

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗାପଦର ପ୍ରାଥମିକ ସେବା ସମବାୟ ସମିତିରେ ଖରିଫ ବର୍ଷ ୨୦୨୨-୨୩ ପାଇଁ ଧାନ କିଣା କାର୍ଯ୍ୟକ୍ରମର ଶୁଭାରମ୍ଭ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଥିଲେ । ଆଜି ସମ୍ପୃକ୍ତ ସମିତି ତରଫରୁ ଚାଷୀ ରଞ୍ଜନ କୁମାର ସ୍ୱାଇଁଙ୍କର ୧୧.୮୨ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଭଞ୍ଜନଗର ଉପଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଯୋଗ୍ୟ ଚାଷୀଙ୍କ ଠାରୁ ସରକାର କୁଇଣ୍ଟାଲ ପ୍ରତି ୨୦୪୦/-ହିସାବରେ ଧାନ କ୍ରୟ କରିବେ । ଚାଷୀଙ୍କୁ ମିଳୁଥିବା ଟୋକେନର ସମୟସୀମା ଗୋଟିଏ ମାସ ଏହି ସମୟ ମଧ୍ୟରେ ଚାଷୀଙ୍କୁ ମଣ୍ଡିକୁ ଧାନ ଦେବାକୁ ପଡିବ । ଯଦି ଚାଷୀମାନଙ୍କର ଧାନ କିଣା ସମ୍ବନ୍ଧରେ କିଛି ସମସ୍ୟା ଥାଏ ତାହେଲେ ସେମାନେ ସେମାନଙ୍କ ପଂଜିକୃତ ମୋବାଇଲରୁ ୧୯୬୭କୁ ଫୋନ କରି ବୁଝି ପାରିବେ । ଏ ବର୍ଷ ଧାନ କିଣା କେମିତି ସୁରୁଖୁରୀରେ ହୋଇ ପାରିବ ସେଥିପାଇଁ ସେ ପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଏହି ଉତ୍ସବରେ ଜିଲ୍ଲା ଯୋଗାଣ ଅଧିକାରୀ, ଡିଆରସିଏସ, ଶେରଗଡ଼ ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଶେରଗଡ଼ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
