ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀର ୨୪ଟି ସ୍ଥାନରେ ଗଦା ହୋଇଥିବା ବାତ୍ୟା ଅଳିଆ ଏବେ ସ୍ଥାନୀୟ ଲୋକଙ୍କ ସହିତ ଅଗ୍ନିଶମ ବିଭାଗର ନିଦ ହଜାଇ ଦେଲାଣି । ଗଦାହୋଇ ରହିଥିବା ଶୁଖିଲା ଡାଳ ପତ୍ରରେ ଯେଭଳି ନିଆଁ ନଲାଗେ ସେଥିପାଇଁ ପାଣି ସିଞ୍ଚନ କାର୍ଯ୍ୟରେ ଅଗ୍ନିଶମ ବିଭାଗ ଦିନ ରାତି ଲାଗିପଡିଛି । ଫନୀ ମାଡରେ ରାଜଧାନୀରେ ଭାଙ୍ଗିଯାଇଥିବା ଓ ଉପୁଡି ପଡିଥିବା ଗଛ ଗୁଡିକୁ କାଟି ପୂର୍ତ୍ତ ବିଭାଗ ପକ୍ଷରୁ ସହରର ୨୪ ସ୍ଥାନରେ ଗଦାଇ ରଖାଯାଇଛି । ଏହି ସ୍ଥାନ ମଧ୍ୟରୁ ଅଧିକାଂଶ ହେଉଛି ବିଦ୍ୟାଳୟ ଓ ମନ୍ଦିର ପରିସର । ଏତେ ବିପୁଳ ପରିମାଣର ଡାଳ ପତ୍ର ପକାଇବାକୁ ସ୍ଥାନ ନଥିବାରୁ ତାହାକୁ ନିକଟସ୍ଥ ବିଦ୍ୟାଳୟ ପରିସରରେ ଗଦାଇ ରଖାଯାଇଛି । ସେଠାରୁ ଧିରେ ଧିରେ ବିଭିନ୍ନ ଅଳିଆ ଗଦାକୁ ପଠାଯାଉଛି । ହେଲେ ଗଦା ହୋଇ ରହିଥିବା ଶୁଖିଲା ଡାଳପତ୍ରରେ କାଳେ ନିଆଁଲାଗି ଅଘଟଣ ଘଟିବ ସେଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପାଣି ସିଞ୍ଚନ ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଛି । ଫଳରେ ଅଗ୍ନିଶମ ବିଭାଗର ୧୨ଟି ଗାଡି ଓ ପ୍ରାୟ ୪୦ ଜଣ କର୍ମଚାରୀ ଗତ ୧୨ ତାରିଖରୁ ବୁଲି ବୁଲି ପାଣି ସିଞ୍ଚନ କାମରେ ଲାଗିଛନ୍ତି । ଦିନକୁ ତିନିଥର କରି ପାଣି ପକା ଯାଉଥିବାବେଳେ ଆବଶ୍ୟକତା ସ୍ଥାନରେ ଅଧିକଥର ବି ପାଣି ପକାଯାଉଛି । ପ୍ରଥମେ ୩୬ଟି ସ୍ଥାନରେ ବାତ୍ୟା ଅଳିଆ ଗଦା ହୋଇଥିବାବେଳେ ଏବେ ତାହା ୨୪ଟି ସ୍ଥାନକୁ ହ୍ରାସ ପାଇଛି । ହେଲେ ଏହି ଅଳିଆ ପକାଇବାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖାଯିବା ପରେ ସମସ୍ତ ସ୍ଥାନରୁ ଅଳିଆ କେବେ ଉଠିବ ତାହା କେହି କହିପାରୁ ନାହାନ୍ତି । ବିଶେଷକରି ସବୁଠାରୁ ବଡ ଡମ୍ପିଂୟାର୍ଡ କୁହାଯାଉଥିବା ଦାରୁଠେଙ୍ଗରେ ଅଳିଆ ଗଦାରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଲୋକେ ଅଳିଆ ପକାଇବାକୁ ବାରଣ କରୁଛନ୍ତି । ତେଣୁ ଅଳିଆ ଉଠାଇବାରେ ସମସ୍ୟା ଦେଖାଦେଉଛି । ଅନ୍ୟପଟେ ଏବେ ବି ସହରର ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଗଛ କଟାହୋଇ ଅଳିଆ ଗଦାକୁ ଆସିବାରେ ଲାଗିଛି । ଉଲ୍ଲେଖନୀୟ ଯେ ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ଗଛ ଗୁଡିକୁ ଲୋକେ ନିଜ ଆବଶ୍ୟକ ଅନୁଯାୟୀ ନେଇ ପାରିବେ ବୋଲି ସରକାର କହିବାପରେ କିଛି ଗଛକୁ ଲୋକେ ନେଇ ଯାଇଥିଲେ । ହେଲେ ଏହାର ପରିମାଣ ଢେର କମ୍ ଥିଲା । ତେଣୁ ରାଜଧାନୀପାଇଁ ଏବେ ବାତ୍ୟା ଅଳିଆ ବଡ ସମସ୍ୟା ସୃଷ୍ଟି କରିଛି । ବିଦ୍ୟାଳୟ ଖୋଲିବା ପୂର୍ବରୁ ଅଳିଆ ଉଠାଇବାପାଇଁ କର୍ତ୍ତୃପକ୍ଷ ଲାଗି ପଡିଥିବାବେଳେ ନିଆଁ ଭୟ ଏବେ ସାଧାରଣ ଲୋକଙ୍କ ସହିତ ଅଗ୍ନିଶମ ବିଭାଗକୁ ଚିନ୍ତାରେ ପକାଇଛି ।
ରିପୋର୍ଟ : ଆକାଶ ମିଶ୍ର