ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଗଣଧାରଣା

ଭୁବନେଶ୍ୱର ( ଆକାଶ ମିଶ୍ର) : ତୈଳ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା । ବିଜେଡିର ଏକ ପ୍ରତିନିଧି ଦଳ ବର୍ଦ୍ଧିତ ଦର ହ୍ରାସ ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସ୍ମାରକପତ୍ର ଦେଇଛନ୍ତି । ବିଜେଡି ଘୋଷଣା କରିଛି ବର୍ଦ୍ଧିତ ତୈଳଦର ହ୍ରାସ ନ ହେବା ଯାଏ ଆନ୍ଦୋଳନ ଆଗକୁ ବ୍ୟାପକ କରାଯିବ । ପୂର୍ବରୁ ମଧ୍ୟ ବିଜେଡି ସବୁ ପେଟ୍ରୋଲପମ୍ପ ଆଗରେ ୩ ଦିନ ଧରି ପ୍ରତିକ ଭାବେ ଗଣଧାରଣା ଦେଇଥିଲା । କିନ୍ତୁ ତେଲ ଦର କମିବା ବଦଳରେ ବଢ଼ୁଥିବାରୁ ସେମାନେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଗକୁ ଆହୁରି ଜୋରଦାର ହେବ ବୋଲି କହିଛନ୍ତି ।ଆଜି ବିଜେଡି ମନ୍ତ୍ରୀ, ବିଧାୟକ, ମେୟର ଓ ନେତାମାନେ ରାଜଭବନ ସମ୍ମୁଖରେ ଗଣଧାରଣା ଦେଇଥିଲେ । ସେମାନେ ତୁରନ୍ତ ଦର ହ୍ରାସ କରିବାକୁ ଦାବି କରିଥିଲେ । କେନ୍ଦ୍ର ସରକାର ଏହି ଦାବି ଗ୍ରହଣ ନ କଲେ ସେମାନେ ଆନ୍ଦୋଳନକୁ ବ୍ଲକ୍ସ୍ତରକୁ ନେବେ ବୋଲି କହିଛନ୍ତି । ବିଧାୟକ ସଂଜୟ ଦାଶବର୍ମା କହିଛନ୍ତି ଦେଶରେ କ୍ରମାଗତ ଭାବରେ ହୁହୁ ହୋଇ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଚାଲିଛି । ଏଥିସହିତ ଗ୍ୟାସ ଦର ମଧ୍ୟ ବଢ଼ିଛି । ଏହି ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କ ଉପରେ ବୋଝ ଲଦି ଦିଆଯାଇଛି । ଆଜିର ଏହି ଆନ୍ଦୋଳନ ପରେ କେନ୍ଦ୍ର ସରକାର ଯଦି ଡିଜେଲ, ପେଟ୍ରୋଲ ଓ ଗ୍ୟାସର ଦରହ୍ରାସ ନ କରନ୍ତି ତେବେ ଓଡ଼ିଶାର ୩୧୪ ବ୍ଲକ୍କୁ ଆମେ ଯିବୁ । ଜନସାଧାରଣଙ୍କ ପାଖରେ ପହଂଚି ଲୋକଙ୍କୁ ଅବଗତ କରାଇବୁ । କେନ୍ଦ୍ର ସରକାରଙ୍କର ଆଚ୍ଛାଦିନ କଣ । ଓଡ଼ିଶାର ଲୋକେ ଏହାର ଶ୍ରେଷ୍ଠ ବିଚାରକ ହେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଶିକ୍ଷାବିତ,ଚାଷୀ ଓ ସାଧାରଣ ଲୋକଙ୍କ ପାଇଁ ଏହା ବେଡି ଉପରେ କୋରଡ଼ା ଭଳି ହୋଇଛି । କେନ୍ଦ୍ର ସରକାର ଏହି ବୃଦ୍ଧି କରି ଲୋକଙ୍କ ପେଟକୁ ନାତ ମାରିଛନ୍ତି । ତେଣୁ ଏହା ବିରୋଧରେ କେବଳ ଭୁବନେଶ୍ୱର ନୁହେଁ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାରଥୀ କହିଛନ୍ତି ।
ଏହାର ଜବାବରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ସରକାରଙ୍କୁ କହିସାରିଲେଣି ଏହି ଘଟଣାରେ ଆପଣମାନେ ସହଯୋଗ କରନ୍ତୁ ଓ ଭାଟ କମାନ୍ତୁ । ବିଭିନ୍ନ ରାଜ୍ୟ ମଧ୍ୟ ଏହାକୁ ମାନି ଟିକସ ହ୍ରାସ କଲେଣି । ଓଡ଼ିଶା ଭଳି ରାଜ୍ୟ ପେଟ୍ରୋଲ ସାମଗ୍ରୀରୁ ଭାଟ ବାବଦରେ ବର୍ଷକୁ ୭୦୦୦ କୋଟି ଟଙ୍କାରୁ ଲଦ୍ଧ୍ୱର୍ ପାଉଥିଲା ବେଳେ ଟିକସ ନ କମାଇବା ଓଡ଼ିଶାବାସୀଙ୍କ ପାଇଁ ପ୍ରକୃତରେ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡ଼ିଶା ଲୋକଙ୍କର ଶୁଖ ଏମାନେ ଚାହାଁନ୍ତି ନାହିଁ ।