

ରାୟଗଡା (ସମୃଦ୍ଧ ଓଡିଶା) ନାଗାବଳୀ ନଦୀରେ ଗାଧୋଇବା ହେଲା ଯୁବକଙ୍କ ପାଇଁ କାଳ । କିଛି ମାସ ବ୍ୟବଧାନରେ ନାଗବଳୀ ନଦୀରେ ଯାଇଛି ଆଉ ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ଜଣକ ହେଲେ କେ.ନାଗେଶ (୧୮) । ସେ ପଡୋଶୀ ଆନ୍ଧ୍ର ଗୋପାଳପଟନମ ନାଇଡୁପେଟା ଅଞ୍ଚଳର । ଉକ୍ତ ଗ୍ରାମରୁ ପାଞ୍ଚ ପରିବାର ରବିବାର ରାୟଗଡା ଜିଲା ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦର୍ଶନ ସାରି ନାଗାବଳୀ ନଦୀ ଉପରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଥିଲେ ମଧ୍ୟ ସେଠାରେ ଗାଧୋଇ ଥିଲେ । ଏହି ସମୟରେ ନଦୀର ସ୍ରୋତ ପ୍ରଖର ହୋଇଯିବାରୁ ଏଥିରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗ ଏବଂ ଟାଉନ ଥାନା ଅଧିକାରୀଙ୍କୁ ସୂଚନା ମିଳିବା ପରେ ଅଗ୍ନିଶମ ସେବା କର୍ମଚାରୀ ସେଠାରେ ପହଞ୍ଚି ଉର୍ଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ସ୍ଥାନୀୟ ମାଡ଼ିଗୁଡା ଗ୍ରାମର ଦୁଇ ଯୁବକ ରମେଶ ମେଲେକା ଏବଂ ତ୍ରୀନାଥ ତାଡିଙ୍ଗି ନଦୀ ଭିତରୁ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ଏହାପରେ ମରଶରୀରକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ

