ନାଗସାପ ସହ ଯୁଦ୍ଧ କରି ପୋଷା କୁକୁର ମୃତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମଣିଷ ଠାରୁ ପଶୁ କୁକୁର ଅତି ବିଶ୍ୱସ୍ତ ବୋଲି ସମସ୍ତେ ଜାଣନ୍ତି । ହେଲେ ସେହି ପଶୁ ଆଜି ତାର ମାଲିକର ପରିବାରକୁ ଏକ ନିଶ୍ଚିତ ଅଘଟଣରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚାଇ ଦେଇଛି । କେବଳ ସେତିକି ନୁହେଁ ଏଥିପାଇଁ ତାକୁ ନିଜର ଜୀବନ ଦେବାକୁ ପଡିଛି । ପୁରା ଘଟଣା ହେଲା, ଗଜପତିନଗର ନିକଟସ୍ଥ ନୀଳାଞ୍ଚଳ ନଗର ସପ୍ତମ ଲାଇନ ଏକ୍ସଟନସନରେ ରହୁଛନ୍ତି କାହ୍ନୁ ଚରଣ ପଣ୍ଡା । ସେ ଏକ କୁକୁର ଦୀର୍ଘ ଦିନ ହେଲା ପାଳି ଥିଲେ । ଗତ ମଙ୍ଗଳବାର ଦିନ ଅପରାହ୍ନ ୪ ଟା ସମୟରେ ଏକ ବିରାଟ କୋଳଥୀଆ ନାଗ ଶ୍ରୀ ପଣ୍ଡାଙ୍କ ଘର ଭିତରକୁ ଯାଉଥିବା ବେଳେ ଘର ସମ୍ମୁଖରେ ଥିବା କୁକୁର ନାଗ ସାପର ବାଟ ଆଗୁଳିଥିଲା । ଏହି ସମୟରେ ସାପ ଏବଂ କୁକୁର ମଧ୍ୟରେ ବେଶ କିଛି ସମୟ ଯୁଦ୍ଧ ଚାଲିଲା । ସାପ ଘର ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ କୁକୁର ତାହାକୁ ବାଧା ଦେଇଥିଲା । ଏହପରି ଏକ ଘଣ୍ଟା କାଳ ଯୁଦ୍ଧ ଚାଲିଥିଲା । ଏହି ସମୟ ମଧ୍ୟରେ ବିଷାକ୍ତ ନାଗଟି କୁକୁରକୁ ଅନେକ ବାର ଚୋଟ ମାରିଥିଲା । ଏହା ସତ୍ତ୍ୱେ କୁକୁର ସାପକୁ ମାଲିକଙ୍କ ଘର ଭିତରକୁ ଯିବାକୁ ଦେଇ ନଥିଲା । ଶେଷରେ କୁକୁରଟି ମଧ୍ୟ ସାପକୁ କାମୁଡି ଦୁଇ ଖଣ୍ଡ କରି ଦେଇଥିଲା । ଏହାପରେ କୁକୁରଟି ବେହୋସ ହୋଇ ପଡିଯାଇଥିଲା । ଏହାପରେ ମାଲିକ ପଶୁ ଡାକ୍ତର ଖାନାକୁ ନେଇ ଥିଲେ । କିନ୍ତୁ ଦୁଃଖର ବିଷୟ କୁକୁରଟିକୁ ବଂଚେଇ ପାଇଲେ ନାହିଁ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା