ନବନିର୍ବାଚିତ ମନ୍ତ୍ରୀ ଓ ବିଧାୟକମାନଙ୍କୁ ମିଳୁନି ସରକାରୀ ବାସଭବନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନୂଆ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସରକାରୀ ବାସଭବନ ଯୋଗାଇବା ଏବେ ପ୍ରଶାସନକଳ ପାଇଁ ଏକ ବଡ ଆହ୍ୱାନ ହୋଇଛି । ବହୁ ପୂର୍ବତନ ମନ୍ତ୍ରୀ ବର୍ଷ ବର୍ଷ ଧରି ମନ୍ତ୍ରୀ ହିସାବରେ ପାଇଥିବା ବଡ ବଡ ସରକାରୀ ବଙ୍ଗଳା ଛାଡୁନଥିବାବେଳେ ବିଧାନସଭାକୁ ଏଥର ନିର୍ବାଚିତ ହୋଇନଥିବା ଅନେକ ପୂର୍ବତନ ବିଧାୟକ ସରକାରୀ ପଦ ପଦବୀ ପାଇବା ଆଶାରେ ସେମାନଙ୍କ କ୍ୱାର୍ଟର ବି ଛାଡୁନାହାନ୍ତି । ଏ ପରିପ୍ରେକ୍ଷୀରେ ଅନ୍ୟୁନ ୧୦ଜଣ ମନ୍ତ୍ରୀ ଓ ପ୍ରାୟ ୬୦ଜଣ ବିଧାୟକଙ୍କୁ ରାଜଧାନୀରେ ସରକାରୀ କ୍ୱାଟର୍ସ ଯୋଗାଇବା କର୍ତ୍ତୃପକ୍ଷକଙ୍କ ପାଇଁ ଏକ ବଡ ଆହ୍ୱାନ ହୋଇଛି । ଅତୀତରେ ନବୀନ ପଟ୍ଟନାୟକଙ୍କ ସରକାରରୁ ବାଦ୍‍ ପଡିଥିବା ଡାକ୍ତର ଦାମୋଦର ରାଉତ, ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଭଳି ବହୁ ବରିଷ୍ଠ ନେତାଙ୍କ ନାମରେ ଏବେ ବି ଟାଇପ ୮ ମନ୍ତ୍ରୀ କ୍ୱାଟର୍ସ ଛାଡିନାହାନ୍ତି । ତେବେ ପୂର୍ବରୁ ମନ୍ତ୍ରୀମଣ୍ଡଳରୁ ବାଦ୍‍ ପଡି ବି ସରକାରୀ ବଙ୍ଗଳା ରଖିଥିବା ପଦ୍ମନାଭ ବେହେରାଙ୍କ ଭଳି କିଛି ବରିଷ୍ଠ ନେତା ଏଥର ମନ୍ତ୍ରୀ ହୋଇଥିବାରୁ ସେମାନଙ୍କ ପାଇଁ କ୍ୱାଟର୍ସ ସମସ୍ୟା ନାହିଁ । ଏଥର ନିର୍ବାଚନରେ କଂଗ୍ରେସର ୭ଜଣ ନୂଆ ବିଧାୟକ ଆସିଥିବାବେଳେ ବିଜେପି ଟିକଟରେ ଜିଣିଥିବା ୨୩ଜଣ ବିଧାୟକଙ୍କ ମଧ୍ୟରୁ କେହି ଜଣେ ହେଲେ ବି ଗତ ବିଧାନସଭାର ସଦସ୍ୟ ନଥିଲେ । ପୂର୍ବତନ ବିଜେପି ଓ କଂଗ୍ରେସ ବିଧାୟକଙ୍କ ଭିତରୁ ଅନେକ ଏଯାବତ କ୍ୱାଟର୍ସ ଛାଡିନାହାନ୍ତି । ଅତୀତରେ ପ୍ରତାପ ଷଡଙ୍ଗୀ ଓ ପ୍ରଦୀପ୍ତ ନାୟକଙ୍କ ଭଳି ପୂର୍ବତନ ବିଜେପି ବିଧାୟକମାନେ ବି ବର୍ଷ ବର୍ଷ ଧରି ସରକାରୀ କ୍ୱାଟର୍ସ ଜବରଦଖଲରେ ରଖିଥିଲେ । ବିଜେଡିର ଅନେକ ପୂର୍ବତନ ବିଧାୟକ ଏବେ କ୍ୱାଟର୍ସ ଛାଡିନାହାନ୍ତି । ସରକାରୀ ଓ ବିରୋଧିଦଳର ଅନେକ ପୂର୍ବତନ ବିଧାୟକ ଗତ ବିଧାନସଭା ସମୟରେ ଏମଏଲ୍‍ଏ କଲୋନୀ ବାହାରେ ସାଧାରଣ ପ୍ରଶାସନ ବିଭାଗର ଟାଇପ ୬ ଓ ଟାଇପ ୭ ବଙ୍ଗଳା ମଧ୍ୟ ରଖିଥିଲେ । ଏମାନଙ୍କ ମଧ୍ୟରୁ କେତେକ ନିର୍ବାଚନ ଲଢିବାପାଇଁ ଟିକଟ ପାଇନାହାନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଶା ରଖିଛନ୍ତି ଯେ ବିଧାୟକ ନହେଲେ ବି ରାଜ୍ୟ ସରକାର ସେମାନଙ୍କୁ ବିଭିନ୍ନ ପଦ ପଦବୀରେ ଥଇଥାନ କରିବେ ଓ ତଦନୁଯାୟୀ ସେମାନେ ରହୁଥିବା ବଡ ବଡ ସରକାରୀ ବଙ୍ଗଳା ଗୁଡିକ ପୁଣି ଭୋଗ କରିବେ । ଏମାନଙ୍କ ଛଡା ବିଧାୟକ ନଥାଇ ଅନ୍ୟାନ୍ୟ ସରକାରୀ ପଦ ପଦବୀ ବଳରେ ସରକାରୀ କ୍ୱାଟର୍ସ ପାଇଥିବା କେତେକ ଦଳୀୟ ନେତା ଗତ ନିର୍ବାଚନ ପରିପ୍ରେକ୍ଷୀରେ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଏମାନେ ଏଯାବତ୍‍ ସରକାରୀ କ୍ୱାଟର୍ସ ଛାଡୁନାହାନ୍ତି । ନବୀନ ପଟ୍ଟନାୟକଙ୍କ ଗତ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟୁନ ୧୪ଜଣ ଏଥର ବାଦ୍‍ ପଡିଛନ୍ତି । ଏମାନେ ପ୍ରାୟତଃ ମନ୍ତ୍ରୀ ଭାବେ ବଡ ବଡ ବଙ୍ଗଳାମାନ ପାଇଥିଲେ । ଏହି ନେତାମାନଙ୍କ ମଧ୍ୟରୁ ଅନେକ ବି ବଡ ବଙ୍ଗଳାର ମୋହ ଛାଡିପାରୁ ନାହାନ୍ତି । ଆଉ ଅନେକ ପୂର୍ବତନ ଓ ବର୍ତ୍ତମାନର ବିଧାୟକ ଏକାଧିକ ସରକାରୀ କ୍ୱାଟର୍ସ ଏମ୍‍ଏଲ୍‍ଏ କଲୋନୀ ଭିତରେ ଓ ବାହାରେ ରଖିଛନ୍ତି । ଏହି ଗୋଲକଧନ୍ଦା ଭିତରେ ନବ ନିର୍ବାଚିତ ସମସ୍ତ ବିଧାୟକ ଓ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ସେମାନଙ୍କ ମନ ପସନ୍ଦର କ୍ୱାଟର୍ସ ତୁରନ୍ତ ଯୋଗାଇବା କାଠିକର ପାଠ ହେଲାଣି ।

ରିପୋର୍ଟ : ଆକାଶ ମିଶ୍ର