

ଖଲିକଟ (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ତାର କାୟା ଦୃତ ଗତିରେ ବିସ୍ତାର କରି ଚାଲିଛି । ପ୍ରତିଦିନ ବହୁ ସଂଖ୍ୟକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡିଛି । ଏହାକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ, ସଟଡାଉନ ଘୋଷଣା କରିବା ସହ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । ଏହାସହ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି ଏବଂ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରାଯାଉଛି । ଗତ ମାର୍ଚ୍ଚ ୨୨ ତାରିଖଠାରୁ ଆଜି ଯାଏଁ ଲକଡାଉନ ଜାରି ରହିଥିବାରୁ ବାହାର ରାଜ୍ୟରେ ରହୁଥିବା କିଛି ପ୍ରବାସୀ ମାନେ କିଛି କାମ ଧନ୍ଦା ନ ପାଇ ନିଜ ନିଜ ଘରକୁ ଫେରିଥିବା ବେଳେ ଆଉ କିଛି ପ୍ରବାସୀ ଫସି ରହିଥିବା ଜଣାପଡିଛି । ସୂଚନା ପ୍ରାପ୍ତ ଯେ ଗତ ୧୬ଦିନ ତଳେ ଦୁବାଇରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ଘଟିଥିଲା । ଆଜି ସେହି ଓଡ଼ିଆ ଶ୍ରମିକଙ୍କ ମୃତଦେହକୁ ଦୁବାଇରୁ ଓଡ଼ିଶା ଆଣିଛନ୍ତି ଅଭିନେତା ସବ୍ୟସାଚୀ । ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁର ୧୬ଦିନ ପରେ ସବ୍ୟସାଚୀଙ୍କ ଉଦ୍ୟମରେ ମୃତ ଦେହକୁ ଗଞ୍ଜାମ ସ୍ଥିତ ଖଲ୍ଲିକୋଟ ଥାନା ଖଜାପଲ୍ଲୀ ଗ୍ରାମକୁ ଅଣାଯାଇଛି । ଏଥିପାଇଁ ସବ୍ୟସାଚୀଙ୍କୁ ମୃତ ବଳରାମଙ୍କ ପରିବାର ସଦସ୍ୟ ଧନ୍ୟବାଦ ଜଣାଇଛନ୍ତି । ସବ୍ୟସାଚୀଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରସଂଶା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା