ତେଜୁଛି ଋଣ ଛାଡ ଆନ୍ଦୋଳନ : ସୟଂସହାୟିକା ଗୋଷ୍ଠି ପକ୍ଷରୁ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୂର୍ବ ସୂଚନା ଅନୁଯାୟୀ ଆଜି ମଙ୍ଗଳବାର ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କ ପକ୍ଷରୁ ୩ ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ମାଇକ୍ରୋ ଫାଇନାନ୍ସ ଓ କେତେକ ବ୍ୟାଙ୍କ ମାନଙ୍କ ମଧ୍ୟରୁ ଏସ୍‌ଏଚ୍‌ଜି ଗ୍ରୁପ ଉପରେ ବାରମ୍ବାର ଜୁଲମ୍ କରିବା, ଋଣ ଆଦାୟ ଲାଗି ଧମକ୍ ଦେବା, ଲକ୍‌ଡାଉନ୍ ଆଇନ୍‌କୁ ପଛରେ ପକାଇ ଘରକୁ ଆସି ଜିନିଷ ପତ୍ର ନେଇଯିବାର ଜୁଲୁମ୍ ବନ୍ଦ କରିବାକୁ ସ୍ୱୟଂ ସହାୟିକ ଗୋଷ୍ଠି ମହାସଂଘ ପକ୍ଷରୁ ଦାବି କରାଯାଇଛି । ସମସ୍ତ ଗୋଷ୍ଠୀ ଋଣ ଛାଡ କରିବା, ଯୋଗ୍ୟ ହିତାଧିକାରୀ ଚୟନ କରି ରେସନ୍‌କାର୍ଡ ଯୋଗାଇବା, ଜଳେଶ୍ୱର ପୌରପରିଷଦକୁ ମିଶନ ଶକ୍ତିର ସୁବିଧା ଯୋଗାଇବା ଦାବିରେ ଶତାଧିକ ମହିଳା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନାର ଭୟାବହତା ଏବଂ ସଟ୍ ଡାଉନ୍ ଓ ଲକ୍‌ଡାଉନ୍ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଥିବା ବେଳେ ମାଇକ୍ରୋ ଫାଇନାନ୍ସର ଜୁଲୁମ୍ ବେଡି ଉପରେ କରଡା ସଦୃଶ ହୋଇଛି । ବହୁ ସ୍ୱୟଂ ସହାୟକ ଗୋଷ୍ଠି ସେମାନଙ୍କ ଉତ୍ପାଦିତ ଜିନିଷକୁ ବିକ୍ର କରି ନ ପାରିବା, ମାଇକ୍ରୋ ଫାଇନାନ୍ସର ଜୁଲୁମ୍ ବିରୋଧରେ ସେମାନେ ଆଜି ସ୍ୱର ଉତ୍ତୋଳନ କରିଛନ୍ତି । ପୁରୁଷମାନେ ଶ୍ରମିକଭାବେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ସେମାନେ ଏବେ ଶୂନ୍ୟହସ୍ତରେ ଗାଁକୁ ଫେରିଛନ୍ତି । ଏ ପରିପ୍ରେକ୍ଷିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପରିଶୋଧ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ସାମ୍ପ୍ରତିକ ପରିସ୍ଥିତିରେ ସୁଧ ନ ନେବା ଓ ଋଣର କିସ୍ତି ଆଦାୟ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି ଜଣାଇଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠି ମହାସଂଘ ପକ୍ଷରୁ ରାଧାରଣୀ ପାତ୍ର, ମାଳତୀ ଦତ୍ତ, ମାଧବି ଧଳ, ମମତା ଚୌଧୁରୀ, ବାସନ୍ତି ପାଳ, ଲିପିକା କଟାଲ, ସରୋଜିନୀ ରାୟ, କାକଳୀ ଦତ୍ତ, ସୁଷମା ଦେ, ରେବତୀ ପାତ୍ର, ରୁପ୍‌ସାନା ବିବି, ନଜିମା ବିବି, ସାବାନା ବିବି, ବୁଧୁନୀ ସିଂ, ମଂଜୁ ନାୟକ, ଜମୁନା ଜେନା, ରାଇମା ଖାତୁନ୍ ଛବି ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ଦେଇଛନ୍ତି । ଏହି ଆନ୍ଦୋଳନକୁ କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ, ଆଶିଷ କୁମାର ଗିରି, ଚନ୍ଦ୍ରମୋହନ ରାଉଳ, ଜଗଦୀଲ ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ଆସୋସିଏସନ୍ ପକ୍ଷରୁ ରାଜ୍ୟ ନେତ୍ରୀ ତାପସୀ ପ୍ରହରାଜ, ମମୀ ପଣ୍ଡା, ଆରତୀ ପଲାଇ, ଆସ୍ମିନା ବିବି, ବାସନ୍ତୀ ଜେନା ପ୍ରମୁଖ ବିଡିଓଙ୍କୁ ଅନ୍ୟଏକ ଦାବିପତ୍ର ଦେଇଛନ୍ତି । ଘଟଣା ସ୍ଥଳରେ ଦୁଇପକ୍ଷ ମଧ୍ୟରେ ବାଦାନୁ ବାଦ ମଧ୍ୟ ସୃଷ୍ଟି ହୋଇଥିଲା । ଶତାଧିକ ମହିଳା ବ୍ଲକ ଫାଟକ ସମ୍ମୁଖରେ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ଦୂରତା ବଜାଇ ରଖି ନ ଥିବାରୁ ବିଡିଓ ଜଳେଶ୍ୱର ପୋଲିସ୍‌ର ସହାୟତା ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା