ଦୈନିକ ଖବର କାଗଜ ସମାଜର ୯୯ତମ ପ୍ରତିଷ୍ଠା ଦିବସ -ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ବଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାର – ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର ( ଆକାଶ ମିଶ୍ର) –ଓଡିଆ ଜନଜୀବନର ମୂଳ ପୁଂଜି ପ୍ରାଚୁର୍ଯ୍ୟ ବା ଧନ ସମ୍ପଦ ନୁହେଁ ବରଂ ଜ୍ଞାନ, ଶିକ୍ଷା ଓ ସଂସ୍କାରକୁ ଓଡିଶା ଅଗ୍ରାଧିକାର ଦେଇଛି ବୋଲି ଦୈନିକ ସମ୍ବାଦପତ୍ର ସମାଜର ୯୯ ତମ ପ୍ରତିଷ୍ଠା ଦିବସ ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ପ୍ରତିବର୍ଷ ୮ ଲକ୍ଷ ପିଲା ୧୫ ବର୍ଷ ବୟସରୁ ଉପରକୁ ଯାଉଛନ୍ତିା ଅଧା ପିଲା ହାଇସ୍କୁଲ ପାଠପଢା ଶେଷ ପୂର୍ବରୁ ସ୍କୁଲ ଛାଡୁଛନ୍ତି । ଏଥି ପାଇଁ ସ୍କୁଲ ଛାଡୁ ନାହାନ୍ତି କାରଣ ସେମାନଙ୍କର ମେଧା ଶକ୍ତି ନାହିଁ । ପରିବାରର ଆର୍ଥିକ ସ୍ଥିତି ଭୌଗଳିକ ସ୍ଥିତି, ପାରିବାରିକ ଦାୟିତ୍ୱ ପାଠ ପଢି ଆଗକୁ ବଢିବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି ।ଓଡିଶାରେ କୁପୋଷଣ ଏକ ବଡ ସମସ୍ୟା ଭାବରେ ମୁଣ୍ଡ ଟେକୁଛି । ଅଧା ଓଡିଆ ପିଲା ବୟସ ଅନୁସାରେ ଓଜନ ଓ ଉଚ୍ଚତାରେ କମ ହେଉଛନ୍ତି । ଓଜନ ଓ ଉଚ୍ଚତା କମ ହେଲେ ମାନସିକ ବିକାଶ ମଧ୍ୟ ହେବ ନାହିଁ ।ସେ କହିଛନ୍ତି ଯେ ଆଉ ୧୮ ବର୍ଷ ପରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଗଠନର ଶହେ ବର୍ଷ ପୂର୍ତି କରିବ । ଓଡିଶା ଆଗାମୀ ପୀଢୀ ଯେଉଁ ମାନେ ଆଗାମୀ ୬୦-୭୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଓ ସମାଜର ନେତୃତ୍ୱ ନେବେ ସେମାନଙ୍କ ଉପଯୁକ୍ତ ଦାୟିତ୍ୱ ନେବାର ଗୋଟିଏ ମାଧ୍ୟମ ସରକାର ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୯ ମସିହାରେ ସମାଜ ପ୍ରତିଷ୍ଠା କରିବା ପରେ ୧୯୨୧ ମସିହାରେ ଏହାକୁ ଲୋକସେବକ ମଣ୍ଡଳକୁ ହସ୍ତାନ୍ତର କଲେ । ଏହାର ମୂଳରେ ଥିଲା ସମାଜକୁ ଏକ ରାଷ୍ଟ୍ରୀୟ ଅନୁଷ୍ଠାନ ଭାବରେ ଗଢି ତୋଳିବା । ଚାରିଟି କଣ, ରିଲିଫ କଣ ଓଡିଶା ଜନଜୀବନକୁ ସମାଜ ହିଁ ଶିଖାଇଛି । ପଣ୍ଡିତ ଗୋପବନ୍ଧୁଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ଓଡିଶା ଆସି ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ଲୋକାର୍ପଣ କରିଥିଲେ । ୨୦୧୮ ମସିହା ସମାଜର ଶହେ ବର୍ଷ ପୂର୍ତି ପାଳନ ପାଇଁ ଉତ୍ସବ ଓ ଏହାର ୧୮ ବର୍ଷ ପରେ ଓଡିଶା ଗଠନର ଶହେ ବର୍ଷ ପୂର୍ତି ଓଡିଶାର ଭବିଷ୍ୟତ ପୀଢୀକୁ ଗଢିବା ପାଇଁ ଏହି ଅବସରରେ ନୂଆ କରି ଚିନ୍ତା କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।  

ସମାଜ ପକ୍ଷରୁ ଢେଙ୍କାନାଳରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପଦଯାତ୍ରା 

ଆମ ଢେଙ୍କାନାଳ ପ୍ରତିନିଧି ଜଣାଇଛନ୍ତି ସମାଜର ଶତବାର୍ଷିକ ଉତ୍ସବ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ପଦଯାତ୍ରାରେ ଦୁଇଶହ ରୁ ଅଧିକ କର୍ମୀ ଯୋଗଦେଇ ପଦଯାତ୍ରା କରି ମିନିଷ୍ଟାଡିୟମରେ ପହଞ୍ଚିଥିଲେ ।