ଦୁର୍ନୀତି ନିବାରଣ ସପ୍ତାହ ପାଳନ : ଦୁର୍ନୀତି ବିରୋଧରେ ଶପଥ ନେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ଓ ଅନ୍ୟାୟ ବିରୋଧରେ ସାମାଜିକ ପ୍ରତିବଦ୍ଧତାର ପ୍ରଦର୍ଶନ ନେଇ ଶପଥ ପାଠ କରିଛନ୍ତି । ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ରାଜ୍ୟର ସମସ୍ତ କର୍ମଚାରୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି କ୍ରମରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗରେ ଆୟୋଜିତ ଏହି ଉତ୍ସବରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସଂଘମିତ୍ରା ଶତପଥୀ ଶପଥ ପାଠ କରାଇଥିଲେ । ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଦୁର୍ନୀତି ଏକ ବଡ଼ ପ୍ରତିବନ୍ଧକ ହୋଇଥିବାରୁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଭାବେ ଆଇନ ଅନୁମୋଦିତ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ । ନିଜ ଆଚରଣ ଓ କର୍ତ୍ତବ୍ୟ ସମ୍ପାଦନରେ ସାଧୁତା ଅବଲମ୍ବନ ସହ ଦୁର୍ନୀତି ଓ ଲାଞ୍ଚ ଦେବା ଓ ନେବା ଭଳି ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବେ ବୋଲି ସମସ୍ତେ ସଂକଳ୍ପ ନେଇଥିଲେ । ଆଜିର ଏହି ଶପଥ ପାଠ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ବବିତା ମହାନ୍ତି, ଏଫ୍ଏ ଶ୍ରୀମତୀ ସ୍ମିତା ପାଣି, ଅନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଗଣ ଶପଥ ପାଠ କରିଥିଲେ ।


ରିପୋର୍ଟ : ବିନାୟକ ମିଶ୍ର, ଲୋକସମ୍ପର୍କ ଅଧିକାରୀ