ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶପଥ ପାଠ …

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ନିମନ୍ତେ ଜୀବନ ଉତ୍ସର୍ଗ କରିଥିବା ରାଷ୍ଟ୍ରନାୟକ ସର୍ଦ୍ଦାର ଲ୍ଲଭଭାଇ ପଟେଲଙ୍କ ଆଜି ଜନ୍ମତିଥି । ସେଥିପାଇଁ ଭାରତ ସରକାର ଏହି ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିଛନ୍ତି । ଏହି ଅବସରରେ ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ପୂର୍ବକ ସମସ୍ତ କର୍ମଚାରୀ ଯୋଗ ଦେଇ ଶପଥ ପାଠ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଦେଶର ଏକତା, ସଂହତି ଏବଂ ସୁରକ୍ଷାକୁ ବଜାୟ ରଖିବା ନିମନ୍ତେ ନିଜକୁ ସମର୍ପିତ କରିବା ସହ ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରଚାର ଓ ପ୍ରସାର ଦିଗରେ ଦୃଢ଼ ପ୍ରୟାସ ଜାରି ରଖିବାକୁ ଶପଥ ନେଇଥିଲେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ପ୍ରତ୍ୟକ ବ୍ୟକ୍ତି ନିଜସ୍ୱ ଯୋଗଦାନ ପାଇଁ ସତ୍ୟନିଷ୍ଠ ଭାବେ ସଂକଳ୍ପବଦ୍ଧ ହେବା ଉଚିତ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦୃଷ୍ଟି ଓ କାର୍ଯ୍ୟଧାରାକୁ ପ୍ରତିଷ୍ଠିତ କରିବାରେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ। କ୍ଷେତ୍ର ପ୍ରଚାର ଉପନିର୍ଦ୍ଦେଶକ ବିପିନ୍‌ ବିହାରୀ ବାରିକି ଏହି ଦିବସ ପାଳନ ଆଭିମୁଖ୍ୟ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଆଜିର ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ସଚିବ ମନୋଜ କୁମାର ମହାନ୍ତି, ଉପଶାସନ ସଚିବ ଦୁର୍ଗାପ୍ରସାଦ ମହାରଣା, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସନ୍ତୋଷ କୁମାର ଦାସ, ଗବେଷଣା ଓ ତଥ୍ୟ ସୂଚନା ଅଧିକାରୀ ଡ଼ଃ. ଜ୍ୟୋତିର୍ମତୀ ସାମନ୍ତରାୟ, ସୂଚନା ଅଧିକାରୀ ଶ୍ରୀ ସୂର୍ଯ୍ୟ ମିଶ୍ର ଓ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ବହୁ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରି ଶପଥ ପାଠ କରିଥିଲେ।