ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା ‘ନବୀନ’ କେବଳ ସମ୍ବାଦପତ୍ର ନୁହଁ ବରଂ ପ୍ରତିଷ୍ଠିତ ଓଡ଼ିଆ ଲେଖକମାନଙ୍କ ମାର୍ଗଦର୍ଶକ ହୋଇପାରିଛି ବୋଲି ନବୀନର ୯୦ତମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଖ୍ୟାତ ଐତିହାସିକ ତଥା ଗବେଷକ ଡ଼. କୈଳାଶ ଚନ୍ଦ୍ର ଦାଶ ଦୀକ୍ଷାନ୍ତ ଭାଷଣରେ ମତବ୍ୟକ୍ତ କରିଛନ୍ତି । ଡ଼. ଦାଶ କହିଲେ ସଚ୍ଚି ରାଉତରାୟଙ୍କ ଠାରୁ ଆରମ୍ଭ କରି ରମାକାନ୍ତ ରଥଙ୍କ ପର୍ଯ୍ୟନ୍ତ ବହୁ କବିଙ୍କୁ ନବୀନ ସୃଷ୍ଟି କରି ଓଡ଼ିଆ ସାହିତ୍ୟର ଅଭୁ୍ୟନ୍ନତିରେ ପଥପ୍ରଦର୍ଶକ ହୋଇପାରିଛି । ନବୀନର ପ୍ରତିଷ୍ଠାତା କୃପାସିନ୍ଧୁ ନରେନ୍ଦ୍ରଦେବ ସେହି ସମୟରେ ତେଲୁଗୁମାନଙ୍କ ପ୍ରଭାବକୁ ପ୍ରତିହତ କରିବା ପାଇଁ ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ଭାବେ ଯେଉଁ ଉଲ୍ଲେଖନୀୟ ଭୂମିକାଗ୍ରହଣ କରିଥିଲେ ତାଙ୍କର ଆଶୀର୍ବାଦରୁ ଆଜି ମଧ୍ୟ ନବୀନ ତାର ଭୂମିକା ବଜାୟ ରଖିଛି ବୋଲି ସେ କହିଥିଲେ । ଉଦଘାଟକ ଭାବେ ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ନବୀନର ୯୦ ବର୍ଷର ସ୍ୱନକ୍ଷତ୍ର ବିଶେଷାଙ୍କକୁ ଉନ୍ମୋଚନକରି ମହୁରୀ ରାଜ ପରିବାର ସହ ତାଙ୍କର ସୁଦୃଢ଼ ସମ୍ପର୍କ ରହିଥିଲା ବୋଲି କହିବା ସହ ସ୍ୱାସ୍ଥ୍ୟ ପାଇଁ ଯେଭଳି ଯୋଗର ଆବଶ୍ୟକତା ରହିଛି ସେହିଭଳି ଏକ ପୁରାତନ ଅନୁଷ୍ଠାନକୁ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ କାମ୍ୟ ବୋଲି କହିଥିଲେ । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ସମ୍ମାନିତ ଅତିଥି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ନବୀନର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଏଭଳି ଏକ ଐତିହାସିକ ସମ୍ବାଦପତ୍ରକୁ ବଞ୍ଚାଇ ରଖିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରୁ ସହାୟତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ନବୀନର ସମ୍ପାଦକ ରବି ରଥ ତାଙ୍କ ଅଭିଭାଷଣରେ କୃପାସିନ୍ଧୁ ନରେନ୍ଦ୍ର ଦେବ ଯେଉଁ ପରମ୍ପରା ସୃଷ୍ଟି କରିଥିଲେ ତାକୁ ବଜାୟ ରଖିବା ପାଇଁ ଅନବରତଉଦ୍ୟମ କରି ଆସୁଅଛୁ ଏବଂ ଏହି ପ୍ରକ୍ରିୟା ଜାରି ରହିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରତିଭା ପୂଜା ସ୍ୱରୂପ ବିଶିଷ୍ଟ ଜଳବାୟୁ ବିଜ୍ଞାନୀ ଡ଼. ଡ଼ମ୍ବରୁଧର ସାହୁ ଓ ସମାଜସେବୀ ତଥା କୃଷି ବିଜ୍ଞାନୀ ପ୍ରଭାକର ସାହୁଙ୍କୁ କୃପାସିନ୍ଧୁ ନରେନ୍ଦ୍ର ଦେବ ସ୍ମୃତି ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପୂର୍ବରୁ ଆୟୋଜିତ କବିତା ପାଠୋତ୍ସବ ଓ ସାରସ୍ୱତ ସମାବେଶରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡ଼ା. ଶ୍ରୀବତ୍ସ ଦଳାଇ ଅଧ୍ୟକ୍ଷତା କରିଥିଲେ । କବି ଚିନ୍ମୟ ରଞ୍ଜନ ମିଶ୍ର ଓ କବୟତ୍ରୀ ସୌଦାମିନୀ ମିଶ୍ରଙ୍କ ସଂଯୋଜନରେ ଆୟୋଜିତ କବିତା ପାଠୋତ୍ସବରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେସମ୍ପାଦକ ସୁଶାନ୍ତ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ । କପିଳ ଚନ୍ଦ୍ର ମହାନ୍ତି, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ବସନ୍ତ ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ରବି ରଥ