
ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସରକାରୀ ନିୟମାନୁଯାୟୀ ଆପଣ ଯଦି ଗ୍ୟାସ୍ ଗୋଦାମରୁ ସିଲିଣ୍ଡର୍ ଗ୍ୟାସ୍ ଆଣୁଛନ୍ତି ତାହାଲେ ସେତେବେଳେ ଗ୍ୟାସ୍ ଏଜେନ୍ସି ଆପଣଙ୍କୁ ଯିବା ଆସିବା ଖର୍ଚ୍ଚ ଦେବାକୁ ବାଧ୍ୟ । ଆଉ ଗ୍ୟାସ୍ ସିଲିଣ୍ଡର୍ ଆଣିଲେ ଆପଣ ଏଜେନ୍ସି ଠାରୁ ୧୯ ଟଙ୍କା ୫୦ ପଇସା ପାଇପାରିବେ । ଯଦି ଏଜେନ୍ସି ଏହି ଟଙ୍କା ଦେଉନାହାନ୍ତି ତାହାଲେ ୧୮୦୦୨୩୩୩୫୫୫ ନିଃଶୁଳ୍କ ନଂରେ ଅଭିଯୋଗ କରି ଅଭିଯୋଗ ଦାଖଲ କରିପାରିବେ । ଏହା ରହିଛି ବୈଧ୍ୟତାମୂଳକ । ହେଲେ ଏହାକୁ ଦିଗପହଣ୍ଡି ସହରରେ ରହିଥିବା ଆର୍.ସି.ଗ୍ୟାସ୍ ଏଜେନ୍ସି ଖିଲାପ୍ କରୁଥିବା ଅଭିଯୋଗ ହୋଇଛି । ନିୟମାନୁଯାୟୀ ସହର ମଧ୍ୟରେ ଗ୍ୟାସ୍ ହିତାଧିକାରୀମାନଙ୍କୁ ମାଗଣାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାକୁ ନିୟମ ରହିଥିବା ବେଳେ ତାହା ହେଉନାହିଁ । ବରଂ ଡାଲା ଅଟୋ କିମ୍ବା ରିକ୍ସାରେ ସିଲିଣ୍ଡର ହିତାଧିକାରୀମାନଙ୍କୁ ଯୋଗାଇଦେବା ସହିତ ଗିତାଧିକାରୀମାନଙ୍କ ଠାରୁ ୨୦ରୁ ୩୦ ଟଙ୍କା ଯାଏଁ ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି । ସରକାରୀ ନିର୍ଦ୍ଦେଶାନାମା ସତ୍ତେ୍ୱ ଏଭଳି ବ୍ୟତିକ୍ରମ ଯୋଗୁଁ ସହରରେ ଗ୍ୟାସ୍ ଉପଭୋକ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ଅଭିଯୋଗ କରିଲେ ମଧ୍ୟ କେହି ମଧ୍ୟ କର୍ଣ୍ଣପାତ କରୁନଥିବାରୁ ଉପଭୋକ୍ତା ମାନେ ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସିଙ୍କ ଚାନ୍ଦା ଜୁଲୁମ୍କୁ ଆପଣେଇନେଇଥିବା ସମାଲୋଚନା ହେଉଛି । ପ୍ରକାଶ ଯେ, ବିଭିନ୍ନ ସମୟରେ ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଁ ସମ୍ପ୍ରତ୍ତି ଆକାଶ ଛୁଆଁ ହୋଇଗଲାଣି । ଆଜିର ଦିନରେ ୧୪.୨ କେ.ଜି. ବିଶିଷ୍ଟ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦର ୭୮୭ ଟଙ୍କା ରହିଛି । ଡିବିଟିଏଲ୍ କ୍ୟାସ୍ ଟ୍ରାନ୍ସଫର୍ ମାଧ୍ୟମରେ ଉପଭୋକ୍ତା ଉକ୍ତ ଟଙ୍କା ପୈଠ କରିବା ପରେ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟ୍କୁ ୨୭୦ ଟଙ୍କା ୧୩ ପଇସା ସବ୍ସିଡି ଆକାରରେ ଆସିଥାଏ । ସେହିପରି ୧୯ କେ.ଜି. କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର୍ ୧୪୪୦ ଟଙ୍କା , ୫ କେଜିଆ ନନ୍ ସବସିଡି ଗ୍ୟାସ୍ ସିଲିଣ୍ଡର୍ ୪୧୧ ଟଙ୍କା ୫୦ ପଇସା ରହିଥିବା ବେଳେ ୫ କେ.ଜି. ଘରୋଇ ଗ୍ୟାସ୍ ସିଲିଣ୍ଡର୍ର ଦର ୨୯୧ଟଙ୍କା ୫୦ ପଇସା ରହିଛି । ସେଥିରୁ ୯୭ ଟଙ୍କା ୬୨ ପଇସା ସବ୍ସିଡି ଉପଭୋକ୍ତାଙ୍କୁ ବ୍ୟାଙ୍କ୍ ଆକାଉଣ୍ଟରେ ଫେରସ୍ତ କରାଯିବାର ବୈଧ୍ୟତା ରହିଛି । ହେଲେ ଉକ୍ତ ବର୍ଦ୍ଧିତ ଗ୍ୟାସ୍ ଦର ଜିଏସିଟି ଯୁକ୍ତ ହୋଇ ଆସୁଥିବା ବେଳେ ଦିଗପହଣ୍ଡି ସହରରେ ପୁନଶ୍ଚ ଗ୍ୟାସ୍ ଏଜେନ୍ସି ପକ୍ଷରୁ ଟ୍ରାନ୍ସରପୋର୍ଟେସନ୍ ନାମରେ ଲୋକଙ୍କ ଠାରୁ ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ସହର ମଧ୍ୟରେ ଲୋକଙ୍କୁ ମାଗଣା ଏବଂ ସୁବିଧାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାକୁ ନିୟମ ରହିଥିବା ବେଳେ ଲୋକଙ୍କ ଘରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବାର ଆଳ ଦେଖାଇ ଅଧିକା ସିଲିଣ୍ଡର୍ ପିଛା ଉପଭୋକ୍ତାଙ୍କ ଠାରୁ୨୦ରୁ ୩୦ ଟଙ୍କା ଅର୍ଥ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ସେହିପରି ଉପଭୋକ୍ତା ମାନେ ନିଜେ ଯାଇ ଗ୍ୟାସ୍ ଡିପୋରୁ ଗ୍ୟାସ୍ ସିଲିଣ୍ଡର୍ ଆଣିଲେ ମଧ୍ୟ ସରକାରୀ ନିୟମକୁ ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି । ଉପଭୋକ୍ତାଙ୍କୁ ସରକାରୀ ନିୟମାନୁଯାୟୀ ଉକ୍ତ ୧୯ ଟଙ୍କା ୫୦ ପଇସା ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସି ପକ୍ଷରୁ ଯୋଗାଇଦିଆଯାଉନଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଉଛି । ବିଭିନ୍ନ ସମୟରେ କଥା କଟାକଟି ହୋଇ ହୋହାଲ୍ଲା ହେଉଥିଲେ ହେଁ ଏନେଇ କୌଣସି ପ୍ରକାର ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି । ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲା ପ୍ରଶାସନ ପକ୍ଷରୁ ଗ୍ୟାସ୍ ଏଜେନ୍ସି ଏବଂ ଡିପୋ ସ୍ଥାପିତ ହେବା ଦିନରୁ କୌଣସି ଗୋଟିଏ ଦିନ ମଧ୍ୟ ପରିଦର୍ଶନରେ ଆସି କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସିର ମୁହଁ ବଢିଯାଇଛି ବୋଲି ସାଧାରଣରେ ସମାଲୋଚନା ହେଉଛି । ବିଭିନ୍ନ ସମୟରେ ସମ୍ପୃକ୍ତ ଗ୍ୟାସ୍ ଏଜେନ୍ସିଠାରୁ ଉପଭୋକ୍ତା ମାନେ ନକରାତ୍ମକ ଏବଂ ଅସନ୍ତୋଷଜନକ ଉତ୍ତର ପାଇ ଫେରିଯାଉଥିବା ବେଳେ ଏଦିଗରେ ବିଧିବଦ୍ଧ ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରାଯିବ ବୋଲି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ନୀଳାଞ୍ଚଳ ରଥ, ଚନ୍ଦନ କୁମାର ପଣ୍ଡା, ନୃସିଂହ ଚରଣ ବେହେରା, ମନୋଜ ସାହୁ ପ୍ରମୁଖ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା