


ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟରେ ଥିବା ଗୋପାଳପୁର ବନ୍ଦର ଠାରେ ରହିଥିବା ଦ୍ୱିତୀୟ ଓ ତୃତୀୟ ବର୍ଥର ଉଦଘାଟନ କରିଛନ୍ତି । ପ୍ରାୟ ୨ହଜାର କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ନୂତନ ବର୍ଥ । ଏହି ବର୍ଥ ହେବା ଫଳରେ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆହୁରି ଅଧିକ ଆଗେଇ ପାରିବ । ଏହା ସହିତ ନୂତନ ଭାବେ ୮ହଜାର ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ । ବନ୍ଦର ଆଭ୍ୟନ୍ତରୀୟ ଅଞ୍ଚଳରେ ଶିଳ୍ପର ବିକାଶ ପାଇଁ ସଙ୍ଗେ ସଙ୍ଗେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ରାଜ୍ୟର ଶିଳ୍ପ ବିକାଶରେ ସହାୟକ ହୋଇପାରିବ । ଏଣୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆଜି ଗୋପାଳପୁର ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଗୋପାଳପୁର ବନ୍ଦରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗୋପାଳପୁର ବନ୍ଦର ଭାରତର ପୂର୍ବତଟରେ ପଣ୍ୟ କାରବାରରେ ଏକ ଅଭୁତ ପୂର୍ବ ଆନ୍ଦୋଳନ ଆଣିବ । ଓଡିଶା ଭିତିଭୂମି ବିକାଶରେ ନୂତନ ଚାପ୍ଟର ଯୋଡି ଦେବ । ଏହି ବନ୍ଦରର ବିକାଶ ଗଞ୍ଜାମ ଜିଲ୍ଲାକୁ ବିଶେଷ ଅର୍ଥନୈତିକ ଲାଭ କରିବ ଏବଂ ଏହା ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ୮ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ରୋଜଗାରର ସୁଯୋଗ ପ୍ରଦାନ କରିବ । ପର୍ଯ୍ୟଟ୍ଟନ ସହିତ ଶିଳ୍ପର ବିକାଶ ନିମନ୍ତେ ଏହି ବନ୍ଦର ଯଥେଷ୍ଟ ସହାୟକ ହୋଇପାରିବ । ୧୯୬୩ମସିହାରେ ବିଜୁ ବାବୁ ପାରାଦୀପ ବନ୍ଦର ପ୍ରତିଷ୍ଠା କରିଥିବା ବେଳେ ତାହାର ଭିଜନ୍ କୁ ଦୃଷ୍ଟିରେ ରଖି ଧାମରା, ସୂବର୍ଣ୍ଣରେଖା ବନ୍ଦର ସହ ଗୋପାଳପୁର ବନ୍ଦର ପ୍ରତିଷ୍ଠା ହୋଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସେହପରି ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଯୋଗଦେଇ କହିଥିଲେ ଯେ ପିପିପି ମୋଡରେ ପ୍ରତିଷ୍ଠିତ ଗୋପାଳପୁର ବନ୍ଦରରେ ଦ୍ୱିତୀୟ ଓ ତୃତୀୟ ବର୍ଥ ଉଦଘାଟିତ ହେବା ପରେ ଏହି ଅଂଚଳରେ ଶିଳ୍ପ ଓ ବ୍ୟବସାୟର ଉନ୍ନତୀ ଘଟିବ ଏବଂ ଆର୍ଥିକ ବିକାଶ ମଧ୍ୟ ହେବ ।






ବ୍ରହ୍ମପୁର ସାଂସଦ ଡଃ.ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ୨୦୦୯ ମସିହାରୁ ଗୋପାଳପୁର ବନ୍ଦର ପ୍ରତି ଦୃଷ୍ଟି ଦେବା ଫଳରେ ବନ୍ଦରର ଉନ୍ନତୀ ଘଟିଚାଲିଛି ବୋଲି କହିଥିଲେ ।

ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହି ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ବର୍ଥ ଉଦଘାଟନ ହେବା ପରେ ଗଂଜାମ ଜିଲ୍ଲାକୁ ଶିଳ୍ପାୟନର ସୁଯୋଗ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସବୁଦିନିଆ ବନ୍ଦର ହୋଇଯାଇଛି । ଥରେ ଏପରି ସବୁଦିନିଆ ବନ୍ଦର ହେଲାପରେ କୃଷି ଓ ଶିଳ୍ପର ସମନ୍ୱୟରେ ଜିଲ୍ଲାର ବିକାଶ ହେବ । ଗୋପାଳପୁର ବନ୍ଦର ୧୯୮୬-୮୭ ରୁ ୨୦୦୩-୦୪ ବର୍ଷ ମଧ୍ୟରେ ଋତୁକାଳୀନ କ୍ଷୁଦ୍ର ବନ୍ଦର ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା । ସରକାର ଏହାକୁ ଏକ ସର୍ବକାଳୀନ ଗଭୀର ବନ୍ଦର ରୂପେ ଉନ୍ନତିକରଣ ନିମନ୍ତେ ସରକାରୀ- ଘରୋଇ ସହଭାଗିତା ପିପିପି ମୋଡ୍ ରେ ଗୋପାଳପୁର ବନ୍ଦର କର୍ତୃପକ୍ଷଙ୍କ ସହିତ ୧୪ ସେପ୍ଟମ୍ବର ୨୦୦୬ ମସିହାରେ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ବର୍ତ୍ତମାନ ଏହି ବନ୍ଦର ସପୁରଜା ପୋଲୋନଜି ପୋର୍ଟ ମେଟେନାନ୍ସ ପ୍ରାଇଭେଟ୍ ଲିମିଟେନ୍ କମ୍ପାନୀଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ବନ୍ଦର କର୍ତୃପକ୍ଷ ଏହି ସର୍ବକାଳୀନ ବନ୍ଦରକୁ ୨୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ଉନ୍ନତିକରଣ କରୁଛନ୍ତି । ପୂର୍ବରୁ ଏହି ବନ୍ଦରର ଗୋଟିଏ ମାତ୍ର ବର୍ଥ ଥିଲା ଯାହାର ପରିବହନ କ୍ଷମତା ବାର୍ଷିକ ୫ ମିଲିୟନ ମେଟ୍ରିକ ଟନ୍ । ବର୍ତ୍ତମାନ ଦୁଇ ଗୋଟି ନୂଆ ବର୍ଥ ନିର୍ମାଣ ହୋଇ ବର୍ଥ ସଂଖ୍ୟା ୩କୁ ପହଞ୍ଚିଛି । ଏହି ଦୁଇଟି ନୂଆ ବର୍ଥ ନିର୍ମାଣ ହେବା ଫଳରେ ବନ୍ଦରର ପଣ୍ୟ କାରବାର କ୍ଷମତା ବାର୍ଷିକ ୫ ମିଲିୟନ ମେଟ୍ରିକ ଟନ୍ ରୁ ୨୦ ମିଲିୟନ ମେଟ୍ରିକ ଟନକୁ ବୃଦ୍ଧି ହୋଇଛି । ବନ୍ଦରର ଉନ୍ନତିକରଣ ନିମନ୍ତେ ବନ୍ଦର କର୍ତୃପକ୍ଷଙ୍କୁ ୩୯୩.୬୭୦ ଏକର ଜମି ଯୋଗାଇ ଦିଆଯାଇଛି । ଏହି ତିନୋଟି ବର୍ଥ ଏବଂ ବର୍ଦ୍ଧିତ ପଣ୍ୟ କାରବାର ଦ୍ୱାରା ପ୍ରାୟ ୮ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ ।

ଏହି ବନ୍ଦର କଞ୍ଚାମାଲ ଓ ପ୍ରସ୍ତୁତ ଦ୍ରବ୍ୟର ସହଜ ପରିବହନ କରି ଶିଳ୍ପ ବିକାଶରେ ସହାୟକ ହେବା ସହିତ ରାଜ୍ୟର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ଏହି ବନ୍ଦର ରାଜ୍ୟର ଓ ବିଶେଷ କରି ଦକ୍ଷିଣ ଓଡ଼ିଶାର ଶିଳ୍ପ ବିକାଶରେ ଗୁରୁତ୍ୱ ଭୂମିକା ନିର୍ବାହ କରିବ । ବର୍ତ୍ତମାନ ପର୍ଯ୍ୟାୟରେ ଗୋପାଳପୁର ବନ୍ଦର ଏକ ସବୁଦିନିଆ ବନ୍ଦର ରୂପେ ଏହାର କ୍ଷମତା ୨୦ ଏମଟିକୁ ବୃଦ୍ଧି କରି ୨୦୨୫ ମସିହା ସୁଦ୍ଧା ଏହି କ୍ଷମତାକୁ ୫୫ ଏମଟିରେ ପହଞ୍ଚାଇବା ନିମନ୍ତେ ଲକ୍ଷ୍ୟ ରଖିଛି । ବର୍ତ୍ତମାନ ସାପୁର୍ ଜୀ ପାଲୋଞ୍ଜି ଗ୍ରୁପ ନିଜ ଗ୍ରାହକମାନଙ୍କୁ ସୁଲଭ ଲଜିଷ୍ଟିକ୍ ସୁବିଧା ପ୍ରଦାନ କରି ଭାରତର ଦୁଇଟି ତଟବର୍ତ୍ତୀ ଅଞ୍ଚଳରେ ବନ୍ଦର ବ୍ୟବସାୟ ପରିଚାଳନା କରିବ ବୋଲି ସାପୁର୍ ଜୀ ପାଲୋଞ୍ଜୀ ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୁ କହିଛନ୍ତି । ୨୦୧୭ ମସିହାରେ ସାପୁର୍ ଜୀ ପାଲୋଞ୍ଜୀ ଗ୍ରୁପ ଗୋପାଳପୁର ବନ୍ଦରର ପ୍ରମୁକ ଅଂଶୀଦାର ଭାବେ ୨ ହଜାର କୋଟି ମୂଲ୍ୟର ପ୍ରକଳ୍ପ ସଂପ୍ରସାରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ରଣନୀତିକ ଭାବେ ଉତରରେ ପାରାଦୀପ ଏବଂ ଦକ୍ଷିଣ ବିଶାଖାପାଟନମ୍ ବନ୍ଦର ମଧ୍ୟବର୍ତ୍ତୀ ସ୍ଥଳରେ ଅବସ୍ଥିତ । ଭାରତର ପୂର୍ବ ତଟବର୍ତ୍ତୀ ଅଞ୍ଚଳରେ ତଟୀୟ ପରିବହନ ମାଧ୍ୟମରେ ପଣ୍ୟ କାରବାର ସହିତ ଆମଦାନୀ ହେଉଛି ଗୋପାଳପୁର ବନ୍ଦରର ବୈଶିଷ୍ଟ୍ୟତା । ବର୍ତ୍ତମାନ ବନ୍ଦର ସଂପ୍ରସାରଣ ନିମନ୍ତେ ୨ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯାଇଛି ଏବଂ ଗୋପାଳପୁର ବନ୍ଦର, ଓଡ଼ିଶାରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଆର୍ଥିକ ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିବ ବୋଲି ଗୋପାଳପୁର ବନ୍ଦରର ସିଇଓ କ୍ୟାପଟେନ୍ ସନ୍ଦୀପ ଅଗ୍ରୱାଲ କହିଛନ୍ତି ।

ଏହି ଅବସରରେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ବ୍ରହ୍ମପୁର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖଲିକୋଟ ବିଧାୟକ ପୂର୍ଣ୍ଣ ସେଠୀ, ରାଜ୍ୟ ଯୋଜନା ବୋର୍ଡ଼ର ସଦସ୍ୟ ରାମଚନ୍ଦ୍ର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟ ପାଣ୍ଡିୟାନ, ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରାଙ୍କ ପରିବହନ ବିଭାଗର ସଚିବ ପ୍ରମୁଖ ମଂଚାସୀନ ରହିଥିଲେ । ପ୍ରାରମ୍ଭରେ ସାପୁର୍ ଜୀ ପାଲୋଞ୍ଜୀ ବନ୍ଦରର ପରିଚାଳନା ନିର୍ଦ୍ଦେଶକ ଅମିତ ସାହୁ ସ୍ୱାଗତ ଭାଷଣ ଦେଇଥିବା ଦେଇଥିଲେ ।



ଅନ୍ୟମାନଙ୍କ ମଧ୍ୟରେ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧମଜଂୟ ରେଡ୍ଡୀ, ଉପାଧ୍ୟକ୍ଷା ଅମିତା ସାହୁ, ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ, ବିଜେଡି ରାଜ୍ୟ ସଂପାଦକ ଟି.ଗୋପୀଙ୍କ ବହୁ ଶ୍ରମିକ ସଂଗଠନର କର୍ମକର୍ତ୍ତା ଏବଂ ଜନସାଧାରଣ ଯୋଗ ଦେଇଥିଲେ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିପେକ୍ଟର ଯୋଗେ ୧୪.୫୦ରେ ଓହ୍ଲାଇ ଅଳ୍ପ ସମୟ ଚାଲି ଚାଲି ବନ୍ଦର ପରିଦର୍ଶନ କରିଥିଲେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏଥିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଡ କଲେକ୍ଟର ଶରତ କୁମାର ପାତ୍ର, ଗଂଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଏସ .ଆର. ଶତପଥୀ ଏବଂ ବହୁ ପୋଲିସ କର୍ମଚାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

