ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସଚେତନତା ସପ୍ତାହ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସଚେତନତା ସପ୍ତାହ ୨୬ ଅକ୍ଟୋବର ଠାରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅବସରରେ ଦୁର୍ନୀତି ନିବାରଣ ବିଭାଗ ଓ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଏନସିସିର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ରାଲି ଗତକାଲି କରାଯାଇଛି l ଏହି ରାଲିକୁ ତ୍ରିଲୋଚନ ସ୍ୱାଇଁ, ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଯୋଗଦାନ କରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରାଲି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରୁ ବାହାରି କୋର୍ଟ ପେଟା ଛକ ଏବଂ କୋର୍ଟ ପେଟା ଛକ, କମାପଲ୍ଲୀ ଛକ ଓ ଟାଟା ବେଞ୍ଜ ଛକ ପର୍ଯ୍ୟନ୍ତ କରାଯାଇଥିଲା । ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ ଯେ, ସମାଜରେ ସବୁ ସ୍ତରରେ ଦୁର୍ନୀତିକୁ ମୂଳତ୍ପାଟନ କରିବା ନିମନ୍ତେ ଆଜିର ଯୁବ ପିଢି ପ୍ରମୁଖ ଭୂମିକା ରହିଅଛି ଏବଂ ଆଗାମୀ ଭବିଷ୍ୟତରେ ଦୁର୍ନୀତି ମୁକ୍ତ ସମାଜ ଗଠନ କରାଯାଇ ପାରିବ ଓ ଏ ଦିଗରେ ସମସ୍ତ ନାଗରିକ ଓ ଜନସାଧାରଣ ସଚେତନ ହେବା ଜରୁରୀ । ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଓ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଗତ ୨୬ ତାରିଖରେ ଶପଥ ପାଠ କରିଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକ, ମ୍ୟୁନିସିପାଲିଟି, ଏନଏସି ଓ ଗ୍ରାମ ପଞ୍ଚାୟତରେ ଗ୍ରାମ ସଭା କରି ଜନସାଧାରଣମାନଙ୍କୁ ସଚେତନତା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସମେତ ଉପ ଆରକ୍ଷୀ ଅଧିକ୍ଷକ ଶରତ ଚନ୍ଦ୍ର ସାହୁ, ଶ୍ରୀମତୀ ସବିତାଞ୍ଜଳି ନାୟକ, ଇନସପେକ୍ଟର ରାଜୀବ କୁମାର ବେହେରା, ରାଜେନ୍ଦ୍ର କୁମାର ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଶ୍ରୀମତୀ ବୈଦେହୀ କୁମାରୀ ବେହେରା, ବିଜୟ ଲଷ୍ମୀ ପଣ୍ଡା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା