୧୮୯୫ ମସିହାରୁ ନିର୍ମିତ ଓଡ଼ିଶାର ପ୍ରଥମ ରେଳ ଷ୍ଟେସନର ବିକାଶ ଯେମିତି ଥିଲା ସେମିତି ଯୋଗୁଁ ଘୋର ଉଦବେଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରେଳପଥ ବିଷୟରେ ଆଲୋଚନା କରାଗଲେ ଗଞ୍ଜାମ ଜିଲ୍ଲା ଏ ବାବଦରେ ବହୁ ପଛରେ ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି । ଓଡ଼ିଶାର ବିଭିନ୍ନ ଜିଲାରେ ରେଳପଥର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା ବେଳେ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶା ରେଳ ବିଭାଗ ତରଫରୁ ଲଗାତର ଭାବେ ଅବହେଳା କରାଯାଉଛି । ଏଥିପାଇଁ ମୁଖ୍ୟତଃ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ପ୍ରକାଶଥାଉକି ବ୍ରହ୍ମପୁରରୁ ଫୁଲବାଣୀ ରେଳପଥ ପାଇଁ କେନ୍ଦ୍ର ସରକାର ବହୁ ବର୍ଷ ତଳୁ ସର୍ଭେ କରି ସାରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ପ୍ରାକ୍‌ ଆକଳନ ଖର୍ଚ୍ଚ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ଯୋଜନାର ନଥି ପତ୍ର ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଅପରପକ୍ଷରେ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥ ନିର୍ମାଣ ନିମନ୍ତେ ବହୁଥର ଦାବି ହୋଇଆସିଛି । ଏହି ରେଳପଥ ଦ୍ୱାରା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସବୁଦୃଷ୍ଟିରୁ ବାଣିଜ୍ୟ ପରିବହନ ଓ ଯାତାୟତର ଅଧିକରୁ ଅଧିକ ତ୍ୱରାନ୍ୱିତ ହୋଇପାରିବ । ସେହିପରି ଗଞ୍ଜାମ ଜିଲାର ଲକ୍ଷ ଲକ୍ଷ ଓଡ଼ିଆ ଗୁଜୁରାତର ସୁରତ ସହରରେ କାମ କରୁଛନ୍ତି । ବ୍ରହ୍ମପୁରରୁ ସୁରଟ ଯିବା ପାଇଁ ଯାତ୍ରୀଙ୍କ ନିମନ୍ତେ ଆବଶ୍ୟକ ପରିମାଣ ରେଳର ବ୍ୟବସ୍ଥା ନାହିଁ । ଏହି ଦୃଷ୍ଟିରୁ ବ୍ରହ୍ମପୁରରୁ ସୁରତକୁ ଏକ ଦ୍ରୁତଗାମୀ ରେଳର ବ୍ୟବସ୍ଥା କରିବା ପାଇଁ ତୀବ୍ର ଦାବୀ ଉଠିଛି । ଏ ସମ୍ପର୍କର ମଧ୍ୟ ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅନୁରୋଧ କରି ସାରିଛନ୍ତି । ଅପରପକ୍ଷରେ ଗୋପାଳପୁର-ରାୟପୁର ରେଳପଥ ନେଇ ଗତ ୟୁପିଏ ସରକାରଙ୍କ ସମୟରେ ପ୍ରସ୍ତାବ ଉଠିଥିଲା । କିନ୍ତୁ ତାହା ମଧ୍ୟ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ସେହିପରି ବ୍ରହ୍ମପୁର ରେଳଷ୍ଟେସନ ଦକ୍ଷିଣ ଓଡ଼ିଶାର ‘ଏ’ କ୍ଲାସ ମାନ୍ୟତା ପ୍ରାପ୍ତ ହୋଇଥିବା ବେଳେ ଏହି ଷ୍ଟେସନର ସେହିଭଳି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ । ରେଳଷ୍ଟେସନର ପ୍ରତ୍ୟେକ ପ୍ଲାଟଫର୍ମରେ ସିସିଟିଭିର ବ୍ୟବସ୍ଥା ନ ଥିବା ବେଳେ ଦ୍ୱିତୀୟ ଓ ତୃତୀୟ ନମ୍ବର ପ୍ଲାଟଫର୍ମ ପାଇଁ ପରିସ୍ରାଗାର ଓ ପାଇଖାନାର ବ୍ୟବସ୍ଥା ନାହିଁ । ଏହା ସତ୍ୱେ ଷ୍ଟେସନର ବାହାର ପରିସରରେ ଶୌଚାଳୟ ଓ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥାନ ବ୍ୟବସ୍ଥା ନାହିଁ । ବ୍ରହ୍ମପୁର-ପୁରୀ ସିଧାସଳଖ ଚଳାଚଳ ପାଇଁ ଏକ ଯାତ୍ରୀବାହୀ ଟ୍ରେନର ବ୍ୟବସ୍ଥା କରାଯିବାକୁ ମଧ୍ୟ ଦାବି ଉଠିଛି । ଜଗନ୍ନାଥପୁର କିମ୍ବା ସୋରଳ ଜଙ୍କସନ ଠାରେ ରେଳଡ଼ବା ସଫା କରିବା ପାଇଁ ୱାଟର ଷ୍ଟେସନ ସହ ଟର୍ମିନାଲ ବ୍ୟବସ୍ଥା କରାଯିବା ପାଇଁ ଦାବି ଉଠିଛି । ପ୍ରକାଶଥାଉକି ପୂର୍ବତନ ରେଳମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ସମୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଯୋଜନା ମଞ୍ଜୁର ହୋଇଥିଲେ ମଧ୍ୟ ଅଦ୍ୟାବଧି ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ । ମଞ୍ଜୁଷା ସମେତ ଅନ୍ୟାନ୍ୟ ଷ୍ଟେସନର ପ୍ଲାଟଫର୍ମଗୁଡ଼ିକ ଉଚ୍ଚତା ବଢ଼ାଇଲେ ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ । ମଞ୍ଜୁଷା ଷ୍ଟେଶନରେ ଗୁଣପୁର-ରାଉରକେଲା (ରାଜରାଣୀ ଏକ୍ସପ୍ରେସ) ଏବଂ ଭୁବନେଶ୍ୱର ଠାରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସର ରହଣି ନିମନ୍ତେ ଉତ୍କଳ ସମ୍ମିଳନୀର ବରିଷ୍ଠ ସଦସ୍ୟ ଅଶୋକ କୁମାର ସାହୁ, ସ୍ଥାନୀୟ ସାଂସଦ ଚନ୍ଦ୍ରଶେଖର ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଆବାହକ ରବି ରଥଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସୂଚନାଥାଉକି, ଐତିହାସିକ ଡ଼. ଅନନ୍ତ କରଙ୍କ ତଥ୍ୟ ଅନୁଯାୟୀ ରେଳବାଇର ବିକାଶ ଦକ୍ଷିଣ ଓ ଉତ୍ତରକୁ ହୋଇଥିଲା । ୧୮୯୫ ମସିହାରେ ବ୍ରହ୍ମପୁର ରେଲେୱ ଷ୍ଟେଶନରେ ଯାତ୍ରୀବାହୀ ଟ୍ରେନ ପହଞ୍ଚିଥିଲା । ଏହି ସମୟରେ ଆନ୍ଧ୍ରପ୍ରଦେଶକୁ ଯିବା ପାଇଁ ଗୋଦାବରୀ ନଦୀରେ ପୋଲ ହୋଇ ନ ଥିଲା । ଗୋଦାବରୀ ନଦୀର ଦୁଇ ପାଶ୍ୱର୍ରେ ଇଷ୍ଟ ଗୋଦାବରୀ ଓ ୱେଷ୍ଟ ଗୋଦାବରୀ ନାମରେ ଦୁଇଟି ଷ୍ଟେସନ ଥିଲା । ସେତେବେଳର ବଡ଼ ଲାଟ ୧୯୦୪ରେ ଲଡ କର୍ଜନ ଗୋଦାବରୀ ନଦୀରେ ବ୍ରିଜ ଉଦଘାଟନ କରି ବ୍ରହ୍ମପୁର ରେଳ ଷ୍ଟେସନରେ ଗୋଟିଏ ମିନିଟ ରହି ରମ୍ଭାରେ ରାତ୍ରୀ ଯାପନ କରିଥିଲେ । ଫଳରେ ଗୋଦାବରୀ ଓ ଆନ୍ଧ୍ରପ୍ରଦେଶକୁ ଟ୍ରେନ ଲାଇନ ସଂଯୋଗ ହୋଇ ପାରି ଥିଲା । ଇତିହାସ ପୃଷ୍ଠାରୁ ଜଣାଯାଏ କବିବର ରାଧାନାଥ ରାୟଙ୍କ ପୁତ୍ର ଶଶିଭୂଷଣ ରାୟ କଟକରୁ ଶଗଡ଼ ଗାଡ଼ିରେ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ ଧରିଥିଲେ । ଏହି ପୁରୁଣା ଇତିହାସରୁ ଜଣାଯାଏ ରେଳବାଇର ବିକାଶ ଦକ୍ଷିଣରୁ ଉତ୍ତରକୁ ଯାଇଥିଲା ଏବଂ ୧୮୯୫ରେ ଓଡ଼ିଶାର ବ୍ରହ୍ମପୁର ଷ୍ଟେସନରେ ପ୍ରଥମ ପାସେଞ୍ଜର ଗାଡ଼ି ଯାତ୍ରା କରିବା ଉଲ୍ଲେଖ ଥିଲେ ମଧ୍ୟ ଆଜି ଓଡ଼ିଶାର ପ୍ରଥମ ରେଳ ଷ୍ଟେସନ ବିକାଶ କ୍ଷେତ୍ରରେ ପଛୁଆ ହୋଇ ରହିଛି ବୋଲି ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଆବାହକ ଉଦବେଗ ପ୍ରକାଶ କରିଛନ୍ତି । କେବଳ ରାଜନୈତିକ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଓଡ଼ିଶାର ପ୍ରଥମ ରେଲେୱ ଷ୍ଟେଶନ ଅବହେଳିତ ହୋଇ ରହିଛି ବୋଲି ରଥ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା