

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଥାନାରେ ଗୁରୁବାର ସନ୍ଧ୍ୟାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ବିଶ୍ୱରେ ମହାମାରୀ କରୋନାର ପ୍ରଭାବ ଯୋଗୁଁ ଗତ କିଛିଦିନ ହେଲା ବ୍ରହ୍ମପୁର ସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ ଲାଗି ରହିଛି । ରକ୍ତ ଅଭାବ କାରଣରୁ ଥାଲାସେମିଆ ରୋଗୀ ହଇରାଣ ହେଉଥିବା ଜଣାପଡିଛି । ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଆଇଆଇସି ବସନ୍ତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ଚିକିଟି ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଉଦଘାଟନ କରିିବା ସହ ନିଜେ ରକ୍ତଦାନ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ବହୁ ସଂଖ୍ୟକ ପୋଲିସ କର୍ମଚାରୀଙ୍କ ସମେତ ଆଖପାଖ ଅଞ୍ଚଳର ଯୁବକମାନେ ଶିବିରରେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର ଭ୍ରାମ୍ୟମାଣ ଭ୍ୟାନରେ ଉପସ୍ଥିତ କର୍ମଚାରୀ ମାନଙ୍କ ସହାୟତାରେ ସମୁଦାୟ ୩୦ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ଥାନା ଏସଆଇ ମାଧବ ଚନ୍ଦ୍ର ଟାକରି, ମଧୁସ୍ମିତା ପ୍ରଧାନ, ହାବିଲଦାର ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

