ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ୩୫ଟି ପଂଚାୟତରେ ଓ ମ୍ୟୁନିସିପାଲଟିରେ ୩୮୦ଟି ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିବା ବେଳେ ୧୯୪ଟି କେନ୍ଦ୍ରରେ ନିଜସ୍ୱସ୍ଥାୟୀ ଗୃହ ନାହିଁ । ଦୀର୍ଘ ଦେଡବର୍ଷଧରି ସିଡିପିଓ ନିଯୁକ୍ତି ହୋଇନଥିବା ବେଳେ କୌଣସି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ଓ ପାଇଖାନା ନ ଥିବା ବେଳେ ଅନ୍ୟ କେତେକ କେନ୍ଦ୍ରରେ ପିଇବା ପାଣିର ସୁବିଧା ନ ଥିବା ଜଣାଯାଇଛି । ଜଳେଶ୍ୱର ଓଡିଶାର ଉତ୍ତର ଉପାନ୍ତରେ ପ୍ରବେଶଦ୍ୱାର ଭାବେ ପରିଚିତ । କିନ୍ତୁ ଏହି ଅଂଚଳ ପ୍ରତି ବିଶେଷ ସୁବିଧା ସୁଯୋଗ ମିଳୁନଥିବା ବେଳେ ଗର୍ଭବତୀ ମହିଳା, ପ୍ରସୂତୀ ଓ ଶିଶୁ ମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗରେ ବହୁ ଅଭିଯୋଗ ହୋଇ ଆସୁଛି । ଏକ ଅନୁସନ୍ଧାନରୁ ପ୍ରକାଶ, ଜଳେଶ୍ୱର ବ୍ଲକ ଅଂଚଳରେ ୩୩୭ଟି ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ ସେଥିରୁ ୪୩ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି । ପୌରପରିଷଦ ଅଂଚଳରେ ମୋଟ ୪୩ଟି ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଗୋଟିଏ ମିନି କେନ୍ଦ୍ର ବୋଲି ଜଣାଯାଇଛି । ମୋଟ ୩୮୦ଟି ଅଙ୍ଗନୱାଡି କେନ୍ଦ୍ରରୁ ୧୩ଟିରେ ଅଙ୍ଗନୱାଡି କର୍ମୀ ନ ଥିବା ବେଳେ ୧୪ଟିରେ କେହି ହେଲପର ନାହାନ୍ତି । ଗତ ୧୫-୧-୨୦୧୮ ମସିହାରୁ ସିଡିପିଓ ନ ଥିବା ବେଳେ ୧୩ଟି ସୁପର ଭାଇଜର ପଦବୀ ମଧ୍ୟରୁ ଜଣେ ନ ଥିବା କୁହାଯାଇଛି । ଜଳେଶ୍ୱର ବ୍ଲକ ଅଂଚଳରେ ୧୯୦୫ ଗର୍ଭବତୀ ମହିଳା ଥିବା ବେଳେ ୧୬୩୬ ଜଣ ପ୍ରସୂତୀ ରହିଥିବାର କୁହାଯାଇଛି । ଅଙ୍ଗନୱାଡି କେନ୍ଦ୍ରକୁ ଆସୁଥିବା ବହୁ ସୁବିଧା ସୁଯୋଗ ଛାତ୍ରଛାତ୍ରୀ, ପ୍ରସୂତୀ ଓ ମହିଳା ପାଉନଥିବାର ଜିଲା କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଅଦ୍ୟାବଧି ୧୮୬ଟି ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ଥିବା ବେଳେ ସମସ୍ତ କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ଓ ପାଇଖାନା ନ ଥିବା ଏବଂ କେତୋଟିରେ ବିଶୁଦ୍ଧ ପିଇବାପାଣି ବ୍ୟବସ୍ଥା ହୋଇନଥିବା ଜଣାଯିବାପରେ ଚାରିଆଡେ ଆଲୋଡନ ସୃଷ୍ଟି ହୋଇଛି । ସିଡିପିଓ ଦାୟିତ୍ୱ ତୁଲାଉଥିବା ବିଡିଓ ନିତ୍ୟାନନ୍ଦ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଅଦ୍ୟାବଧି ୩୮୦ କେନ୍ଦ୍ରରୁ ୧୮୬ଟିରେ ସ୍ଥାୟୀ ଗୃହ ଥିବା ବେଳେ ୧୬ଟିରେ ନିର୍ମାଣ କାର୍ଯ୍ୟ ଚାଲିଛି । ୮୦ଟି କେନ୍ଦ୍ରରେ ଗୃହ ନିର୍ମାଣ ହେବାକୁ ପ୍ରସ୍ତୁତି ଚାଲିଥିବା ବେଳେ ୧୨ଟିରେ ଜମି ଅଧିଗ୍ରହଣ ସରିଛି । ବାକି କେନ୍ଦ୍ର ଗୃହଗୁଡିକର ସ୍ଥାୟୀ ଗୃହ ନିର୍ମାଣ ପର୍ଯ୍ୟୟ କ୍ରମେ ହେବ ବୋଲି ଶ୍ରୀ ସାହୁ କହିଛନ୍ତି । ଗ୍ରାମ ଓ ସହରାଞ୍ଚଳ କୁନି କୁନି ପିଲାଙ୍କୁ ଶିକ୍ଷାସ୍ରୋତରେ ସାମିଲ କରିବାଲାଗି ଏବଂ ନିରୋଗ ରହିବାଲାଗି ପୃଷ୍ଟିକର ଖାଦ୍ୟର ବ୍ୟବସ୍ଥା କରାଯାଉଥିବା ବେଳେ ବିଦ୍ୟୁତ୍ ଓ ପାଇଖାନା ନଥିବାରୁ ଏ ସଂପର୍କରେ ଏକ ସର୍ଭେକ୍ଷଣ ବିଡିଓ ଶ୍ରୀ ସାହୁ କରିଥିଲେ । ବିଦ୍ୟୁତ ସଂଯୋଗ ଲାଗି ପ୍ରତ୍ୟେକ ସରପଂଚ ମାନଙ୍କୁ ବ୍ୟବସ୍ଥା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ହୋଇପାରିବା ସଂପର୍କରେ କହିଥିଲେ । ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣର ବ୍ୟବସ୍ଥା ସେ କରିଥିବା କହିଥିଲେ । ନିକଟରେ ଛତୁଆ ଯୋଗାଣକାରୀ ସଂସ୍ଥାର ଶେଷ ସମୟସୀମା ଅତିକ୍ରାନ୍ତ ହୋଇଥିବାରୁ ନୂତନ ଟେଣ୍ଡର ଆହ୍ୱାନ କରାଯାଇଥିବାରୁ ଚଳିତମାସ ଛତୁଆ ଦିଆଯାଇନଥିବାର କେତେକ କେନ୍ଦ୍ରର ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏପରିସ୍ଥଳେ ନାହିଁ ନାହିଁରେ ଚାଲିଥିବା ଜଳେଶ୍ୱରର ଅଙ୍ଗନୱାଡି କେନ୍ଦ୍ରର ଦୂରାବସ୍ଥାକୁ ସୁଧାରିବାପାଇଁ ସ୍ଥାୟୀ ସିଡିପିଓ ନିଯୁକ୍ତି କରିବା ପାଇଁ ଜନସାଧାରଣରେ ଦାବି ହୋଇଛି ।
ରିପୋର୍ଟ : ଭୁପିତ କୁମାର ପରିଡା