ଦାମୋଦରପୁର ଗ୍ରାମର ମହିଳା ପାନୀୟଜଳ ସମସ୍ୟାକୁ ନେଇ ଜାତୀୟ ରାଜପଥକୁ କଲେ ଅବରୋଧ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମର ମହିଳାମାନେ ପାନୀୟ ଜଳ ସମସ୍ୟାକୁ ନେଇ ଗରା ମାଠିଆ ଧରି ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ କିଛି ସମୟ ପାଇଁ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାନ ବାହାନ ରାସ୍ତାରେ ଅଟକି ରହିଥିଲା । ସ୍ଥାନୀୟ ଥାନାରେ ଅଧିକାରୀ ସୁଦାମ ମଲିକ ପହଞ୍ଚି ମହିଳାମାନଙ୍କୁ ବୁଝାଇବା ଏବଂ ଜନସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ମହିଳାମାନେ ରାସ୍ତା ଅବରୋଧରୁ ହଟିଥିଲେ । ସୁଚନା ଅନୁଯାୟୀ ୫ ଦିନ ହେଲା ୧୧ ନମ୍ବର ୱାର୍ଡର ଅନେକ ପରିବାର ପାନୀୟଜଳ ଆଦୌ ପାଉନଥିବା ବେଳେ ପୂର୍ବରୁ ବିଭିନ୍ନ ସମୟରେ ପାନୀୟଜଳ ସମସ୍ୟା ଜଟିଳ ହୋଇପଡୁଥିବା ଯୋଗୁଁ ଗ୍ରାମରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି । ଏପରିକି ବିଭିନ୍ନ ସମୟରେ ଗ୍ରାମର ମହିଳାମାନେ ଏନ ଏ ସି କତ୍ତୃପକ୍ଷ, ଛତ୍ରପୁର ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ ଦୌଡ଼ିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଏହି ମହିଳାମାନେ ଅଭିଯୋଗ କରିଛନ୍ତି । ପ୍ରତିଶୃତି ଅନୁଯାୟୀ ଅପରାହ୍ନରେ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ପଟ୍ଟନାୟକ, ସ୍ଥାନୀୟ ଥାନାରେ ଅଧିକାରୀ ସିଡିଏମ ମଲିକ କନିଷ୍ଟ ଯନ୍ତ୍ରୀ ଆଶିଷ କୁମାର ବରାଳ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା କରିବା ସହ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଅପରାହ୍ନରେ ଜଳ ଛଡା ଯାଇଥିଲେ ମଧ୍ୟ ମଟର ବ୍ୟବହାର ଯୋଗୁଁ ଠିକ ଭାବେ ପାଣି ଆସିନଥିଲା । ଯାହାକୁ ନେଇ ବିଦ୍ୟୁତ ବିଛିନ୍ନ କରି ଜଳ ଛଡା ଯିବା ନିମନ୍ତେ ନିଷ୍ପତି ନେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଅନ୍ୟ ପଟେ ଋଷିକୂଲ୍ୟା ନଦୀପଟରେ ରହିଥିବା ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇପାରୁନଥିବା ଅଭିଯୋଗ କରିଥିଲେ । ଗ୍ରାମରେ ଦ୍ୱିତୀୟ ଜଳଭଣ୍ଡାର ନିର୍ମାଣ ହୋଇପାରିଲେ ଗ୍ରାମରେ ବାସ କରୁଥିବା ପ୍ରାୟ ୪୦୦ରୁ ଉର୍ଦ୍ଧ ପରିବାର ଠିକ ଭାବେ ପାନୀୟଜଳ ପାଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଯାହାକୁ ନେଇ ଗ୍ରାମବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଭାଗୀୟ କତ୍ତୃପକ୍ଷ ଜନ ପ୍ରତିନିଧି ପଦକ୍ଷେପ ନେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା