

ଦିଗପହଣ୍ଡିି (ସମୃଦ୍ଧ ଓଡିଶା) ଦିଗପହଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢୀ ଠାକୁରାଣୀଙ୍କ ବାର୍ଷିକ ଶାରଦୀୟ ଯାତ୍ରା ଉତ୍ସବ ଚାଲିଥିବା ବେଳେ ସହର ଚଳଚଞ୍ଚଳ ଏବଂ ଉତ୍ସବ ମୁଖର ହୋଇ ଉଠିଛି । ସପ୍ତମ ଦିନର ଯାତ୍ରା ଉତ୍ସବରେ ପଡୋଶୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ରାଣୀ ସାହି ସ୍ଥିତ ଦୂର୍ଗା ପୂଜା ମଣ୍ଡପରେ ମାଁ ଦେବୀ ଦୂର୍ଗାଙ୍କୁ ଦର୍ଶନ ପୂଜାର୍ଚ୍ଚନା ଆଦି କରିବା ପରେ ବଜାର ସାହିରେ ଅସ୍ଥାୟୀ ମଣ୍ଡପରେ ପୂଜା ପାଉଥିବା ମାଁ ବୁଢୀ ଠାକୁରାଣୀଙ୍କୁ ଦର୍ଶନ ଏବଂ ଭୋଗରାଗ ପୂଜାର୍ଚ୍ଚନା ଆଦି କରିଥିଲେ । ଯାତ୍ରା ପରିଚାଳନା କମିଟିଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ସମସ୍ତ ଆତିଥ୍ୟ ଚର୍ଚ୍ଚା କରାଯାଇଥିଲା । ସାଥିରେ କଂଗ୍ରେସର ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ଏବଂ କଂଗ୍ରେସ ଯୁବ ନେତା ଚିନ୍ମୟ କୁମାର ହୋତାଙ୍କ ସହିତ ବହୁ କଂଗ୍ରେସ ସମର୍ଥକ ଯୁବ ନେତା ମଧ୍ୟ ସାମିଲ ରହିଥିଲେ । ତେବେ ୬ ବର୍ଷ ବ୍ୟବଧାନ ପରେ ପୁଣି ଥରେ ଦିଗପହଣ୍ଡି ସହରରେ ଯାତ୍ରା ଉତ୍ସବ ଆଳରେ ରମେଶଙ୍କ ପ୍ରବେଶକୁ ନେଇ ରାଜନିତୀ ସମୀକ୍ଷକମାନେ ବିଭିନ୍ନ ପ୍ରକାର ମତ ରଖିଛନ୍ତି । ରମେଶ ନିଜ ସମର୍ଥକଙ୍କ ସହିତ ଦିଗପହଣ୍ଡି ଆସିଥିବା ବେଳେ ଦିଗପହଣ୍ଡିରେ ମଧ୍ୟ ତାଙ୍କର ବହୁ ପ୍ରଶଂସକ ରହିଥିବା ଦେଖିବାକୁ ମିଳିଥିଲା । ଯାତ୍ରା ପରିଚାଳନା କମିଟି ଏବଂ ରମେଶଙ୍କ ଆତିଥ୍ୟ ସହକାର ଦେଖିଲେ ଯେ କେହିବି ତାଜୁବ ହୋଇପଡିବ । ଫୁଲ ତୋଡା ଦେଇ ବିଜେଡି ସମର୍ଥକମାନେ ଯାତ୍ରା ମଣ୍ଡପକୁ ପାଛୋଟି ନେବା ପରେ ଆୟୋଜିତ ମନୋରଞ୍ଜନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା । ସପ୍ତମ ଦିନରେ ରମେଶ ଏକ ଆକର୍ଷକ ପାଲଟିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ପ୍ରକାଶ ଯେ, ଦିଗପହଣ୍ଡି ସହରରେ କଂଗ୍ରେସ ଏବେ ସୁପ୍ତ ପ୍ରାୟ ହୋଇଯାଇଥିବା ବେଳେ ସମ୍ପ୍ରତ୍ତି ପୁଣି ମଜବୁତ ହେବାରେ ଲାଗିଥିବା ପରିଲକ୍ଷିତ ହୋଇଛି । ଉତ୍ସବ ଆଳରେ ହେଉ କିମ୍ବା ଅନ୍ୟାନ୍ୟ ଗତ ସାଧାରଣ ନିର୍ବାଚନ ଫଳାଫଳକୁ ପରଖିଲେ ଦିଗପହଣ୍ଡି ଏନଏସିରେ ବିଜେଡିର ପକେଟ୍ ଭୋଟ କମିଯାଇଥିବା ଜଣାପଡେ । ଆଗକୁ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ରହିଛି । ଏଭଲି ପରିସ୍ଥିତିରେ ବିଜେଡି ପକ୍ଷରୁ ଭୋଟ ବ୍ୟାଙ୍କ୍ ବର୍ଦ୍ଧିତ କରିବାକୁ ଜୋର୍ ଦିଆନଗଲେ ଆଗକୁ ଘାଟ ପଡିପାରେ ବୋଲି ସମାଲୋଚନା ହେଉଛି । କେବଳ ମାଁ ବୁଢୀ ଠାକୁରାଣୀ ଯାତ୍ରାରେ ରମେଶ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆମନ୍ତ୍ରିତ ହୋଇ ଯାଇଥିବା ବେଳେ ପୂର୍ବରୁ ବହୁବାର କଂଗ୍ରେସ କାର୍ଯ୍ୟାଳୟ ଗୁଡିକୁ ବିଭିନ୍ନ ସମୟରେ ରମେଶ ଆସି ଫେରିଛନ୍ତି । ହେଲେ ସବୁ ଥର ରମେଶଙ୍କ ଦିଗପହଣ୍ଡି ଗସ୍ତରେ କିନ୍ତୁ ବହୁ ଯୁବ ପିଢୀ ଆକୃଷ୍ଟ ହୋଇ ଆଗେଇ ଆସୁଥିବା ପରିଲକ୍ଷିତ ହେଉଛି । ଭିତିରିଆ ଭାବେ ଦିଗପହଣ୍ଡି ଗଡରେ କଂଗ୍ରେସକୁ ଦୃଢୀ ଭୂତ କରିବା ପାଇଁ ରମେଶ ପ୍ରୟାଶ ଆରମ୍ଭ କରିଦେଇଥିବା ବେଳେ ବିଜେଡି ପକ୍ଷରୁ ଏହାକୁ ଗୁରୂତ୍ୱାରୋପ ଦିଆନଗଲେ ଏହା ଆଗକୁ ବିଷମ ସମସ୍ୟା ସୃଷ୍ଟି କରିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଦଳ ମଧ୍ୟରେ ଆନ୍ତଃ କନ୍ଦଳ ଏବଂ ମନୋମାଳିନ୍ୟର ସୁଯୋଗ ନେଇ ପଡୋଶୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଦିଗପହଣ୍ଡିରେ ପ୍ରବେଶ କରିବା ସହ ନିଜର ପ୍ରଶଂସକ ବୃଦ୍ଧି କରୁଛନ୍ତି ବୋଲି ପ୍ରାକ୍ତନ ଏନଏସି ଉପାଧକ୍ଷ ତଥା ବିଜେଡି ନେତା ପ୍ରଦୀପ୍ତ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅନ୍ୟପକ୍ଷରେ ବାଚସ୍ପତି ହେବା ପରଠାରୁ ଦଳୀୟ ଏବଂ ସାଙ୍ଗଠନିକ ସମସ୍ତ କାର୍ଯ୍ୟରୁ ଦୂରେଇ ରହିଥିବାରୁ ଦିଗପହଣ୍ଡିରେ ରମେଶଙ୍କ ଯାତ୍ରା ଉତ୍ସବରେ ଯୋଗଦାନକୁ ନେଇ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ସ୍ଥାନୀୟ ବିଧାୟକ ତଥା ବିଧାନ ସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୧୩ ଏନଏସି ନିର୍ବାଚନରେ ବିଜେଡି ୬ ଏବଂ କଂଗ୍ରେସ ୫ ଗୋଟି ୱାର୍ଡ ଦଖଲ କରିଥିବା ବେଳେ ବିଜେଡି ଏନଏସି କବ୍ଚା କରିଥିଲା । ସେହିପରି ଗତ ୨୦୦୮ ନିର୍ବାଚନରେ ବିଜେଡି କେବଳ ଗୋଟିଏ ୱାର୍ଡରେ ଖାତା ଖୋଲିଥିବା ବେଳେ କଂଗ୍ରେସ ୭ଟିରେ, ବିଜେପି ୨ଟିରେ ଏବଂ ବାମଦଳ ଗୋଟିଏ ୱାର୍ଡରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ଏନଏସି ଦଖଲ କରିପାରିଥିଲା । ୨୦୦୮ ମସିହାରୁ ୨୦୧୩ ପାଞ୍ଚ ବର୍ଷ ଯାଏଁ ବିଜେଡି ଅକ୍ଲାନ୍ତ ପରିଶ୍ରମ କରି ନିଜର ସ୍ଥିତି ବଜାର ରଖିବାରେ ସକ୍ଷମ ହୋଇପାରିଥିଲା । ହେଲେ ସାମ୍ପ୍ରତ୍ତିକ ପରିସ୍ଥିତିକୁ ଦେଖିଲେ ଆସନ୍ତା ନିର୍ବାଚନ ମାହୋଲ କଣ ରହିବ ସେଥିନେଇ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଗଲାଣି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବୁରୋଚିଫ ନିମାଇଁ ଚରଣ ପଣ୍ଡା