ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଶିଷ୍ଟ ସଂଳାପକାର, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ନିକଟରେ ସମ୍ମାନଜନକ ଜୟଦେବ ପୁରସ୍କାର ପାଇଥିଲେ । ବିଜୟ ମିଶ୍ରଙ୍କ ଜନ୍ମ ବାଲେଶ୍ଵର ଜିଲ୍ଲା ସନ୍ତରା ଗାଡ଼ିଆ ଗ୍ରାମରେ । ସେ ନୀଳଗିରି ହାଇସ୍କୁଲରେ ମାଟ୍ରିକ ପାସ୍ କରି ବାଲେଶ୍ଵର ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଆଇଏସ୍ସି ପଢ଼ିଥିଲେ ଏହାପରେ କଟକ ବୋସ୍ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ । ସେ ‘ପଞ୍ଚଜନ୍ୟ’ ପତ୍ରିକାରୁ ନିଜ ଲେଖା ଆରମ୍ଭ କରିଥିଲେ । ବିଜୟ ମିଶ୍ର ତାଙ୍କ ଜୀବନ କାଳରେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଛନ୍ତି । ତାଙ୍କ ନାଟ୍ୟ ପୁସ୍ତକ ବାନପ୍ରସ୍ଥ ପାଇଁ ସେ ୨୦୧୩ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଏହାପୂର୍ବରୁ ଯାଦୁକର ନିମନ୍ତେ ୧୯୮୭ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୬ରେ ବାଇସ୍କୋପ ପୁରସ୍କାର ପାଇଥିଲେ । ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ନାଟକର ସ୍ରଷ୍ଟା ଥିଲେ। ତାଙ୍କ ଲିଖିତ ତଟ ନିରଞ୍ଜନା ନାଟକ ବିଭିନ୍ନ ଭାଷାରେ ଅନୁବାଦିତ କରାଯାଇଛି । ଏହାସହ ସେ ଜନନୀ, ଏକାକୀ, ଅଶାନ୍ତ ଗ୍ରହ, ଯଯାବର, ସାଗର ତୀରେ, ଅସତ୍ୟ ସହର, କଥାଟିଏ କହୁଁ, ଯାଦୁକର, ତଟ ନିରଞ୍ଜନା ଭଳି ଅନେତ ନାଟକ ରଚନା କରିଛନ୍ତି ।
ରିପୋର୍ଟ : ହରପ୍ରସାଦ ବିଷୋୟୀ