ବାଲେଶ୍ଵର (ସମୃଦ୍ଧ ଓଡିଶା) ପ୍ରତିବର୍ଷ ପରି ଚଳିତ ନିଜର ଜନ୍ମଦିନକୁ ଭିନ୍ନ ଭାବରେ ପାଳନ କରିଛନ୍ତି ‘ଅଙ୍କିତା ସ ଫାଉଣ୍ଡେସନ୍’ର ଅଧ୍ୟକ୍ଷା ତଥା ‘ମିସ୍ ବାଲେଶ୍ଵର’ ଅଙ୍କିତା । ସବୁ ବର୍ଷ ନିଜ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଥାନ୍ତି ସମାଜସେବୀ ଅଙ୍କିତା ସ । ଏଥର ମଧ୍ୟ ସହରର ଏକ ବିଳାସପୂର୍ଣ୍ଣ ହୋଟେଲ୍ ର ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ୧୧୦ ଜଣ ଛାତ୍ରୀ । ସେମାନେ ହିଁ ଥିଲେ ସେଦିନର ସେଇ ଆଖିଝଲସା ଜନ୍ମୋତ୍ସବର ଅତିଥି । ଦେଖି ପାରୁନଥିଲେ ସିନା, କିନ୍ତୁ ମୁହଁର ହସ ହସ ଭାବରୁ ଜଣାପଡୁଥିଲା ସେମାନଙ୍କ ଅନୁଭବର କଥା । ଏହା ହିଁ ଥିଲା ଅଙ୍କିତାଙ୍କ ସ୍ଵପ୍ନ । ଦୃଷ୍ଟିଶକ୍ତି ହୀନ ସେଇ କୋମଳମତୀ ଛାତ୍ରୀମାନଙ୍କୁ ନେଇ ସେ ସଜେଇବେ ତାଙ୍କ ଜନ୍ମ ଦିନର ମଞ୍ଚକୁ । ଅଙ୍କିତା ଆରମ୍ଭରୁ ଗରୀବ ଓ ସମାଜରେ ନିସହାୟ ମଣିଷଙ୍କ ପ୍ରତି ସମ୍ବେଦନଶୀଳ । ସମାଜର ଏଇ ନିମ୍ନବର୍ଗର ଲୋକଙ୍କ ଶିକ୍ଷା ଓ ଚଳଣିରେ ସୁଧାର ଆଣିବା ପାଇଁ ସେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ନିଜ ନାମାଙ୍କିତ ଏକ ଫାଉଣ୍ଡେସନ । ସମାଜସେବାରେ ଆନନ୍ଦ ଓ ଆତ୍ମସନ୍ତୋଷ ଲାଭ କରୁଥିବା ଅଙ୍କିତା ବିଗତ ଦିନରେ ଗରିବ ପିଲାଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହଯୋଗ ଦେଇ ଆସିଛନ୍ତି । ନିଜ ଜନ୍ମଦିନକୁ ଚଳିତ ବର୍ଷ ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କ ମେଳରେ ପାଳନ କରିବା ପାଇଁ ଅଙ୍କିତା ସହରର ଏକ ଘେରୋଇ ହୋଟେଲରେ ଉତ୍ସବର ଆୟୋଜନ କରିଥିଲେ । ବିଦ୍ୟାର୍ଥୀଙ୍କ ସମେତ ବିଦ୍ୟାଳୟର ୧୫ ଜଣ ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ‘ଆମ ନ୍ୟୁଜ୍’ର ନିର୍ଦ୍ଦେଶକ ବିପ୍ଳବ କୁମାର ମହାନ୍ତି, ‘ସମୟ’ର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ କବି ରଂଜନ ବାଗ, ଡକ୍ଟରବାଣୀ ଆଚାର୍ଯ୍ୟ, ନୃତ୍ୟାଙ୍ଗନା ରୋନାଲିଶା ପଣ୍ଡା ଏବଂ ଅଙ୍କିତାଙ୍କ ମାଆ ଓ ପରିବାରର ସଦସ୍ୟମାନେ, ଅଙ୍କିତା ସ ଫାଉଣ୍ଡେସନର କର୍ମକର୍ତ୍ତାଗଣ ଉପସ୍ଥିତ ରହି ଏହି ଜନ୍ମଦିନ ଉତ୍ସବକୁ ପାଳନ କରିଥିଲେ । ଜନ୍ମଦିନ ଅବସରରେ ପାରମ୍ପରିକ କେକ୍ କାଟାଯିବା ପରେ ଅଙ୍କିତା ଦୃଷ୍ଟିହୀନଛାତ୍ରଛାତ୍ରୀଙ୍କୁ ନିଜ ହାତରେ କେକ୍ ଖୁଆଉଥିବା ଦେଖିବାକୁ ମିଳିଥିଲା । ପରେ ପରେ ଦୃଷ୍ଟିହୀନ ପିଲାଙ୍କ ର ନିଜ ମନପସନ୍ଦର ଖାଦ୍ୟ ରାତ୍ରିଭୋଜନ ଆକାରରେ ପରଷା ଯାଇଥିଲା । ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି କହିଲେ ଯେ, ଦୃଷ୍ଟିହୀନ ପିଲାଙ୍କୁ ଗୁରୁତ୍ବ ଦେଇ ଯେପରି ସେମାନଙ୍କୁ ଘରର ଅନୁଭବ ଦିଆଗଲା, ଏହା ନିଶ୍ଚୟ ଅଙ୍କିତାଙ୍କ ପରି ଫ୍ୟାଶନ ଓ ସୌନ୍ଦର୍ଯ୍ୟ ଦୁନିଆର ଅନ୍ୟ ମହିଳା ମାନଙ୍କୁ ଅନୁପ୍ରେରିତ କରିପାରିବ । ସେହିପରି ଅନ୍ୟତମ ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ୍ ଫାଉଣ୍ଡେସନର କାର୍ଯ୍ୟକ୍ରମକୁ କେବଳ ଜନ୍ମଦିନ ପାଳନ ଭିତରେ ସୀମିତ ନ ରଖି ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଉପରେ ପରାମର୍ଶ ଦେବା ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରିବା ଦରକାର ବୋଲି କହିଥିଲେ ଓ ଅଙ୍କିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଶେଷରେ ଦୃଷ୍ଟିହୀନ ପିଲାମାନେ ନିଜ ନିଜର ଅନୁଭବ ବାଣ୍ଟିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ମହାନ୍ତି