇ, ଏକମୁହାଁ ହୋଇ ବେଡ଼ ରୁମ ଭିତରୁ ବାହାରି ଆସିଲା ସେ। ଏ ସମୟ ରେ ମାୟା ଲାଗିଲେ ପୁଣି ଲାଗିଯିବ। ଆଉ ନୁହେଁ। କାହାକୁ କିଛି ନ ଜଣେଇ ପୋଷାକ ପିନ୍ଧି ଯିବାକୁ ବାହାରିଲା। ଘର ଭିତର ଓ ଚାରିପାଖ ରେ ଆଖି ବୁଲେଇ ଆଣିଲା, ବୋହି ଯାଉଥିବା ଲୁହ କୁ ପୋଛି ଦେଲା ପରେ ମୋବାଇଲ ରୁ ମେସେଜ ଦୁଇଟି ପଠେଇ ସାରି, ବାପାଙ୍କ ପାଖକୁ ଆଇଡି, ପାଶ୍ୱଡ଼ ପଠେଇଲା।ଏବେ ମୋବାଇଲ ହିଁ ସବୁ ଅନର୍ଥ ର କାରଣ। ପାଖରେ ରଖିଲେ ଟ୍ରାକ କରି ଜାଣିଯିବେ ମୁଁ କେଉଁ ଦିଗରେ ଯାଉଛି। ସେଥିପାଇଁ ମୋବାଇଲ କୁ ଡ଼ାଇନିଂ ଟେବୁଲ ଉପରେ ରଖିଦେଇ ଘରୁ ବାହାରିଗଲା ସେ…
ସକାଳୁ ସକାଳୁ ଲମ୍ବା ମେସେଜ ଟି ପଢି ସ୍ତ୍ରୀ ଙ୍କ ହାତକୁ ମୋବାଇଲଟି ବଢ଼େଇଦେଲେ ଚକ୍ରଧର ବାବୁ, ପ୍ରତ୍ୟୁଷ ର ବାପା
ସ୍ନେହର ମିନା,
ଭଲପାଇବା ଟିକକ ସାଇତି ରଖ ହୃଦୟ ର କେଉଁ ନିଭୃତ କୋଣ ରେ। ତୁମକୁ ଦେଇଥିବା ପ୍ରତିଶୃତି ରକ୍ଷା କରି ନପାରି ପଳାତକ ସାଜୁଛି। ସକାଳୁ ଉଠି ଏ ମେସେଜ ଦେଖିଲା ବେଳକୁ ମୁଁ ତୁମଠାରୁ କିଛି ନହେଲେ ବି ଶହେ କିମି ଦୂରରେ ଥିବି, କେଉଁ ଦିଗରେ ଜାଣିନି। ତୁମେ ଜାଣ ଆମ ଭଲ ପାଇବା। ଜୀବନ ସାରା ଭଲ ପାଇବି ବୋଲି ପ୍ରତିଶୃତି ଦେଇଥିଲି, କିନ୍ତୁ ବହୁତ ଭାବିଲା ପରେ ଏ ନିଷ୍ପତ୍ତି ରେ ପହଞ୍ଚିଲି ଯେ, ମୁଁ ତୁମ ଭଲ ପାଇବାର ଯୋଗ୍ୟ ନୁହଁ। ଭାବିଥିଲି ମା କୁ ମନେଇ, ତୁମକୁ ବାହାହୋଇ, ଘର ସଂସାର କରି ଭଲରେ ରହିବା। ବାପା ମା ବି ଖୁବ ଶୀଘ୍ର କଣ୍ଢେଇ ଗୋଟେ ଦୁଇଟି ପାଇ ଖୁସି ରେ ଉଛୁଳି ଉଠିବେ, କିନ୍ତୁ ମୋର ଏ ସପ୍ନ, ସ୍ବପ୍ନ ରେ ହିଁ ରହିଗଲା। ତୁମେ ତ ଜାଣ, ମା ଟିକେ ପୁରୁଣା କାଳିଆ ଲୋକ। ସେ ଜାତି, ଧର୍ମ ସବୁ ମାନେ। ଭାବିଥିଲି, ଆଉ ତୁମକୁ କହିଥିଲି ଯେ ଆମେ ବାହାହେଲା ବେଳକୁ ଜାତି ପ୍ରଥା ଉଠି ଯାଇ ଥିବ, କିନ୍ତୁ ଏହା ମୋର ଭ୍ରମ ଥିଲା। କିଛି ଲୋକ ଏ ପ୍ରଥା କୁ ଆଜି ବି ମାନନ୍ତି, ଯାହା ଭିତରୁ ମୋ ମା ଜଣେ। ଜାଣିଛି କିଛି ଲୋକ ଏହାକୁ ବ୍ୟାକୱାଡ଼ ବୋଲି କହିବେ କିନ୍ତୁ ତୁମେ ମୋତେ ବୁଝ। ବହୁତ ଜଣ ଆମକୁ କହିଛନ୍ତି, “କୋର୍ଟ ରେ ବାହା ହୋଇଯାଅ” କିନ୍ତୁ ତୁମେ ସବୁବେଳେ ମନା କରି ଆସିଛ। ବାପା ମାଙ୍କ ଇଛା ବିରୁଦ୍ଧ ରେ ବାହା ହେବାକୁ ତୁମେ ରାଜି ନୁହଁ। ସବୁବେଳେ କହି ଆସିଛ, ଯେଉଁ ଘରେ ବାପା ମାଙ୍କ ଆଶୀର୍ବାଦ ପାଇଁ ହାତ ନାହିଁ, ସେ ଘର ଘର ନୁହେଁ। ଏବେ ମୁଁ କଣ କରିବି? ଅଲଗା ଜାତି ପାଇଁ ମା ବାହା କରେଇବା ପାଇଁ ରାଜି ନୁହେଁ, ତାଙ୍କ ଇଛା ବିରୁଦ୍ଧ ରେ ତୁମେ ବାହା ହେବାପାଇଁ ରାଜି ନୁହଁ। ମୁଁ ତ ମଝିରେ ସନ୍ତୁଳା ହୋଇ ସାରିଲିଣି। ଏପଟେ ତୁମ ବୟସ ଗଡି ଯାଉଛି, ସେପଟେ ମୁଁ ତୁମକୁ ବାହା ହୋଇ ପାରୁନି। ତେଣୁ ନିଷ୍ପତି ନେଲି ପଳାତକ ସାଜିବା ପାଇଁ। ମୁଁ ଯାଉଛି..ଖୋଜିବନି ମୋତେ। ଆତ୍ମହତ୍ୟା କରିବିନି। ଫେରିବି ନିଶ୍ଚିତ,କିନ୍ତୁ କେବେ? ଜାଣିନି। ମୋତେ ଅପେକ୍ଷା ନକରି ଆଉ କାହା ହାତ ରେ ହାତ ଛନ୍ଦି ସଂସାର କରିବ। ମୁଁ ଫେରୁ ଫେରୁ ବୋଧହୁଏ ବୁଢା ହୋଇଯାଇଥିବି। ବେଳେବେଳେ ବାପା ମା ଙ୍କ ଖବର ରଖୁଥିବ ଯଦି ସୁବିଧା ହୁଏ। ରହିଲି….
ଇତି
ତୁମର ହତଭାଗା ପ୍ରେମିକ
“
ମେସେଜ କମ ଚିଠିଟିକୁ ପଢ଼ିସାରି ହାଉଳି ଖାଇ ସଂଗେ ସଂଗେ ପ୍ରତ୍ୟୁଷ ମୋବାଇଲ ରେ ଫୋନ କଲେ ମା। ଏପଟେ ନିଦ ଭାଙ୍ଗି ନଥାଏ ମିନାକ୍ଷୀ ର। ମୋବାଇଲ ଟି ଘନ ଘନ ରିଙ୍ଗ ହେଲା ପରେ ବିରକ୍ତ ହୋଇ ଶେଯ ଛାଡିଲେ। ମୋବାଇଲ ତଥାପି ବାଜି ଚାଲିଥାଏ। ପ୍ରତ୍ୟୁଷ ଙ୍କ ମୋବାଇଲ, ବାପା ଙ୍କ ଫୋନ? ଏଘରୁ ସେ ଘରୁ ଦୌଡାଦୌଡ଼ି କରି କିଛି ସମୟ ଖୋଜିଲେ। କିଛି ସମୟ ପରେ ମୋବାଇଲ ଶାନ୍ତ ପଡିଲା। ଦେଖିଲା ବେଳକୁ ମା ଓ ବାପା ଉଭୟଙ୍କ ମୋବାଇଲ ରୁ ତେଇଶ ଟା ମିସ କଲ। କିଛି ଅଘଟଣ ଆଶଙ୍କା ରେ ପ୍ରତ୍ୟୁଷଙ୍କୁ ଖୋଜିଲେ ସେ। ମୋବାଇଲ ତ ଅଛି। ସେ ମୋବାଇଲ ଛାଡି କୁଆଡେ କେବେ ଯିବାର ମନେ ପଡୁନଥିଲା ମିନାକ୍ଷୀଙ୍କର। କେବଳ ବାଥରୁମ କୁ ଛାଡି ବାକି ସମୟ ତକ ତାଙ୍କ ହାତରେ ମୋବାଇଲ ଥାଏ। ପୁଣି ବାଜିଲା ପ୍ରତ୍ୟୁଷ ଙ୍କ ଫୋନ। ଆଗରୁ କେବେ ମା କିମ୍ବା ବାପାଙ୍କ ଫୋନ ନ ଉଠେଇଥିଲେ ବି ଏବେ ଉଠେଇବାକୁ ବାଧ୍ୟ ହେଲେ। ସେପଟୁ ଖବର ଶୁଣି କାନ ମୁଣ୍ଡ ଝାଇଁ ମାରିନେଲା। ଦଉଡି ଆସି ନିଜ ମୋବାଇଲ ରେ ମେସେଜ ଦେଖିବାକୁ ଲାଗିଲେ।
“”
ବାପା,
ପ୍ରଣାମ ନେବ, ମା କୁ ମଧ୍ୟ ପ୍ରଣାମ କହିବ। ଏ ମେସେଜ ପାଇଲା ବେଳକୁ ମୁଁ କୁଆଡେ ଗୋଟେ ଯାଇ ସାରିଥିବି। ମୋତେ ଖୋଜିବନି। ବହୁତ ଟେନସନ ରେ ଯାଉଛି ବୋଲି ଜାଣିବ। ଆତ୍ମହତ୍ୟା ମହାପାପ, କରିବିନି। ଘରକୁ ଫେରିବି ନିଶ୍ଚିତ। କିନ୍ତୁ କେବେ? ଜାଣିନି। ପାଞ୍ଚ ମାସ, ପାଞ୍ଚ ବର୍ଷ କିମ୍ବା ପଚିଶ ବର୍ଷ ହୋଇପାରେ। ତୁମେ ମାନେ ବୋଧ ହୁଏ ଜାଣିନ, ମୁଁ ମିନାକ୍ଷୀ କୁ ଭଲ ପାଏ ବୋଲି । ତା’ର ମୋର ସମ୍ପର୍କ ବାର ବର୍ଷ ର । ଏକାଠି ଆମେ ରହି ଆସିଛୁ। ଏବେ ତାକୁ ଛାଡି ଆଉ କାହାକୁ ବାହାହେବା ମୋ ପକ୍ଷ ରେ ସମ୍ଭବ ନୁହେଁ। ଆଉ ଜଣଙ୍କୁ ବାହାହେଲେ ତାକୁ ତ ଭଲପାଇ ପାରିବିନି କି ସ୍ତ୍ରୀ ର ମର୍ଯ୍ୟାଦା ଦେଇ ପାରିବିନି, ତେବେ ସେ ଅଜଣା ଝିଅଟିର ଜୀବନ କୁ ଛାରଖାର କରିବାର କଣ ଅଧିକାର ଅଛି ମୋର? ମା ତ, ମିନାକ୍ଷୀ ସହ ମୋର ବାହାଘର କରିବନି। ସାଇ, ଭାଇ ବହୁତ କଥା କହିବେ। ତାଙ୍କ ଡର ରେ ତ… ଛାଡ଼। ସେମାନେ ଯେମିତି ମୋତେ ପୋଷି ଥିଲେ? ପାଠ ପଢେଇ ଥିଲେ? ଛୋଟ ରୁ ବଡ କରିଥିଲେ? ମୋ ଅଳି ଅର୍ଦଳି ସହି ଥିଲେ? ସମାଜ କାହାପାଇଁ? ଲୋକଙ୍କ ସୁବିଧା ପାଇଁ ସମାଜ ନା, ହଇରାଣ କରିବାକୁ ସମାଜ? ମୁଁ ଜାଣିଛି, ସମାଜ ଓ ସାଇ ଭାଇଙ୍କ କୁତ୍ସାରଚନା ଡରରେ ମା ରାଜି ହଉନି, କିନ୍ତୁ ମିନାକ୍ଷୀ କୁ ବି ମୁଁ ଏ ବୟସ ରେ କହି ପାରିବିନି ଯେ ତୁ ମୋତେ ଛାଡ଼ି ଆଉ କାହାକୁ ବାହାହୋଇ ଯା… ମିନାକ୍ଷୀ ବହୁତ ଭଲ ଝିଅ। ଗୋଟେ ପରିବାର କୁ ଏକାଠି ବାନ୍ଧି ରଖିବାର କ୍ଷମତା ତା’ର ଅଛି।ତୁମ ଦି ଜଣଙ୍କୁ ସେ ବହୁତ ଭଲ ପାଏ। ସାଙ୍ଗ ମାନେ କୋର୍ଟ ମ୍ୟାରେଜ କରିବାକୁ କହୁଥିଲେ। ତୁମ ଇଛା ବିରୁଦ୍ଧ ରେ ବାହାଘର ପାଇଁ ରୋକଠୋକ ମନା କରିଦେଲା। କହିଲା, ସେମାନେ ଯେବେ ଚାହିଁବେ ସେବେ କରିବେ। ତାଙ୍କ ଅଭିଶାପ ନେଇ ବାହାହେଲେ ଆମେ ଶାନ୍ତି ରେ ରହି ପାରିବାନି। ତା’ର ବହୁତ ଭଲଗୁଣ ଅଛି, ଯାହା ତୁମେ ତା ସହ ମିସିଲେ ହିଁ ଜାଣି ପାରିବ। ଭାବିଥିଲି,ମିନି ର ବାହାଘର ସାରି, ମିନାକ୍ଷୀ କୁ ବାହାହୋଇ, ତୁମକୁ ଓ ମା କୁ ଆଣି ଆସିବି ଏଠିକୁ। ଏକାଠି ରହିବା। ଆମ ପରିବାର ହସି ଉଠିବ। କିନ୍ତୁ ନା, ସମସ୍ତେ ନିଜ ନିଜ ରୋଲ ରେ ଅଛ। ତେଣୁ ସମସ୍ତଙ୍କୁ ଛାଡି, ମୁଁ ଦୁରେଇ ଯାଉଛି। ଏବେ ସମସ୍ତେ ଶାନ୍ତି ରେ ରୁହ। ସମସ୍ତଙ୍କ ଇଛା ପୁରଣ ହେଲା। ମୋର କାହାକୁ ବାହାହେବା ଦରକାର ନାହିଁ କି ବାହାହେଇ ସଂଘର୍ଷ କରିବା ଦରକାର ହିଁ ନାହିଁ। ତା ସହ ତାର ବି ବୟସ ହୋଇ ଗଲାଣି। ତାଙ୍କ ଘରେ ବି ଆଉ କେତେ ସମ୍ଭାଳିବେ। ବାରମ୍ବାର ପଚାରି ଚାଲିଛନ୍ତି। ସବୁ ବାହାନା ସରି ଗଲାଣି। ଆଉ କେତେ ଠକିବି? କାହିଁକି ଠକିବି? କାହାକୁ ଠକିବି? ତାକୁ ବି 32 ପୁରି 33 ଚାଲିଲା। କେତେ ଦିନ ସେ ଆଉ ଅପେକ୍ଷା କରିବ? ରାମଚନ୍ଦ୍ର ବାର ବର୍ଷ ବନବାସ ଗଲା ପରି, ସେ ମୋତେ ବାର ବର୍ଷ ହେଲା ଅପେକ୍ଷା କରିଛି। କିନ୍ତୁ ମୁଁ …କଣ ତାକୁ ଦେଇଛି? କିଛି ଗ୍ଲାନି, ଭଙ୍ଗା ସ୍ବପ୍ନ, ମିଛ ପ୍ରତିଶୃତି…ତା’ ବ୍ୟତୀତ ଆଉ କିଛି ନୁହେଁ। ତେଣୁ ମୋର ଏ ନିଷ୍ପତ୍ତି ଅଟଳ। ଆଉ ନୁହେଁ…ଅଫିସ ରେ ବି ଟେନସନ ବହୁତ। ବହୁତ କାମ। ଆଉ ମୁଣ୍ଡ କାମ କରୁନି ଏସବୁ ସମ୍ଭାଳିବାକୁ। ତୁମେ ଏତେ କେମିତି ସମ୍ଭାଳିଥିଲ କେଜାଣି। ପଇସା ରୋଜଗାର କରୁଛୁ ସିନା ଗାଳି ଶୁଣିଶୁଣି କାନ ତାବଜା ହୋଇ ଗଲାଣି।ମୁଁ ନଥିଲେ ବି, ବୁଢା ବୟସ ରେ ତୁମେ ହଇରାଣ ହେବନାହିଁ ବୋଲି ତୁମ ନାଁ ରେ ଆଉ ମା ନାଁ ରେ କିଛି ପଇସା ରଖିଛି। ଏ ମେସେଜ ପରେ ଆକାଉଣ୍ଟ ଗୁଡିକର ଆଇଡି ପାସ୍ୱାର୍ଡ ପଠେଇ ଦେବି। ବେଙ୍ଗ (ମେଡ) କୁ କହିବ ତୁମ ଖବର ସବୁ ବୁଝୁଥିବ। ତା’ର ଯେତେବେଳେ ଯାହା ଦରକାର ହେବ ଦେବ ତାକୁ। କହିବ, ମୁଁ ଆସିଲା ବେଳେ ଭଲ ଜିନିଷ ନେଇକି ଆସିବି ତା ପାଇଁ। ଉପର ଘର (ମୋ ରୁମ) ଭଡା ଦେଇ ଦେଵ । ଆଠ ହଜାର ରୁ କମ ହେଲେ ଦେବନି। ସେପଟେ ଏବେ ଘରଭଡା ବହୁତ ରେଟ ଚାଲିଛି। ଆଉ ତାକୁ ପକେଇକି ରଖିବାର କିଛି ଲାଭ ନାହିଁ। ମିନି କୁ ସ୍ନେହ ଦେଵ। କହିବ, ଭାଇ ସରି କହିଛି ତା ବାହାଘର ରେ ରହି ପାରିବିନି ବୋଲି। ରହିଲି।
ପ୍ରଣାମ ନେବ….
ଇତି
ତୁମ ହତଭାଗା ପୁଅ
ମୋତେ ଖୋଜିବନି, ମୋ ମନ ହେଲେ ମୁଁ ଆସିବି….”
ମନ ମରି ଯାଉଥିଲା। ପ୍ରତ୍ୟୁଷ ଯେ ଏମିତି କରି ପାରିବେ ଏକଥା ଚିନ୍ତା ବାହାରେ ଥିଲା। କିନ୍ତୁ ବାପାଙ୍କ ପାଖକୁ ଲେଖିଥିବା ଚିଠି ଟା ମୋ ପାଖକୁ କାହିଁକି ପଠେଇଛନ୍ତି? କଣ ଜଣେଇବା ପାଇଁ ଯେ ସେ ଘର ଲୋକଙ୍କ ସହ କଥା ହେଲେ ବୋଲି? ଯାହା ବି ହେଉ, ଏବେ କଣ କରିବେ? କୁଆଡେ ଖୋଜିବେ? କୁଆଡେ ଯାଇଥିବେ? କଲିଗ ମାନଙ୍କ ଭିତରୁ କାହା ପାଖକୁ? ଅତି ଅନ୍ତରଙ୍ଗ କଲିଗ ପାଖକୁ ଫୋନ ଲଗେଇଲେ ସେ। ଗୋଟେ ପରେ ଗୋଟେ ସବୁ କଲିଗ, ବନ୍ଧୁ ବାନ୍ଧବ, ଅଫିସ ଷ୍ଟାଫ, ଚିହ୍ନା ଜଣା ସମସ୍ତଙ୍କୁ ପଚାରି ସାରିଥିଲେ ସେ। କିଛି ବି ଖବର ନଥିଲା। ହଠାତ ମୋବାଇଲ ରେ ଆଉ ଗୋଟେ ମେସେଜ ପାଇ ଖୋଲିଲେ ସେ। ପ୍ରତ୍ୟୁଷ ଙ୍କ ଚିଠି ଟି ଥିଲା। ଯାହା ମିନାକ୍ଷୀ ଙ୍କ ପାଇଁ ଲେଖାଯାଇଥିଲା। ଆସିଥିଲା ପ୍ରତ୍ୟୁଷ ଙ୍କ ବାପାଙ୍କ ମୋବାଇଲ ରୁ। ଏବେ ସେ ବୁଝି ପାରୁଥିଲେ, ପ୍ରତ୍ୟୁଷ ଦୁଇଟି ଚିଠି ଦୁଇ ଜଣଙ୍କ ପାଇଁ ଲେଖିଛନ୍ତି। କିନ୍ତୁ ପଠେଇବା ବେଳେ ଭୁଲରେ ଓଲଟା ପାଲଟା ହୋଇ ଯାଇଛିବୋଧେ। ବାପା, ମାଙ୍କ ପାଇଁ ଥିବା ଚିଠିଟା ବି ମିନାକ୍ଷୀ ଫରୱାର୍ଡ କରିଦେଲେ ବାପାଙ୍କ ପାଖକୁ। କାନ୍ଦିକାଟି ଘର ଉଛୁଳାଉଥାଏ ମା। ଦିନସାରା ରୋଷେଇ ବନ୍ଦ। କିଏ କଣ ଖାଇଛି କିଛି ଜଣା ନାହିଁ। ମିନାକ୍ଷୀ ପାଇଁ ଆସିଥିବା ଚିଠି ଟି ପଢି ବୁଝି ପାରିଥିଲେ ସବୁ କଥା। ଆହୁରି ବି ପର ଚିଠିଟି( ବାପା ଓ ମା ଙ୍କ ପାଇଁ ଆସିଥିବା) ପଢି ଦୁଃଖ ଦୁଇଗୁଣ ହୋଇ ଯାଇଥିଲା।ଦୁଇଟି ଯାକ ଚିଠି ଦୁଇଜଣ ଯାକ ପଢି, ମନରୁ ସମସ୍ତଙ୍କ ସନ୍ଦେହ ଦୂର ହୋଇଯାଇଥିଲା। ମା ମନ ତ, ପ୍ରତ୍ୟୁଷ କଣ କରୁଥିବ? କଣ ଖାଇଥିବ? କେଉଁଠି ଥିବ? ସବୁ ପଚାରି ବୁଝୁଥିଲେ ମିନାକ୍ଷୀ ଠାରୁ। ତାଙ୍କ କାନ୍ଦ ଶୁଣି, ମିନାକ୍ଷୀ ବି କାନ୍ଦି ପକାଉଥିଲେ। ହେଲେ ସକାଳ ଯାଇ ସନ୍ଧ୍ୟା ହେଲା। କିଛି ଖବର ନଥିଲା ପ୍ରତ୍ୟୁଷ ମିଶ୍ର ଙ୍କର। ସନ୍ଧ୍ୟା ଯାଇ ରାତି ହେଲା, ପ୍ରତ୍ୟୁଷ ଘରକୁ ନଫେରିବାରୁ ମିନାକ୍ଷୀ ମନରେ ଆହୁରି ଅଧିକ ଚିନ୍ତା ମାଡି ପଡୁଥିଲା I କେବେତ ଏମିତି କରନ୍ତିନି, ଆଜି କାହିଁକି? ମନ ଭିତରେ ଡର ସହ ଅନାବନା ଚିନ୍ତା ସବୁ ଉକୁଟି ଆସିଲେ। ନିଜକୁ ଦୋଷୀ ଦୋଷୀ ଲାଗୁଥାଏ। ଏବେ ସେ ଜାଣିପାରୁଥିଲେ ପୁରୁଷ ପୁଅର ମନଭିତର ର ଯନ୍ତ୍ରଣା। କାହାକୁ କହିବେ? ପ୍ରତ୍ୟୁଷ ଏବେ କେଉଁଠି ଥିବେ? କେମିତି ଥିବେ ଭାବି କାନ୍ଦ କାନ୍ଦ ହୋଇଯାଉଥିଲେ ସେ।
କ୍ରମଶଃ….. ଭାଗ – ୩ ପୁଣି କାଲି ସକାଳ ୮ ଟା ରେ….
ଲେଖକ : ସୁବଳ ମହାପାତ୍ର,ଖଲାରୀ, ଅନୁଗୁଳ, ଓଡିଶା,