ନବ ନିର୍ମାଣ କୃଷକ ସଂଗଠନର ରାଜଭବନ ଚାଲ୍ ଅଭିଯାନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଚାଷୀଙ୍କ ଦାବି ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ ଜାନୁୟାରୀ ୩୧ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ କଣ୍ଟ ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଦାବି ପୂରଣ ନହେଲେ ଫେବୃୟାରୀ ପହିଲାରୁ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେବ ବୋଲି ଚେତାବନୀ ଦେଇଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଦାବି ପୂରଣ ପାଇଁ ନିଜ ବାସଭବନରେ ୧୩ ଦିନ ଧରି ଅନଶନରେ ବସିବାପରେ ଆଜି ହଜାର ହଜାର ଚାଷୀଙ୍କ ଗହଣରେ ରାଜଭବନ ଅଭିମୁଖେ ବାହାରିଥିଲେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ । ରଘୁନାଥପୁରରୁ ରାଜଭବନ ପର୍ଯ୍ୟନ୍ତ ଦୀର୍ଘ ୧୪ କିଲୋମିଟର ପଦଯାତ୍ରାରେ ବାହାରିଥିବା ଚାଷୀମାନଙ୍କୁ ରାସ୍ତାରେ ଅଟକାଇଥିଲା ପୁଲିସ୍‍ । ରାଜଭବନ ଅଭିଯାନ ସଂକ୍ରାନ୍ତରେ ଅକ୍ଷୟ କୁମାର କହିଥିଲେ ଯେ ଚାଷୀଙ୍କୁ ପେନ୍‍ସନ ପ୍ରଦାନ ସେମାନଙ୍କର ଅଗ୍ରାଧିକାର ଦାବି ହୋଇଥିବା ବେଳେ ସେ ସଂକ୍ରାନ୍ତରେ ରାଜ୍ୟପାଳଙ୍କ ସହ ଆଲୋଚନା ପାଇଁ ବାହାରିଥିଲେ । ସେ କହିଥିଲେ ଯେ ରାଜ୍ୟର ୩୬ଲକ୍ଷ ଚାଷୀଙ୍କୁ ମାସିକ ୫୦୦୦ ଟଙ୍କା ପେନ୍‍ସନ ପ୍ରଦାନ କରାଗଲେ ସରକାରଙ୍କ ବର୍ଷକୁ ୨୧,୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେଣୁ ସରକାର ଏହି ଅର୍ଥ ବ୍ୟବସ୍ଥା କରିବା ଆବଶ୍ୟକ । ଚାଷୀମାନଙ୍କୁ ଯେଭଳି ପୁଲିସ୍‍ ରାସ୍ତାଘାଟରେ ଅଟକାଉଛି ତାହା ଦ୍ୱାରା ସମ୍ବିଧାନର ଧାରା ୧୯ କ୍ଷୁର୍ଣ୍ଣ ହେଉଛି । ଏହାଦ୍ୱାରା ଚାଷୀଙ୍କ କଥା କହିବାର ଅଧିକାରକୁ ସରକାର ଛଡାଇ ନେଉଛନ୍ତି । ରାଜ୍ୟ ସରକାର ଆଜି ନବ ନିର୍ମାଣ କୃଷକ ସଂଗଠନକୁ ରାଜଭବନ ନିକଟକୁ ଛାଡିନଥିବାବେଳେ ସଂଗଠନ ପକ୍ଷରୁ ସରକାରଙ୍କୁ ଜାନୁୟାରୀ ୩୧ ତାରିଖ କଣ୍ଟ ଦିଆଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ସରକାର ଦାବି ଉପରେ କୌଣସି ନିଷ୍ପତ୍ତି ନ ନେଲେ ଆଗାମୀ ଫେବୃୟାରୀ ୧ ରୁ ଆନ୍ଦୋଳନ ତୀବ୍ର ହେବବୋଲି ସଂଗଠନର ଅନ୍ୟତମ ନେତା ଶେଷଦେବ ନନ୍ଦ କହିଛନ୍ତି । ଉଲ୍ଲେଖନୀୟ ଯେ ଚାଷୀମାନଙ୍କର ପ୍ରାଇସ-ପ୍ରେଷ୍ଟିଜ-ପେନ୍‍ସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ସମଗ୍ର ରାଜ୍ୟରୁ ଗତମାସରେ ରାଜଧାନୀ ଅଭିମୁଖେ ଆସୁଥିବା ବେଳେ ପୁଲିସ୍‍ ସେମାନଙ୍କୁ ବାଟରେ ବିଭିନ୍ନ ସ୍ଥାନରେ ଅଟକାଇଥିଲା । ଏହାପରେ ଅକ୍ଷୟ କୁମାର ଦାବି ପୂରଣ ଲାଗି ନିଜ ବାସଭବନରେ ଅନଶନରେ ବସିଥିଲେ । ଚାଷୀମାନଙ୍କ ଦାବି ସଂକ୍ରାନ୍ତରେ ସରକାର ଅବଗତ ଥିବା ଓ ଏଥିପାଇଁ ସରକାର ଗଠନ କରିଥିବା ମନ୍ତ୍ରୀସ୍ତରୀୟ କମିଟିର ଦୁଇଥର ବୈଠକ ବସିଥିବା ବେଳେ ଖୁବ୍‍ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ହେବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଅନ୍ୟ ପକ୍ଷରେ ବିଜେଡି ଆଜି ବିଜୁ କୃଷକ ଜନତାଦଳ ଗଠନ କରିଥିବାବେଳେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏହାର ସଭାପତି ଓ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏହାର ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି ।  

ରିପୋର୍ଟ : ଆକାଶ ମିଶ୍ର