
ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଗସ୍ତ କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଏକ କରୋନା ସଚେତନା କାର୍ଯ୍ୟକ୍ରମରେ ଯୋଗଦେଇ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ ।ଏଥିରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତେ କରୋନା ହାରିବ ଗଞ୍ଜାମ ଜିତିବ ବୋଲି ସ୍ଳୋଗାନ ଦେଇଥିବା ଜଣାପଡିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଦିଗପହଣ୍ଡି ବ୍ଲକ ପରିସରରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ସହ ବହୁ ଲୋକ ସୁସ୍ଥ ହୋଇ ଫେରି ଆସୁଛନ୍ତି ବୋଲି କହିଥିଲେ । ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପଞ୍ଚାୟତ ଅଧିକାରୀ ମାନଙ୍କୁ କରୋନାକୁ ଅଣଦେଖା ନ କରି ଆଗାମୀ ଅକ୍ଟୋବର ମାସ ପର୍ଯ୍ୟନ୍ତ ସଚେତନ ରହିବା ସହ କୋଭିଡ କଟକଣା ନିୟମକୁ ମାନି ସମସ୍ତେ ସାମାଜିକ ଦୂରତ୍ବ ବଜାୟ ରଖିବା, ମାସ୍କ ପରିଧାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯାହାଫଳରେ ଗଞ୍ଜାମ ଜିଲ୍ଲାବାସୀ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇ ପାରିବେ ବୋଲି ବକ୍ତବ୍ୟରେ ପ୍ରକାଶ କରି ସମସ୍ତ ପଞ୍ଚାୟତ ଅଧିକାରୀମାନଙ୍କୁ ନିଜ ନିଜ ପଞ୍ଚାୟତର ଜନସାଧାରଣଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବାକୁ ସଚେତନ କରାଇଥିଲେ । ଏହାସହ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀମାନେ ଦୀର୍ଘ ୬ ମାସ ଧରି ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇ ଆସୁଥିବାରୁ ଆଜି ଗଞ୍ଜାମ ଜିଲ୍ଲାରୁ କରୋନା ହ୍ରାସ ପାଇପାରିଛି ବୋଲି କହିବା ସହ ଖୁବ୍ ପ୍ରଶଂସା କରି ଧନ୍ୟବାଦ ଜଣାଇଥିଲେ । ଏହି ସମୀକ୍ଷାରେ ବ୍ଲକ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ, ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବ୍ଲକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ସିଡିପିଓ ଯଶୋବନ୍ତୀ ସାହୁ, ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ, ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି, ବିଭୂତି ଭୂଷଣ ମହାପାତ୍ର, ଉଷାନ୍ତ ସାହୁ, ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା, କୁରେଶୁ ସେଠୀ, ପୂର୍ବତନ ସରପଞ୍ଚ ଅସିତ ସାହୁ ପ୍ରମୁଖ ସହ ବହୁ ପ୍ରଶାସନ ଅଧିକାରୀ, ସରପଞ୍ଚ ଓ କୋଭିଡ ମନିଟର ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲ ପ୍ରତିନିଧି ନିମାଇଁ ଚରଣ ପଣ୍ଡା