

ଦିଲ୍ଲୀ(ସମୃଦ୍ଧଓଡିଶା) ବିଜେପି ନେତ୍ରୀ ରେଖା ଗୁପ୍ତା ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉପ ରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ୬ ଜଣ ବିଜେପି ବିଧାୟକ କ୍ୟାବିନେଟ ସଦସ୍ୟ ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ରେଖା ପ୍ରଥମଥର ପାଇଁ ବିଧାୟକ ହୋଇଛନ୍ତି। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗରୁ ରେଖା ୨୯ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିବା ବେଳେ ଫଳାଫଳ ପ୍ରକାଶ ପାଇବାର ୧୧ ଦିନ ପରେ ରେଖା ଗୁପ୍ତା ଓ ତାଙ୍କ କ୍ୟାବିନେଟ ସହଯୋଗୀମାନେ ରାମଲୀଲା ମୈଦାନରେ ଶପଥ ନେଇଛନ୍ତି। ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ବିଜୟର ବିନ୍ଧାଣୀ ବୈଜୟନ୍ତ ପଣ୍ଡାଙ୍କ ସମେତ ଏନଡିଏ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ରେଖା ପ୍ରଥମଥର ବିଧାୟକ ହୋଇଥିଲେ ହେଁ ବିଜେପି ଦିଲ୍ଲୀରେ ମହିଳା କାର୍ଡ ଖେଳି ତାଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ସବୁଠାରୁ ଚର୍ଚ୍ଚାରେ ଥିବା ପରବେଶ ବର୍ମା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରେଖା ଗୁପ୍ତା ସତ୍ୟପାଠ ଜରିଆରେ ନିଜ ସମ୍ପତ୍ତିର ତାଲିକା ସାର୍ବଜନୀନ କରିଥିଲେ। ଏହି ସତ୍ୟପାଠ ଅନୁସାରେ ୨୦୨୩-୨୪ ବର୍ଷରେ ତାଙ୍କ ଆୟ ଥିଲା ୬,୯୨,୦୫୦ ଟଙ୍କା। ତାଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୨୫ କୋଟି ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨.୩ କୋଟି ଟଙ୍କା। ୫୦ ବର୍ଷୀୟ ରେଖା ଗୁପ୍ତାଙ୍କ ଉପରେ ୪୮.୪୪ ଲକ୍ଷର ଋଣ ମଧ୍ୟ ରହିଛି। ସତ୍ୟପାଠରେ ରେଖା ଗୁପ୍ତା ଦର୍ଶାଇଛନ୍ତି ଯେ ତାଙ୍କ ମାଲିକାରେ ଦୁଇଟି ଆବାସିକ ବିଲଡିଂ ରହିଛି। ଏହା ମଧ୍ୟରୁ ଗୋଟିଏର ପାର୍ଟନର ତାଙ୍କ ସ୍ୱାମୀ ମନୀଷ ଗୁପ୍ତା ମଧ୍ୟ ରହିଛନ୍ତି। ତାଙ୍କ ପାଖରେ କୌଣସି ନିଜସ୍ୱ ଗାଡ଼ି ନାହିଁ। କିନ୍ତୁ ସେ ୧୮ ଲକ୍ଷ ଟଙ୍କାର ଗହଣା ନିଜ ପାଖରେ ରଖିଛନ୍ତି। ରେଖା ଗୁପ୍ତା ହେଉଛନ୍ତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ସଭାନେତ୍ରୀ। ସେ ଗୁରୁବାର ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ପୂର୍ବରୁ ବିଜେପିର ସୁଷମା ସ୍ୱରାଜ, କଂଗ୍ରେସର ଶିଲା ଦୀକ୍ଷିତ ଓ ଆମ ଆଦମୀ ପାର୍ଟିର ଆତିଶୀ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଆପ୍ର ବନ୍ଦନା କୁମାରୀଙ୍କୁ ୨୯ ହଜାରରୁ ଅଧିକ ଭୋଟରେ ଶାଲିମାର ବାଗ ଆସନରେ ପରାସ୍ତ କରିଥିଲେ। ୨୦୧୫ ଓ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ସେ ଶାଲିମାର ବାଗରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ଦୁଇ ଥର ଯାକ ବନ୍ଦନା କୁମାରୀ ପରାସ୍ତ କରିଥିଲେ। ଏଥର କିନ୍ତୁ ବିଜୟୀର ବଡ଼ ବିଜୟ ସହ ଶାଲିମାର ବାଗରେ ରେଖା ବିଜୟ ବାନା ଉଡ଼ାଇଥିଲେ। ୧୯୭୪ ମସିହା ଜୁଲାଇ ୧୯ରେ ହରିୟାଣର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ନନ୍ଦଗଡ଼ ଗାଁରେ ରେଖାଙ୍କ ଜନ୍ମ ହୋଇଥିଲା। ତାଙ୍କ ବାପା ଜଣେ ବ୍ୟାଙ୍କ ଅଧିକାରୀ ଭାବେ କାମ କରୁଥିଲେ। ୧୯୭୬ରେ ରେଖା ଓ ତାଙ୍କ ପରିବାର ସ୍ଥାୟୀ ଭାବେ ଦିଲ୍ଲୀ ଚାଲି ଆସିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ିବା ବେଳେ ରେଖା ଗୁପ୍ତା ଆରଏସଏସର ଛାତ୍ର ସଂଗଠନ ଏବିଭିପିରେ ଯୋଗ ଦେଇଥିଲେ। ଛାତ୍ର ରାଜନୀତିରଆ ସକ୍ରିୟ ଭୂମିକା ଗ୍ରହଣ କରି ସେ ୧୯୯୬-୧୯୯୭ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସଭାପତି ଭାବେ କାର୍ଯ୍ୟ କରିଥିଲେ। ଦୟାଲ ସିଂହ କଲେଜରେ ମଧ୍ୟରେ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ। ଛାତ୍ର ରାଜନୀତିରେ ସକ୍ରିୟ ଥିବା ରେଖା ପରବର୍ତ୍ତୀ ଅବସ୍ଥାରେ ମୁଖ୍ୟସ୍ରୋତ ରାଜନୀତିକୁ ଆସିଥିଲେ। ବିଜେପି ସହ ତାଙ୍କ ଯାତ୍ରା ୨୦୦୦ ମସିହାରୁ ଆରମ୍ଭ ହୋଇଥିଲା। ସେ ବିଜେପିର ଯୁବ ବାହିନୀରେ ଯୋଗ ଦେଇ ଦିଲ୍ଲୀ ୟୁନିଟର ସମ୍ପାଦକ ହୋଇଥିଲେ। ସେ ବିଜେପି ଯୁବମୋର୍ଚ୍ଚାର ଜାତୀୟ ସମ୍ପାଦକ ଭାବେ ୨୦୦୪ରୁ ୨୦୦୬ ଯାଏ କାର୍ଯ୍ୟ କରିଥିଲେ। ୨୦୦୭ରେ ରେଖା ଗୁପ୍ତା ଦିଲ୍ଲୀ ପୌର ନିର୍ବାଚନରେ ଉତ୍ତର ପୀତମପୁରା ନିର୍ବାଚନ ମଣ୍ଡଳୀରୁ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ରୁ ୨୦୦୯ ଯାଏ ସେ ଏମସିଡିରେ ମହିଳା କ୍ୟାଲଣ ଓ ଶିଶୁ ବିକାଶ କମିଟିର ସଭାପତି ଭାବେ କାମ କରିଥିଲେ। ୨୦୧୨ରେ ସେ ପୁଣି ଥରେ ପୀତମପୁରାରୁ ଦିଲ୍ଲୀ କାଉନସିଲ ନିର୍ବାଚନ ଜିତିଥିଲେ। ସେ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ (ଏସ୍ଡିଏମ୍ସି)ର ମେୟର ମଧ୍ୟ ରହିଥିଲେ। ୨୦୨୨ରେ ଦଳ ତାଙ୍କୁ ଆପ୍ର ଶେଲୀ ଓବରାଇଙ୍କ ବିରୋଧରେ ମେୟର ପ୍ରାର୍ଥୀ କରିଥିଲା। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ରେଖା ଗୁପ୍ତା ବିଜେପି ମହିଳା ମୋର୍ଚ୍ଚାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ଦଳର ଦିଲ୍ଲୀ ଶାଖାର ମହାସଚିବ ମଧ୍ୟ ଥିଲେ।
ରିପୋର୍ଟ : ସୁଧାଂଶୁ ଶେଖର