ଛତ୍ରପୁର (ସମୃଦ୍ଧ ଓଡିଶା) ଚଳିତ ନିର୍ବାଚନ ରେ ଦିବ୍ୟାଙ୍ଗ ଭୋଟରମାନେ କିପରି ସମ୍ମାନର ସହିତ ସେମାନଙ୍କର ମତ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ବିହିତ ବ୍ୟବସ୍ଥା କରୁଛନ୍ତି । ଜିଲ୍ଲାସ୍ତରରେ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହିତ ବୁଥ୍ ମାନଙ୍କରେ ସେମାନଙ୍କ ପାଇଁ ହୁଇଲ୍ ଚେୟାର ଓ ସହଯୋଗୀର ବ୍ୟବସ୍ଥା କରାଯାଇଛି । ନିର୍ବାଚନକୁ ନିରପେକ୍ଷ କରିବା ସହିତ ପ୍ରତ୍ୟେକ ବ୍ୟକ୍ତି ଶୃଙ୍କଳାର ସହିତ ଭୋଟ ଦେବାପାଇଁ ବିହିତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ନିର୍ବାଚନ ସହିତ ସଂଶ୍ଲିଷ୍ଟ ପ୍ରତ୍ୟେକ କର୍ମଚାରୀଙ୍କୁ ନିର୍ଭୁଲ ଭାବରେ କାର୍ଯ୍ୟ ସଂପାଦନ କରିବାପାଇଁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ସୂଚନା ନିମ୍ନ ସ୍ତରର କର୍ମଚାରୀ ମାନଙ୍କ ଦ୍ୱାରା ପ୍ରମାଣିକୃତହୋଇ ଉପର ସ୍ତରକୁ ଯିବ । ଭୂଲ ପାଇଁ କର୍ମଚାରୀ ବ୍ୟକ୍ତିଗତ ଭାବେ ଦାୟୀ ରହିବେ । ଭୋଟର ତାଲିକା ନିର୍ଭୁଲ ପାଇଁ ଡାଟା ଏଣ୍ଟ୍ରି ପରେ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ଦ୍ୱାରା ତୁଳନାତ୍ମକ ତଦାରଖ କରାଯିବ । ଜିଲ୍ଲାସ୍ତରରେ ନିର୍ବାଚନ ସଂକ୍ରାନ୍ତୀୟ ତଥ୍ୟ ଆଦାନ ପ୍ରଦାନ ପାଇଁ କର୍ମଚାରୀମାନଙ୍କ ହ୍ୱାଟସ୍ ଆପ୍ ଗୃପ୍ ଗଠନ କରାଯିବା ପାଇଁ କୁହାଯାଇଛି । ଅନ୍ୟରାଜ୍ୟର ନିର୍ବାଚନ ବ୍ୟବସ୍ଥାକୁ ତୁଳନାକରି ଓଡିଶାରେ ଯଦି ଅଧିକ କିଛି ଭଲ କାର୍ଯ୍ୟପନ୍ଥା ଆବଶ୍ୟକ ପଢୁଥିବ ତେବେ ତାହା ଗ୍ରହଣ କରାଯିବ । ନିର୍ବାଚନରେ ସଂପୃକ୍ତ କର୍ମଚାରୀ ମାନେ ଶତ ପ୍ରତିଶତ ନିରପେକ୍ଷତା ପ୍ରଦର୍ଶନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ତାଗିଦ କରିଛନ୍ତି । କୈାଣସି କର୍ମଚାରୀ ଏହାକୁ ଉଲ୍ଲଘଂନ କଲେ ତାଙ୍କ ବିରୁଦ୍ଧରେ ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନର ଟି.ଆପାଙ୍ଗ ଆଓ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଜପତି ଜିଲ୍ଲପାଳ ଅନୁପମ ଶାହା, ରାୟଗଡା ଜିଲ୍ଲାପାଳ ଗୋହା ପୁନମ ତାପସ କୁମାର, କନ୍ଧମାଳ ଜିଲ୍ଲାପାଳ ଟି.ବୃନ୍ଦା, ଗଂଜାମ ଅତିରିକ୍ତ ଜିଲ୍ଲପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଲ ଦିଗନ୍ତ ରାଉତରାୟ, ଭଂଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପଜିଲ୍ଲପାଳ ଦେବବ୍ରତ ସାହୁ, ଗଂଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଡ.ବିଜୟାନନ୍ଦ ସେଠୀ, ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାର ଉପଜିଲ୍ଲାପାଳ ଏବଂ ନିର୍ବାଚନ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା