ନଦୀବୁଡି ଘଟଣାରେ ଅଗ୍ନିଶମ ବିଭାଗ ଫେରିଲା ଖାଲି ହାତରେ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସ୍ଥିତ ସାନରାଉତପଡା ଠାରେ ସୁବର୍ଣ୍ଣରେଖା ନଦୀରେ ଜଣେ ବୃଦ୍ଧ ବୁଡିଯାଇଥିବା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ନଦୀବନ୍ଧ ରାସ୍ତାରେ ଯାଉଥିବା ଲୋକମାନେ ଲୋକଟିର ବୁଡିଯାଉଥିବା ଖବର ସମସ୍ତଙ୍କୁ କହିଥିଲେ । ବୃଦ୍ଧଟି ଗୋଟିଏ ହାତରେ ଜୋତା ଟେକିଧରି ଅଳ୍ପ ଗଭୀର ନଦୀପାଣି ମଧ୍ୟରେ ଚାଲି ଚାଲି ଆସୁଥିବା ନଦୀ ସ୍ରୋତରେ ତାର ଗୋଡ ଖସିଯାଇଥିବା ଅନୁମାନ କରାଯାଉଛି । ଖବର ପ୍ରଚାରିତ ହେବାପରେ ନଦୀର ଓପରପଟରେ କାଦରାୟାଁର ଶହ ଶହ ଲୋକ ରୁଣ୍ଡ ହୋଇଥିଲେ ମଧ୍ୟ ବୃଦ୍ଧ ସଂପର୍କରେ କେହି ସୂଚନା ଦେଇପାରିନଥିଲେ । ଅନ୍ୟପକ୍ଷରେ ଜଳେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ବୋଟରେ ଯାନ୍ତ୍ରୀକ ତୃଟି ହେବାକୁ ୫ ଘଣ୍ଟା ବିଳମ୍ବରେ ଅନ୍ୟ ଏକ ବୋଟ ବସ୍ତାରୁ ଆସି ନଦୀ ଗର୍ଭରେ ଖୋଜାଖୋଜି ଆରମ୍ଭ କରିଥିଲେ । ପ୍ରାୟ ୪ କି.ମି ଦୂର ଉତ୍ତରପଡା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ । ସୂଚନାଯୋଗ୍ୟ ନଦୀଗର୍ଭରୁ ଜେସିବି ଦ୍ୱାରା ବାଲି ଉତ୍ତୋଳନ କରାଯାଉଥିବାରୁ ବହୁସ୍ଥାନରେ ଚୋରାବାଲି ସୃଷ୍ଟି ହୋଇଥାଏ । ତେଣୁ ଏପରି ଘଟଣା ଘଟିଥିବାର ସ୍ଥାନୀୟ ଗ୍ରାମବାସୀମାନେ ଅନୁମାନ କରୁଛନ୍ତି ।