ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗସ୍ତରେ ଆସି ବ୍ରହ୍ମପୁର ଓ ଗୋପାଳପୁରରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଗୋପାଳପୁର ଓ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାରୁ ଉଦ୍ଧ୍ୱ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରି ବିକାଶ କ୍ଷେତ୍ରରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ବୋଲି କହିଛନ୍ତି । ଏହାପରେ ଗୋପାଳପୁର ଗ୍ରସ୍ତ କରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଲୁରହିଲ୍ ଠାରେ ମେଗା ଏଜୁକେସନାଲ ହବ୍ ଉଦଘାଟନ କରିଥିଲେ । ୮ ଏକର ଜମିରେ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ୧୫ ଶହ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ପାଠ ପଢି ପାରିବେ । ସେମାନଙ୍କର ଛାତ୍ରାବାସ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶୁଭ ଦେଇଥିଲେ । ଏହି ଅବସରରେ ଗୋପାଳପୁର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ରହ୍ମପୁର ସାଂସଦ ଓ ମନ୍ତ୍ରୀ ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ ସଂପର୍କରେ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ହିତାଧିକାରୀମାନଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସିଟି ହାଇସ୍କୁଲ ପଡ଼ିଆରେ ପହଞ୍ଚି ସେଠାରୁ କାର୍ ଯୋଗେ ଯାଇ ଗୋପାଳପୁର ଜଙ୍କସନରେ ନବନିର୍ମିତ ରେଳ ଓଭରବ୍ରିଜର ଶୁଭ ଉଦଘାଟନ କରିଥିଲେ । ଏହା ପରେ ଖଲିକୋଟ କଲେଜ ଖେଳ ପଡ଼ିଆରେ ଉଦଘାଟନ ଉତ୍ସବରେ ଯୋଗଦାନ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ଓଡ଼ିଶା ଶିଳ୍ପ, ସ୍ୱାସ୍ଥ୍ୟ ଓ ବିକାଶ କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଣୁ ଆଗକୁ ବିକାଶର ଧାରା ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାର୍ଯ୍ରକ୍ରମରେ ବ୍ରହ୍ମପୁର, ଗୋପାଳପୁର, ସୋରଡ଼ା, ଛତ୍ରପୁର, ପୋଲସରା, ସାନଖେମୁଣ୍ଡି ବିଧାୟିକାଙ୍କ ସମେତ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିକ୍ରମ ଆରୁଖ, ଉଷା ଦେବୀ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା