ଦାମ ରାଉତଙ୍କ ରାବଣ ପୋଡି ମଞ୍ଚ ଭାଙ୍ଗି ଦେଲା ପୋଲିସ ପ୍ରଶାସନ:କହିଲେ ଥାର୍ଡ଼ଫ୍ଲୋର ଇଙ୍ଗିତରେ ଏହାହେଲା…

ଜଗତସିଂହପୁର (ସମୃଦ୍ଧ ଓଡିଶା) ଜଗତସିଂହପୁର ଜିଲ୍ଲାର ଏରସମାରେ ଚଳିତବର୍ଷ ରାବଣପୋଡ଼ିକୁ ନେଇ ରାଜନୀତି ଜୋର ଧରିଛି । ଏରସମାର ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ଦୀର୍ଘ ୩୫ ବର୍ଷ ହେଲା ରାବଣପୋଡ଼ି କରୁଆସୁଥିବା ବିଧାୟକ ଦାମୋଦର ରାଉତଙ୍କୁ ପ୍ରଶାସନ ଅନୁମତି ନଦେଇ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅନୁମତି ଦେବା ପରେ ଏହି ବିବାଦର ସୂତ୍ରପାତ ହୋଇଛି । ସେପଟେ ପୁଲିସ ଉପସ୍ଥିତିରେ ପଡ଼ିଆରେ ଦାମଙ୍କ ପାଇଁ ତିଆରି ହୋଇଥିବା ମଞ୍ଚକୁ ପ୍ରଶାସନ ଭାଙ୍ଗି ଦେଇଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଜଗତସିଂହପୁର ରାଜନୀତି ପୁଣି ଉଷ୍ମ ହେବାରେ ଲାଗିଛି । ସୂଚନାଯୋଗ୍ୟ ଯେ ଦାମ ଏହି ପଡ଼ିଆରେ ଗତ ୩୫ ବର୍ଷ ହେଲା ରାବଣପୋଡ଼ି କରି ଆସୁଥିଲେ । ଏପରିକି ପ୍ରଶାନ୍ତ ମୁଦୁଲି ବାଲିକୁଦା-ଏରସମା ବିଧାୟକ ହେବା ପରେ ମଧ୍ୟ ଦାମ ଏଠାରେ ରାବଣପୋଡ଼ି କରୁଥିଲେ । ହେଲେ ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ଏଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ କରିବାକୁ ଦିଆଯାଇନାହିଁ । ଦାମଙ୍କୁ ଅନୁମତି ଦିଆ ନଯିବା ପ୍ରସଙ୍ଗରେ ଗତକାଲି ପ୍ରଶାସନ ପ୍ରତିକ୍ରିୟା ରଖିଥିଲା । ପ୍ରଶାନ୍ତ ରାବଣପୋଡ଼ି ପାଇଁ ଆଗୁଆ ଅନୁମତି ମାଗିଥିବାରୁ ଦାମଙ୍କୁ ଅନୁମତି ଦିଆଯାଇ ନଥିବା ପ୍ରଶାସନ ସଫେଇ ଦେଇଥିଲା । ହେଲେ ଆଜି ଦାମଙ୍କ ମଞ୍ଚ ଭଙ୍ଗାଯିବା ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ । ଅପରପକ୍ଷରେ ଏହାକୁ ନେଇ ଦାମଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାକୁ ନେଇ ଦାମ ଏବଂ ପ୍ରଶାନ୍ତଙ୍କ ଗୋଷ୍ଠୀ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଅନ୍ୟପକ୍ଷରେ ଆମ ପାରାଦୀପ ପ୍ରତିନିଧି ଜଣାଇଛନ୍ତି ଯେ ଜଗତସିଂହପୁର ଜିଲ୍ଲା ଏରସମାରେ ରାବଣପୋଡ଼ିକୁ ନେଇ ମୁହାଁମୁହିଁ ହୋଇଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି । ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ଉତ୍ସବ ପାଇଁ ଏଥର ଦାମଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ପ୍ରଶାସନର ଏଭଳି ପଦକ୍ଷେପର ଜବାବରେ ଦାମ କହିଛନ୍ତି, ଶାସକ ଦଳରେ ରାବଣ ମାଳମାଳ । ସେହି ରାବଣମାନଙ୍କ କ୍ୟାପ୍‌ଟେନ୍‌ ହେଉଛନ୍ତି ନବୀନ ପଟ୍ଟନାୟକ।ସେ କହିଛନ୍ତି-“୧୯୭୪ ମସିହା ପର୍ଯ୍ୟନ୍ତ ଏରସମାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯାଉନଥିଲା । ମୁଁ ଗଲା ପରେ ରଥଯାତ୍ରା, ଦୁର୍ଗା ପୂଜା, କାଳି ପୂଜା, କୁଞ୍ଜ ମେଲଣ, ରଜ ମହୋତ୍ସବ ହେଉଛି । ଚଳିତବର୍ଷ ରାବଣପୋଡ଼ି ୨୫ ବର୍ଷରେ ପଦାର୍ପଣ କରିଛି । ପ୍ରଶାନ୍ତ ମୁଦୁଲ ବିଧାୟକ ହେବାକୁ ୯ ବର୍ଷ ପୂରିଲାଣି । ହେଲେ ସେ କେବେ ହେଲେ ରାବଣ ପୋଡ଼ି କଥା କହୁନଥିଲେ । କିନ୍ତୁ ଚଳିତ ବର୍ଷ ମୋତେ ରାବଣପୋଡ଼ି କରାଇ ନଦେବାକୁ ପ୍ରଶାନ୍ତ ମୁଦୁଲି ପ୍ରଶାସନକୁ ଲେଖିଛନ୍ତି ।” ସେ ଆହୁରି କହିଛନ୍ତି-“ଦଶହରା ବେଳେ ରାବଣପୋଡ଼ି ହୋଇଥାଏ । ଏହା ଏକ ସାମାଜିକ ଉତ୍ସବ । ରାବଣପୋଡ଼ି ଉତ୍ସବ ସ୍ଥାନୀୟ ପିଲାମାନେ ଆୟୋଜନ କରନ୍ତି । ମୁଁ ସେମାନଙ୍କୁ ସାହାଯ୍ୟ କରେ । ସବୁବର୍ଷ ପରି ଚଳିତବର୍ଷ ରାବଣପୋଡ଼ି କରିବା ପାଇଁ ପିଲାମାନେ ତହସିଲଦାରଙ୍କଠାରେ ଅନୁମତି ଲୋଡ଼ିଥିଲେ । ତହସିଲଦାର ୪୦୦୦ ଟଙ୍କା ନେଇ ପଡ଼ିଆ ପାଇଁ ଅନୁମତି ଦେଇଥିଲେ । ପରେ ମାଇକ୍‌ ବଜାଇବା ପାଇଁ ଏଡିଏମ୍‌ଙ୍କଠାରୁ ଅନୁମତି ମାଗିଥିଲେ । ଏଡିଏମ୍‌ ଏନେଇ ସ୍ଥାନୀୟ ଥାନାଧିକାରୀଙ୍କୁ ରିପୋର୍ଟ ମାଗିଥିଲେ । ମାତ୍ର ଥାନାଧିକାରୀ ରିପୋର୍ଟ ଦେଲେନି । ତେଣୁ ତହସିଲଦାର ପଡ଼ିଆ ଅନୁମତି ରଦ୍ଦ କରିବା ସହିତ ଜମା କରିଥିବା ଟଙ୍କା ନେଇ ଯିବାକୁ ଚିଠି ଲେଖିଲେ । ଏହା ପରେ ଗାଁ ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ଶେଷରେ ୨୦୦ରୁ ଅଧିକ ଲୋକ ଦସ୍ତଖତ ସମ୍ୱଳିତ ଦରଖାସ୍ତ ପୁଲିସକୁ ଦେଲେ । ମାତ୍ର ପୋଲିସ ସେମାନଙ୍କ ଦରଖାସ୍ତ ଗ୍ରହଣ କଲେନାହିଁ ।” ସେ ଆହୁରି କହିଛନ୍ତି- “ରାବଣପୋଡ଼ି ପାଇଁ ବ୍ୟକ୍ତିଗତ ଜମିରେ ଏକ ମଞ୍ଚ ତିଆରି କରାଯାଇଥିଲା । ଆଜି ସକାଳେ ପୁଲିସ ଫୋର୍ସ ଲଗାଇ ସେହି ମଞ୍ଚଟିକୁ ଭାଙ୍ଗି ଦେଇଛି। ଏଠାରେ ରାବଣ ନୋଡ଼ି ହୋଇପାରିବ ନାହିଁ, ୨୦ ତାରିଖରେ ପ୍ରଶାନ୍ତ ମୁଦୁଲି କରିବେ ବୋଲି ପୁଲିସ କହିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଥାନାରେ ବସିଥିବା ଖବର ପାଇଛି ।” ଦାମ କହିଛନ୍ତି-“ମଞ୍ଚ ଭଙ୍ଗାଯିବା ନେଇ ଜଣେ ପୁଲିସ ଅଫିସର୍‌ଙ୍କୁ ଫୋନ୍‌ କରିଥିଲି । ସେ କହିଲେ, ଘଟଣା ସମାଧାନ ପାଇଁ ଉଦ୍ୟମ କରିଥିଲୁ । ମାତ୍ର ତୃତୀୟ ମହଲାରୁ ନିର୍ଦ୍ଦେଶ ଆସିଥିବାରୁ ଆମେ ଆଉ କ’ଣ କରିବୁ ବୋଲି ପୁଲିସ ଅଫିସର ଜଣକ କହିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି- କେଉଁଠି ରାବଣପୋଡ଼ି ହେବ, ତାହା ତୃତୀୟ ମହଲା ଦେଖୁଛି ।” ବିଜେଡିର ପ୍ରତିକ୍ରିୟା:ଦାମଙ୍କ ମନ୍ତବ୍ୟର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି-“ଦାମ ଦଳରୁ ବହିଷ୍କୃତ ହେବା ପରେ ଅନେକ ମନଗଢା କଥା କହୁଛନ୍ତି । ତାଙ୍କ କଥା ଓ କାର୍ଯ୍ୟ ଭିତରେ ଦି ପଇସାର ସାମଞ୍ଜସ୍ୟ ନାହିଁ । ତାଙ୍କ କଥାରେ କିଛି ମାନେ ନାହିଁ । ୨୦୧୯ରେ ଜନସାଧାରଣ ପ୍ରମାଣ କରିବେ କିଏ ରାମ କିଏ ରାବଣ ?”