ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିଲା ନାହିଁ ଆଶାନୁରୂପ ସମର୍ଥନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କୁ ପ୍ରାଇସ, ପ୍ରେସଟିଜ ଓ ପେନସନ ଦାବି ନେଇ ଦିଆଯାଇଥିବା ବନ୍ଦ ଡାକରାକୁ ମିଳିଲା ନାହିଁ ଆଶାନୁରୂପ ସମର୍ଥନ । ଏପରିକି ରାଜ୍ୟର ଚାଷୀମାନେ ବି ଏହି ଆନ୍ଦୋଳନରୁ ଦୂରେଇ ରହିଥିବା ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟବସାୟୀକ ପ୍ରତିଷ୍ଠାନ, ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ଟ୍ରେନ ଚଳାଚଳ ଓ ଯାନବାହାନ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଥିଲା । ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ନୈତିକ ସମର୍ଥନ ଜଣାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କୁ ଏତେ ପ୍ରଭାବିତ କରିଛି ଯେ, ସେମାନେ ଏହି ବନ୍ଦରେ ସ୍ଵତଃପ୍ରବୃତ ଭାବେ ସାମିଲ ହୋଇନାହାଁନ୍ତି । ଏପରିକି ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳନି । ଚାଷୀଙ୍କ ସାମଗ୍ରୀକ ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଉଦ୍ଦିଷ୍ଟ କାଳିଆ ଯୋଜନା ଆଗରେ କୃଷକ ସଂଗଠନର ଅଭିଯୋଗ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି । ତେବେ ଏମିତି ନୁହେଁ ଯେ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାନବାହାନ ଚଳାଚଳକୁ ବନ୍ଦ କରିବାକୁ ବା ବଳପୂର୍ବକ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଚେଷ୍ଟା କରାଯାଇନି । ମାଷ୍ଟରକ୍ୟାଣ୍ଟିନି ଛକ ଠାରେ ନବ ନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ । ରାସ୍ତାରେ ଶୋଇପଡ଼ିଥିଲେ ପୋଲିସର ହସ୍ତକ୍ଷେପ ଫଳରେ ପୋଲିସ ସେମାନଙ୍କୁ ଗିରଫ କରିଛି । ରବି ଟକିଜ ଛକରେ ମଧ୍ୟ ଟାୟାର ଜାଳି ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରିଥିଲେ । ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ସଚିବାଳୟ ଧସେଇ ପସିବାକୁ ଉଦ୍ୟମ କରିଥିଲେ। ଯୁବଚାଷୀ ବାଇକ ରାଲିରେ ଆସି ସଚିବାଳୟ ପସିବାକୁ ଉଦ୍ୟମ କରିଥିଲେ ୩୦ ଉର୍ଦ୍ଧ୍ବ ଆନ୍ଦୋଳନକାରୀ । କିଛି ସମୟ ଧରି ନାରାବାଜି ପରେ ଯୁବ ଚାଷୀ ନେତାଙ୍କୁ ଗିରଫ କରିଥିଲା ପୋଲିସ । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ, ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ଅଛନ୍ତି । ରାଜ୍ୟରେ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ସାଧାରଣ ଲୋକ ଏବଂ ଅତ୍ୟାବଶ୍ୟକ ସେବାର ସୁରକ୍ଷା ପାଇଁ ପୋଲିସ ମୁତ୍ତୟନ କରାଯାଇଛି ।