ଦି’ମୁଠା ଦାନା…

ସୁମିର ନିତି ଅଭିଯୋଗ କି ଏଇଟା ନାହିଁ ସେଇଟା ନାହିଁ ତ ସ୍ୱାମୀ ଦାମରା ଅତୀଷ୍ଟ ହୋଇପଡେ଼ । ଦିନେ ସ୍ୱଳ୍ପ ରୋଜଗାର ପାଇଁ ବିବାହ ନ କରିବାକୁ କହୁଥିଲା ହେଲେ ବାପାମାଆ ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ଯାଇ ବହୁତ ବୁଝାଇଲେ । ଦାମରା ନାହିଁ କରିଦେଇ କୁଆଡେ଼ ଲୁଚେ । ବୟସ ତାକୁ ଯଦିଓ ବିବାହ କରିବାକୁ ଇଙ୍ଗିତ କଲାଣି ହେଲେ ସ୍ୱଳ୍ପ ରୋଜଗାରରେ ନିଜେ ବଞ୍ଚିକି ଆଉ ଜଣକୁ ବଞ୍ଚାଇବା କାଠିକର ପାଠ । ସେ ଦିନେ ଘରେ ବସି କାନ୍ଦୁଥିବାବେଳେ ମାମୁଁ, ମାଇଁ, ଭଉଣୀ, ଭିଣୋଇଁ, ଅପା ପିଉସା, ଅଜା, ଆଈ, ମାଉସୀ, ମଉସା ଓ ଗାଁ’ ଲୋକେ ଏକତ୍ରୀତ ହୋଇ ବୁଝାଇବାକୁ ଲାଗିଲେ ହେଲେ ଦାମରା ସେଇ ଗୋଟିଏ କଥା କି ସେ ବିବାହ କରିବ ନାହିଁ । ବାପା ଅଖିଳେଶ ଆସିଥିବା ଅତିଥିବୃନ୍ଦଙ୍କୁ କହିଲେ,”ଯେ ପର୍ଯ୍ୟନ୍ତ ଦାମରା ନ ବୁଝିଛି ଆଉ ହଁ ନ କହିଛି ଆପଣମାନେ ଏଇଠି ରୁହନ୍ତୁ । ଖିଆପିଆ କରି ତା’ର ସଞ୍ଚିତ ଅର୍ଥକୁ ଧ୍ବଂସ କରନ୍ତୁ । ଅଖିଳେଶ କଥାରେ ସମ୍ମତି ଦେଇ ସଭିଏଁ ପ୍ରାୟତଃ ଏକ ମାସଠୁ ଅଧିକ ହେବ ରହିଲେ । ନିତି ନାନା ପ୍ରକାର ଅନ୍ନ ବ୍ୟଞ୍ଜନର ଖାଇବା ହେଲା ତ ଯାହା ଥିଲା ସବୁ ଶେଷ ହେବାକୁ ଲାଗିଲା । ଏବେ ସଭିଏଁ ସେଇ ଗୋଟିଏ କଥା କହିଲେ କି ବିବାହରେ ହଁ ତ ଆମେ ଚାଲିଯିବୁ କିନ୍ତୁ ତୁ’ ନ ରାଜି ହେବାଯାଏ ଏଠାରେ ଏମିତି ପଡି଼କି ରହିବୁ । ଦାମରା କରେ କ’ଣ ? ବିବାହ କରିବାକୁ ଆଉ ହାତରେ ସମ୍ବଳ ନାହିଁ ପୁଣି ଆଜିକାଲିକା ବିବାହ କେତେ ଯେ ଖର୍ଚ୍ଚ ହେବ, କିଏ ଜାଣେ ? ଦାମରା ନାହିଁ ନାହିଁ ଭିତରେ ହଁ କହିବାକୁ ବାଧ୍ୟ ହେଲା । ସେ ଯେମିତି ହଁ କହିଛି । ଆସିଥିବା ଅତିଥିବୃନ୍ଦ ସବୁ ବଡ଼ବଡ଼ କାମକୁ ହାତକୁ ନେଲେ କିଏ କହିଲା ବାଜା, କିଏ କହିଲା ଗାଡି, କିଏ କହିଲା ଟେଣ୍ଟେ, କିଏ କହିଲା ଗ୍ରୋସରୀ, କିଏ କହିଲା ମାଂସ, କିଏ କହିଲା ଲୁଗାପଟା, କିଏ କହିଲା, ବ୍ରାହ୍ମଣ ଓ ବାରିକ ଏମିତି ସଭିଏଁ ଭାଗକରି ନେଇଗଲେ ତ ବିବାହ ଧୂମଧାମରେ ସରିଗଲା । ବିବାହ ସରିଲା କିନ୍ତୁ ପର ମୁହୂର୍ତ୍ତରେ କିଏ ପଚାରେ ? ସଭିଏଁ ଅଡୁଆ ସୁତାଟିଏ ଧରାଇ ଦେଇ ଚାଲିଗଲେ । ଦାମରା କରେ କ’ଣ ? ଏବେ କଠିନ ଶ୍ରମ ନ କଲେ ନ ଚଳେ । ଦାମରା ସକାଳୁ ଯାଇ ସଞ୍ଜରେ ଆସୁଛି । ଯାହା କିଛି ରୋଜଗାର ସମୁଦ୍ରକୁ ଶଙ୍ଖେ ସଦୃଶ । ଆଜି କିନ୍ତୁ ଦାମରାର ସ୍ତ୍ରୀ ସୁମି ଆବଶ୍ୟକତା ଠାରୁ ଅଧିକ ଚାହୁଁଛି । ସଞ୍ଜ ହେଲେ ବଜାରରେ ବୁଲିବା ହୋଟେଲରେ ଖାଇବା ଆଦି ଫୁର୍ତ୍ତିରେ ମସଗୁଲ ହେବାକୁ ଚାହୁଁଛି ତ ଦାମରା ସବୁକୁ ପୂରଣ କରି ନ ପାରି ଆଖିରୁ ଲୁହ ଗଡେ଼ଇ ଚାଲିଛି । ଦିନେ ଉପରଓଳି ଦାମରାର ଶ୍ବଶୂର ଓ ଶାଶୂ ଆସିଲେ । ଦାମରା କାନ୍ଦୁଥିବାର ଦେଖି ଘଟଣା କ’ଣ ଜାଣିବାକୁ ଚାହିଁଲେ ? ଦାମରା କିଛି ବି ପତ୍ନୀ(ସୁମି)ର ବିପକ୍ଷରେ ନ କହି ଉଠି ବଜାର ଚାଲିଗଲା । ମାଆ ଝିଅକୁ ଡାକି ଅସଲ ରହସ୍ୟ ଜାଣିବାକୁ ଚାହିଁଲେ ତ ଝିଅ କହିଲା,”ମାଆ ! ତୁମେ ଏମିତି ଏକ ଅପାରଗକୁ ଯୋଡି଼ଦେଲ ତ ତାଙ୍କର ମନ ବୋଲି କିଛି ହିଁ ନାହିଁ । ରାତି ପାହିଲେ ଖାଲି କାମ ଆଉ କାମ । କୁଆଡେ଼ ବୁଲିବା କି ବାହାରେ ଖାଇବା ଅଥବା କେଉଁଠି କିଣାକିଣି କରିବା କହିଲେ ମୁଣ୍ଡକୁ ତଳକୁ କରିବେ । ଏ ଘରର ଖାଇବା ତ ରୁଚୁ ହିଁ ନାହିଁ । ନିତି ଭାତ, ଶାଗ ଓ ଆଳୁ ଚକଟାରେ ଦିନ ଯାଉଛି ।” ଏ କଥା ମାଆ ଓ ବାପା ଶୁଣୁଥିଲେ ଝିଅ ଯେ ବିପଥରେ ପଡି଼ ଯାଉଛି ଏହା ବୁଝିବାକୁ ବେଶି ସମୟ ଲାଗିଲା ନାହିଁ । ବାପା କହିଲେ,”ଝିଅ ! ଠିକ୍ ଅଛି । ମୁଁ କେତେବେଳୁ ଆସିଲିଣି ତୁ ଖାଇବାକୁ ଦେବୁ ନାହିଁ ?” ଏ କଥା ଶୁଣି ଝିଅ ପାଣି ଦେଇ ଆସନ ପକେଇ ଭାତ, ଡାଲି, ତରକାରୀ ଓ ଭଜା ଆଣି ଥୋଇଦେଲା । ଦୁହେଁ ଖାଇ ହାକୁଟି ମାରି ବିଶ୍ରାମ କରିବାକୁ କହିଲେ । ଝିଅ ବିଶ୍ରାମର ସବୁ ବ୍ୟବସ୍ଥା କରିଦେଲା ତ ଝିଅ ସୁମିଙ୍କୁ ଡକାଇ ବାପା କହିଲେ,”ଝିଅ ! ଆଜି ତ ସ୍ବାଦିଷ୍ଟ ଅନ୍ନ ବ୍ୟଞ୍ଜନ ହୋଇଥିଲା । ଭାତ, ଡାଲି, ତରକାରୀ ଓ ଭଜା କିଛି କମ୍ ହୋଇଛି କି ?” ବାପା ଟିକିଏ ନିରବ ରହି ପୁଣି କହିଲେ,”ଝିଅ ! ଆମେ ଆସିଛୁ ବୋଲି ତୋତେ ଆଗରୁ ଜଣାଥିଲା କି ?” ଝିଅ ମୁଣ୍ଡ ଟୁଙ୍ଗାରି ନା ବୋଲି ସମ୍ମତି ଜଣେଇଲା ତ ବାପା ପୁଣି କହିଲେ,”ଝିଅ ! ସଂସାରରେ ଭଲ ଓ ମନ୍ଦ ଦୁହେଁ ଦୁଇବନ୍ଧୁ । ଆଜି ଭଲ ହେଲେ କାଲି ମନ୍ଦ ପୁଣି ଆଜି ମନ୍ଦ ହେଲେ କାଲି ଭଲ । ଏହା ଈଶ୍ବରଙ୍କ ଇଛାରେ ହିଁ ହୋଇଥାଏ । ଦୁନିଆରେ ସଭିଏଁ ଧନୀ ହୋଇ ଯିବେ ତ ଗରିବ ହୋଇ ରହିବ କିଏ ? ପୁଣି ଉଚ୍ଚନୀଚ୍ଚ ନ ରହିବ ତ ସଭିଏଁ ସ୍ଵେଚ୍ଛାଚାରୀ ହୋଇଯିବେ ନାହିଁ କି? ଏ କଥା ଝିଅ ଶୁଣୁଥିଲା । ବାପା ପୁଣି କହିଲେ,”ଝିଅ ! ଆଜି ଆମେ ଆସିବା ନ ଜାଣି ବି ଖୁବ ଭଲ ରୋଷେଇ ହୋଇଥିଲା । କିନ୍ତୁ ଈଶ୍ବରଙ୍କ ଦରବାରରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କି ଦି’ମୁଠା ଦାନା ପେଟକୁ ଯାଏ ନାହିଁ । ତେବେ ସେମାନେ ବଞ୍ଚିରହି କ’ଣ ତୋ’ ପରି ଉତଶୃଙ୍ଖଳ ହେଉଛନ୍ତି ? ଅସଲରେ ତୁ’ ବାପଘରେ ଯେତିକି ପାଉଥିଲୁ ଶ୍ବଶୂରଘରେ ତା’ଠୁ ଢେର ଅଧିକ ପାଇବା ପରେ ବି ଆହୁରି ଅଧିକ ଆଶା କରିବା ନୀଚ୍ଚତା । ମନେ ରଖ ଆଜି ଶୁଣିଲି ଆଉ ଦିନେ ଯଦି ଏମିତି କଥା ଶୁଣେ ତୁ’ ତ ଜ୍ବାଇଁ ଦାମରା ପାଖରେ ରହିବୁ ନାହିଁ । ବାପଘର କ’ଣ ଆଉ କେଉଁଠି ବି ନ ରଖେଇ ଦେବାର ବ୍ଯବସ୍ଥା ମୁଁ କରିବି ।” ବାପା ରାଗ ତମତମ ହୋଇ ଖର ନିଶ୍ବାସ ମାରି ଉଠି ଚାଲିଗଲେ । ଏଥର ଝିଅ କରେ କ’ଣ ? ତାକୁ ଯେ ସ୍ବାମୀ ଘର କି ପିତ୍ରାଳୟ ରହିବାକୁ ମିଳିବନି ଏ କଥା ଭାବିଭାବି ଆଖିରୁ ଲୁହ ଗଡେ଼ଇ ଦେଲା । ଦାମରା ଶାଶୂ ଶ୍ବଶୂର ଆସିଛନ୍ତି ଭାବି ବଜାରରୁ କିସମ କିସମ ସଉଦା ଆଣି ଥୋଇଲେ ଓ ପତ୍ନୀକୁ ଏ ସବୁ ସଜାଡି ରଖିଦେବାକୁ କହିଲେ ହେଲେ ପତ୍ନୀ ଘର ଭିତରେ କାନ୍ଦିବା ଆରମ୍ଭ କରିଛି । ସେ ସ୍ବାମୀଙ୍କ କଥା ଶୁଣି ଜୋରରେ କାନ୍ଦି ଗୋଡ଼ ତଳେ ପଡି଼ଗଲା । ନିଜର ଭୁଲ ସ୍ବୀକାର କରି ବାପାମାଆ କାହିଁକି ପଳେଇଲେ ସେଇ କଥା ବି କହିଲା । ଦାମରା ସବୁ ଶୁଣି ବୁଝିଲା ବୋଧେ ପତ୍ନୀ ବୁଝି ସାରିଛି ଫଳତଃ ଅନୁତାପ ଗ୍ଳାନିରେ ଆଖିରୁ ଲୁ଼ହ ବୁହାଇ ଚାଲିଛି । ଦାମରା ଲୁହ ପୋଛି କହିଲା,”ପ୍ରିୟେ ! ଯାହା ହେବାର ଥିଲା ତ ହୋଇଗଲା ଦେଖ ପାଞ୍ଚଟା ବାଜିଲାଣି । ତୁମେ ଲୁଗା ବଦଳାଅ ଆମେ ବଜାର ଯିବା । ଆଜି କ’ଣ କ’ଣ ଖାଇବ କୁହ ତ?” ସେ ଜାଣିଜାଣି ପତ୍ନୀକୁ କହିଲା । ପତ୍ନୀ ଧିର ଗଳାରେ କହିଲେ,”ସ୍ବାମୀ ! ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଆଜିଠୁ ବୁଝି ବିଚାରି ଆୟ ଅନୁସାରେ ବ୍ୟୟ କରିବା ଯଦି ଦୁନିଆରେ ଲୋକେ ଦି’ମୁଠା ଦାନା ନ ପାଇ ଡହଳ ବିକଳ ହେଉଛନ୍ତି ମୁଁ ସବୁ କିଛି ପାଇ ବି ଅଧିକ ଆଶା କରିବା ମୂର୍ଖାମୀ । ଏ କଥା ଶୁଣି ଦାମରା ପତ୍ନୀକୁ କୁଣ୍ଢାଇ ମୁଖ ଚୁମ୍ବନ ଦେଲେ । ଆଖିରେ ଥିଲା ଆନନ୍ଦର ଲୁହ ।

ସୁକାନ୍ତ ଖଣ୍ଡା, ଶିକ୍ଷକ
ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର
ଜି-କେନ୍ଦୁଝର
ପି-୭୫୮୦୨୮