

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବିଜ୍ଞାପିତ ପରିଷଦ (ଏନଏସି) ପକ୍ଷରୁ ଗୁରୁବାର ସହରର ବିଭିନ୍ନ ଦୋକାନ ବଜାର ଉପରେ ଅତର୍କିତ ଚଢାଉ କରାଯାଇଥିଲା । ୧ କ୍ୱିଣ୍ଟାଲ୍ରୁ ଉଦ୍ଧ୍ୱର୍ ବେଆଇନ ପାଣି ପାଉଚ୍ ଓ ପଲିଥିନ୍ ଜବତ କରାଯିବା ସହିତ ୯ ହଜାର ୫ଶହ ଟଙ୍କା କରିମାନା ଆଦାୟ କରାଯାଇଥିଲା । ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ନେତୃତ୍ୱର ଏହି ଚଢାଉରେ ଏନଏସି କର୍ମଚାରୀ ସନ୍ତୋଷ ପାଢୀ, ସନ୍ତୋଷ ମହାନ୍ତି, ପ୍ରଭାକର ମେକାପ, ବି.ସାହେବ ରେଡ୍ଡି ଓ ହରିକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଢାଉ କାର୍ଯ୍ୟରେ ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ ଓ ନୀଳାଞ୍ଚଳ ରଥଙ୍କ ସମେତ ସମସ୍ତ ସଦସ୍ୟ ସାମିଲ ହୋଇ ପଲିଥିନ୍ ମୁକ୍ତ ଏନଏସି ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଗତ ଗାନ୍ଧୀ ଜୟନ୍ତୀ ଠାରୁ ସମସ୍ତ ଏନଏସି ଓ ପୌରାଞ୍ଚଳରେ ପଲିଥିନ୍ ବ୍ୟବହାର ନିଷେଦ୍ଧାଦେଶ ଜାରି କରାଯାଇଥିବା ବେଳେ ଦିଗପହଣ୍ଡି ସହରରେ ବହୁଳ ପରିମାଣର ପଲିଥିନ୍ ଓ ପାଣି ପାଉଚ୍ କାରବାର ହେଉଥିବା ଦେଖିବାକୁ ମିଳିଛି । ଯାହାର ନଜିର ଗୁରୁବାର ସକାଳେ ହୋଇଥିବା ଅତର୍କିତ ଚଢାଉରେ ଦେଖିବାକୁ ମିଳିଛି । ବାରମ୍ବାର ଏନଏସି ପ୍ରଶାସନ ପକ୍ଷରୁ ସଚେତନତା କରିବା ସତ୍ତେ୍ୱ ମଧ୍ୟ ପଲିଥିନ୍ ଏବଂ ପାଣି ପାଉଚ ବ୍ୟବହାର କମୁନଥିବାରୁ ଗୁରୁବାର ଅତର୍କିତ ଚଢାଉ କରାଯାଇଛି ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଡାକୁଆ କହିଛନ୍ତି । ସେହିପରି ପ୍ରତ୍ୟେକ ସପ୍ତାହରେ ଅତର୍କିତ ଭାବେ ଚଢାଉ କରି ପଲିଥିନ୍ ଓ ପାଣି ପାଉଚ ଜବତ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି । ପଲିଥିନ୍ ବ୍ୟବହାରରେ ସୁଧାର ନଆସିଲେ ଦ୍ୱିତୀୟ ପର୍ଯ୍ୟାୟ ଚଢାଉରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଜଣାଇଛନ୍ତି । ଅନ୍ୟପକ୍ଷରେ କେବଳ ପାଣି ପାଉଚ ନୁହଁ ବରଂ ଦେଶୀ ମଦ ପାଉଚରେ ମଧ୍ୟ ପଲିଥିନ୍ ପାଉଚ ବ୍ୟବହାର ହେଉଛି ସେଥି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀମାନେ ନିଜ ନାମ ଗୋପନ ରଖି ଜଣାଇଛନ୍ତି । ଦେଶୀ ମଦପାଉଚ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ବ୍ୟବସାୟ ସଂଘ ପକ୍ଷରୁ ସ୍ୱର ଉତ୍ତୋଳନ କରାଯିବ ବୋଲି ଜାଣିବାକୁ ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


