ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ସରକାରୀ ପ୍ରୋତ୍ସାହିତ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି ବୋଲି ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀଙ୍କୁ ଦଳ ପକ୍ଷରୁ ସ୍ୱାଗତ କରିବା ପାଇଁ ଆୟୋଜିତ ଏକ ସଭାରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୫ ମସିହାରେ ଓଡିଶାର ପିଡବଲ୍ୟୁଡି କୋଡକୁ ପରିବର୍ତ୍ତନ କରାଯାଇ ୫୦ ହଜାର ବଦଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ବି ସରକାରୀ କାମ ପାଇଁ ଟେଣ୍ଡର ନ ଡାକି ଇଚ୍ଛାମୁତାବକ ଦେବା ପାଇଁ ନବୀନ ସରକାର ବିଧିବଦ୍ଧ ନିୟମ ପ୍ରଣୟନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଦୀର୍ଘ ସମୟ ଧରି ଜଳ ସମ୍ପଦ ଓ ପୂର୍ତ ବିଭାଗର ମନ୍ତ୍ରୀ ଭାବେ ତାଙ୍କର ପୌରହିତ୍ୟରେ ବିନା ଟେଣ୍ଡରରେ କାମ ବଣ୍ଟା ଯାଇଛି । ରାଜ୍ୟର ବିଭିନ୍ନ ବିଭାଗ ବିନା ଟେଣ୍ଡରରେ ନିଜର ବଚସ୍କରମାନଙ୍କୁ ପିସି ନେବାର ବାଟ ଖୋଲି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ଅଣ ଯୋଜନା ବଜେଟରେ ବାର୍ଷିକ ଦଶ ହଜାର କୋଟି ଟଙ୍କାର କାମ ବିନା ଟେଣ୍ଡରରେ ଦଳୀୟ କର୍ମୀ ମାନଙ୍କୁ ବାଂଟି ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଓଡିଶାର ଲୋକ ମାନେ ପିସିରେ ପେସି ହେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହା କଣ ମୁଖ୍ୟମନ୍ତ୍ରୀଙ୍କ ଥ୍ରି ଟି କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ବିନା ଟେଣ୍ଡରରେ କାମ ଦେବା ଟେକ୍ନୋଲଜି ଓ ଟ୍ରାନସପରେନ୍ସିର ଟିମ ବାର୍କ କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳ ଜିଲ୍ଲାରେ ବିୟର ଫ୍ୟାକ୍ଟ୍ରି ପାଇଁ ସୁଇଚ ଟିପି ଶୁଭ ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାତି ଅଧିଆ ଗଛ କଟାର ମା ଭଉଣୀଙ୍କ ଦୃଢ ବିରୋଧ ଓ ଛି ଛି ପରେ ଆରଡିସି ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଗଛ କଟା ବନ୍ଦ କରି ଦିଆ ଯାଇଛି ବୋଲି କହିଲେ । ଏହା କଟା ଘା ରେ ଚୁନ ଦେଲା ଭଳି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଢେଙ୍କାନାଳର ବେଲଟିକିରିରେ ଏସପି, କଲେକ୍ଟରଙ୍କ ଅଫିସରୁ ଦଶ କିମି ଦୂରରେ ଅନାଥାଶ୍ରମରେ ବ୍ୟଭିଚାର ପରେ ରାଜ୍ୟର ମନ୍ତ୍ରୀ କହୁଛନ୍ତି ଏହା ଚଲାଇବା ପାଇଁ ସରକାରର ଅନୁମତି ନାହିଁ । ଢେଙ୍କାନାଳ ଜିଲ୍ଲାର ଏହି ଦୁଇଟି ଘଟଣା ମୁଖ୍ୟମନ୍ତ୍ରୀଙ୍କ ଶ୍ରେଷ୍ଠ ପ୍ରଶାସକଙ୍କ ଅହଂକାରର ମୁଖା ଖୋଲି ଦେଉଛି କି ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ ମାନଙ୍କୁ ୭୦ ଲକ୍ଷ ସ୍ମାର୍ଟ ଫୋନ ଦେବେ ବୋଲି କହିଛନ୍ତି । ଶୌଚାଳୟ ମହିଳା ମାନଙ୍କ ସମ୍ମାନ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ଦେଶରେ ଶୌଚାଳୟ ମାମଲାରେ ଓଡିଶା ୨୯ ନମ୍ବର ସ୍ଥାନରେ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାଜ୍ୟ ସରକାରଙ୍କର ଜନପ୍ରିୟତାର ଦମ୍ଭକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଅପରାଜିତା ଷଡଙ୍ଗୀ ୧୫ ସେପ୍ଟେମ୍ବରରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ଆବେଦନର ୨୪ ଘଂଟା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ପହଂଚିଲା ବେଳେ ୨ ମାସ ପର୍ଯ୍ୟନ୍ତ କେଉଁ ଡରରେ ଅଟକାଇ ରଖିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଉ ଛଅ ମାସରେ ନିର୍ବାଚନ ହେବ । ୨୦୧୯ରେ ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ଏଥିରେ କାହାର ବି ତିଳେ ମାତ୍ର ସନ୍ଦେହ ନାହିଁ । ଓଡିଶାରେ ମଧ୍ୟ ମୋଦିଙ୍କ ଅନୁଗାମୀଙ୍କ ସରକାର ହିଁ ଓଡିଶାକୁ ପ୍ରଗତିର ରାସ୍ତାରେ ନେଇ ପାରିବ । ତେଣୁ ଦଳର କାର୍ଯ୍ୟକର୍ତା ମାନେ ପରିବର୍ତନ ପାଇଁ କଠିନ ପରିଶ୍ରମ କରିବା ପାଇଁ ସେ ନିବେଦନ କରିଛନ୍ତି ।
ରିପୋର୍ଟ : ଆକାଶ ମିଶ୍ର