
ଜଳେଶ୍ୱର (ସମୃଦ୍ଧ ଓଡିଶା) ସୁବର୍ଣ୍ଣରେଖା ନଦୀରେ ଥିବା ଫେରିଘାଟ ଗୁଡିକ ମଧ୍ୟରୁ କାଁ ଭାଁ ଛାଡିଦେଲେ ଏବେ ଚାଲିଥିବା ନୌକାଘାଟର କୌଣସି କାଗଜପତ୍ର, ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ନୌକାଘାଟରେ ବ୍ୟାପକ ଚାନ୍ଦା ଆଦାୟ ଅଦ୍ୟାବଧି ଚାଲିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣ ହେଲେ ଏଥିପ୍ରତି ନୌକାଘାଟିଆ କୌଣସି ଦାୟିତ୍ୱ ନ ନେଉଥିବା ବେଳେ ସରକାର ଓ ଉଚ୍ଚ କର୍ମକର୍ତ୍ତା ନିନ୍ଦିତ ହେଉଛନ୍ତି । ସୁବର୍ଣ୍ଣରେଖା ନଦୀଟି ଓଡିଶାରେ ୬୦କିମି ଅତିକ୍ରମ କରି ବଙ୍ଗୋପସାଗରରେ ପଡିଛି । ନଦୀର ଗୋଟିଏ ପାର୍ଶ୍ୟରୁ ଅପର ପାଶ୍ୱର୍କୁ ଯାତାୟାତ ଲାଗି ନୌକାଘାଟ ଏକମାତ୍ର ଭରସା । ସୂଚନା ଅନୁଯାୟୀ ସୁବର୍ଣ୍ଣରେଖା ନଦୀର ମାକିଡିଆ,. ଓଲମରା, କୁଅଁରପୁର, ତୋଟାପଡା, ଦକ୍ଷିଣପ୍ରହରାଜପୁର, ଗୋବରଘଟା, ଲକ୍ଷ୍ମଣନାଥ, ଶିଖରପୁର, ବନ୍ଧମୁ ଣ୍ଡି, ପଶ୍ଚିମବାଡ. ରେଳା, ଜମାଳପୁର, କଣ୍ଟାପାଳ, ଏକତାଳି, ଦହମୁଣ୍ଡା, ବାଇଗଣବାଡିଆ, ଆରୁହାବୃତ୍ତି, ଖଳାବଡିଆ, ପନ୍ତେଇ ଓ କିର୍ତ୍ତନୀୟ ଠାରେ ଫେରିଘାଟ ଥିଲା ପୂର୍ବରୁ ସବୁ ଫେରିଘାଟ ସରକାରଙ୍କ ପକ୍ଷରୁ ବ୍ଲକ ନିଲାମ ଦେଉଥିଲା ବେଳେ ପରବର୍ତ୍ତୀ ସମୟରେ ସ୍ଥାନୀୟ ପଂଚାୟତ ସେ ଗୁଡିକୁ ନିଲାମ ଦେଇ ଆସୁଛି । କିନ୍ତୁ, ଲକ୍ଷ୍ମଣନାଥ, ଶିଖରପୁର, କଣ୍ଟାପାଳଠାରେ ସୁବର୍ଣ୍ଣରେଖାର ସେତୁ ନିର୍ମାଣ ହୋଇଥିବାରୁ ଏଠାରେ ଫେରିଘାଟର ଆବଶ୍ୟକତା ପଡୁନାହିଁ । କିନ୍ତୁ ଚଳିତବର୍ଷ ମାତ୍ର ୩ଟି ଫେରିଘାଟକୁ ବାଦ ଦେଲେ ଅନ୍ୟ କୌଣସିଟିକୁ ସରକାରୀଭାବେ ନିଲାମ ଦିଆଯାଇନାହିଁ । ଜଳେଶ୍ୱରର ମାକିଡିଆ ଓ ଓଲମରା, ଭୋଗରାଇର ପନ୍ତେଇ ଫେରିଘାଟର ନିଲାମଧାରୀ ଲାଇସେନ୍ସ ନ ଥିବା ବେଳେ ଲିଖିତ ଭାବେ ୧ମାସ ସମୟ ନେଇଛନ୍ତି । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଫେରିଘାଟ ନିମନ୍ତେ ସରକାରଙ୍କଠାରେ ରେଜିଷ୍ଟ୍ରେସନ, ନିର୍ଦ୍ଦିଷ୍ଟ ବିଭାଗ ଠାରୁ ଲାଇସେନ୍ସ, ଯାତ୍ରୀମାନଙ୍କର ଲାଇଫ ଜାକେଟ୍, ବୀମା ବ୍ୟବସ୍ଥା, ନଦୀର ୨ପଟେ ଯାତ୍ରୀ ବିଶ୍ରାମାଗାର, ଯାତ୍ରୀ ସୁରକ୍ଷା ଏବଂ ନଦୀର ଉଭୟପଟେ ନିର୍ଦ୍ଧାରିତ ଭଡାସୂଚୀ ସାଇନ୍ବୋଡ ଦର୍ଶାଯିବା ଏକାନ୍ତ ଆବଶ୍ୟକ । କିନ୍ତୁ କୌଣସି ଫେରୀଘାଟରେ ଏ ସମସ୍ତ ବ୍ୟବସ୍ଥା ନ ଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା