ନଭେମ୍ବର ୧୪ ଶିଶୁ ଦିବସରେ ଶୁଭାରମ୍ଭ ହେବ ‘ମଧୁ’ ଆପ ଶିକ୍ଷା ଅଭିଯାନ….

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଡିଜିଟାଲ ପାଠ ପଢା ପାଇଁ ମୋବାଇଲ ଆପ ‘ମଧୁ’ ନଭେମ୍ବର ୧୪ ରିଖ ଶିଶୁ ଦିବସ ଅବସରରେ ଶୁଭାରମ୍ଭ କରାଯିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏହାକୁ ନେଇ ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଜିଲ୍ଲାର ବଛା ବଛା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ରେକଡିଂ କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଣେ ଶିକ୍ଷୟତ୍ରୀଙ୍କ ଗଣିତ ବିଷୟରେ ଶିକ୍ଷାଦାନର ଶୈଳୀକୁ ରେକଡ଼ିଂ କରାଯାଇଥିଲା । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ସହାୟକ ହେବା ଭଳି ବିଭିନ୍ନ ବିଷୟରେ ପ୍ରଶ୍ନର ଉତ୍ତରକୁ ଉକ୍ତ ଆପରେ ଅପଲୋଡ଼ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବିଶେଷ କରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୫ ମାର୍କର ପ୍ରଶ୍ନ ଗୁଡିକର ଉତ୍ତର ଗୁଡିକୁ ଏହି ଆପରେ ଅପଲୋଡ଼ କରାଯିବ । ଯେଉଁ ଶିକ୍ଷକ ସମସ୍ତଙ୍କ ଠାରୁ ସରଳ ଓ ସଠିକ ଭାବେ ପ୍ରଶ୍ନ ଗୁଡିକର ଉତ୍ତର ରଖିପାରୁଥିବେ ସେଭଳି ଶିକ୍ଷକମାନଙ୍କ ଶିକ୍ଷା ଶୈଳୀକୁ ରେକଡିଂ କରି ଏହି ଆପରେ ଅପଲୋଡ଼ କରାଯାଉ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ସନାତନ ପଣ୍ଡା, ରଙ୍ଗେଇଲୁଣ୍ଡା ବିଇଓ ଡ଼.ପ୍ରଭାତୀ ମହାପାତ୍ର, ସମଗ୍ର ଶିକ୍ଷା ଅଭିଯାନର ଅର୍ଥପରାମର୍ଶଦାତା ମଧୁସୂଦନ ପରିଡା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜିଲ୍ଲା ସଂଯୋଜକ ଡ଼.ସରୋଜ ମୋହନ ପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା