

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ର ମୋହନ ବିଜ୍ଞାନ ମହାବିଦ୍ୟାଳୟର ଦ୍ୱା-ତ୍ରିଂଶ ତମ ବାର୍ଷିକ ଉତ୍ସବ ଛତ୍ରପୁରର ପର୍ବତନ ବିଧାୟକ ତଥା ପରିଚାଳନା କମିଟିର ସଭାପତି ଆଦିକନ୍ଦ ସେଠିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବର ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡି, ଲୋକସେବକ ମଣ୍ଡଳର ଆଜୀବନକର୍ମୀ ରାଜେନ୍ଦ୍ର କୁମାର ଜେନା, ନରେନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ବ୍ରହ୍ମପୁରର ଉପସଚିବ ଡ. କୁଳମଣି ଓଝା ମୁଖ୍ୟବକ୍ତା ଏବଂ ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଥିଲେ । ଏହି ଭବ୍ୟ ସମାବେଶରେ ବିଶ୍ୱବିଦ୍ୟାଳୟ ପରିସରରେ ଲୋକସେବକ ମଣ୍ଡଳ ପକ୍ଷରୁ ପ୍ରଦତ୍ତ ଉତ୍କଳମଣି ଗୋପବନ୍ଧୁଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ କରାଯାଇଥିଲା ଓ ଏହା ସହ ପ୍ରଥମ କରି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ‘ଥିମ ସଂଗୀତ’କୁ ମଧ୍ୟ ଲୋକାର୍ପଣ କରାଯାଇଥିଲା । ବିଶ୍ୱ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ସୁଶାନ୍ତ କୁମାର ମିଶ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଅଧ୍ୟାପକ ଡ଼. ହୃଷୀକେଶ ପଣ୍ଡା ସମୁଦାୟ ଅଧିବେଶନକୁ ସଂଚାଳନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ ଧରଣୀଧର ପଣ୍ଡା ଧନ୍ୟବଦ ଅର୍ପଣ କରିଥିଲେ । ଅପରାହ୍ନ ଅଧିବେଶନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧ୍ୟାପକ ଏସ. ଭେଙ୍କଟ ରାଓ ରେଡିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ରଣପା, ଯୋଡିଶଙ୍ଖ, ଦଳଗତନୃତ୍ୟ, ଓଡିଶୀ ପ୍ରଭୃତି ପରିବେଷଣ କରି ସମବେତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




