ନିଃଶୁଳ୍କ ଶିକ୍ଷା ଓ କର୍ମନିଯୁକ୍ତି ଦାବିରେ ୨୮ ସେପ୍ଟେମ୍ବର ରାଜ୍ୟବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବ : ଅଖିଳ ଭାରତ ଛାତ୍ରସଂଘ

ଭୁବନେଶ୍ୱର(ଆକାଶ ମିଶ୍ର)  : ଅଖିଳ ଭାରତ ଛାତ୍ରସଂଘ (ଏ.ଆଇ.ଏସ୍ .ଏଫ୍ .)ର ରାଜ୍ୟସ୍ତରୀୟ କନ୍ ଭେନ୍ ସନ୍ ଭୁବନେଶ୍ୱରସ୍ଥିତ ୟୁନିଟ୍ -୬ରେ ଅନୁଷ୍ଠିତ ହୋଇଯାଇଅଛି। ସଂଘମିତ୍ର ଜେନା, ଜିତେନ୍ଦ୍ର ଦାସ ଓ ଜଗଦିଶ୍ ଦୁର୍ଗାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ଏହି କନ୍ ଭେନ୍ ସନ୍ ପରିଚାଳନା କରିଥିବାବେଳେ ଏହାକୁ ଏ.ଆଇ.ଏସ୍ .ଏଫ୍ .ର ସର୍ବଭାରତୀୟ ସାଧାରଣ ସମ୍ପାଦକ ବିଶ୍ୱଜିତ୍ କୁମାର ଉଦ୍ଘାଟନ କରି କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଭାରତରେ ସ୍ୱାଧୀନତା, ଗଣତନ୍ତ୍ର, ସମ୍ବିଧାନ, ଶିକ୍ଷା ଓ ଅର୍ଥନୀତି ମହାସଂକଟ ମଧ୍ୟରେ ପଡ଼ିଛି। ଶିକ୍ଷାର ସାମ୍ପ୍ରଦାୟିକ କରଣ, ଅଣ ବୈଜ୍ଞାନିକ ତଥା ଅନ୍ଧବିଶ୍ୱାସ ସହ ଇତିହାସକୁ ଭୁଲ୍ ତଥ୍ୟ ଭିତ୍ତିରେ କଳୁଷିତ କରିବା କାର୍ଯ୍ୟ ଚାଲିଛି। ଉଚ୍ଚଶିକ୍ଷାକୁ ସଙ୍କୁଚିତ କରି ରିଲାଏନ୍ସ ଭଳି ଦେଶୀବିଦେଶୀ କମ୍ପାନୀମାନଙ୍କ ପାଦତଳେ ସମର୍ପଣ ପାଇଁ ୟୁଜିସି ବନ୍ଦ କରିବା, ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ଅନୁଷ୍ଠାନଗୁଡ଼ିକୁ ଆର.ଏସ୍ .ଏସ୍ . କବଜାକୁ ନେବା ଘଟଣା ଚାଲିଥିବାବେଳେ ଏହା ବିରୁଦ୍ଧରେ ଦେଶବ୍ୟାପୀ ଏ.ଆଇ.ଏସ୍ .ଏଫ୍ . ପକ୍ଷରୁ କ୍ରମାଗତ ଭାବେ ସଂଘର୍ଷ ଜାରି ରହିଥିବା ବେଳେ ଜାବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଏ.ଆଇ.ଏସ୍ .ଏଫ୍ . ସମେତ ଏ୍ୟକ୍ୟବଦ୍ଧ ବାମପନ୍ଥୀ ଛାତ୍ରସଂଗଠନର ବିପୁଳ ବିଜୟ ହୋଇଛି। ବିଜେପିର ଛାତ୍ରସଂଗଠନ ଏ.ବି.ଭି.ପି. ପରାଜୟ ଭୟରେ ଛାତ୍ରସଂସଦ ନିର୍ବାଚନ ଭୋଟ୍ ଗଣତି ବନ୍ଦ କରିବା ପାଇଁ ଆତଙ୍କରାଜ କରିଥିବାବେଳେ ଏ.ବି.ଭି.ପି.ର ଗଣତନ୍ତ୍ର ବିରୋଧି ଭୂମିକା ପଦାରେ ପଡ଼ିଛି। ଏହି ପୃଷ୍ଠଭୂମିରେ ସାର୍ବଜନୀନ ବିଜ୍ଞାନସମ୍ମତ ନିଃଶୁଳ୍କ ଶିକ୍ଷା ଓ କର୍ମନିଯୁକ୍ତି ସହ ବିଭିନ୍ନତା ମଧ୍ୟରେ ଏକତାକୁ ସୁଦୃଢ କରିବା ପାଇଁ ୨୭ରୁ ୨୯ ସେପ୍ଟେମ୍ବର ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଭାରତ ମୁକ୍ତି ଆନ୍ଦୋଳନର ଅଗ୍ନିଗର୍ଭରୁ ଜନ୍ମ ନେଇଥିବା ଏ.ଆଇ.ଏସ୍ .ଏଫ. ଏହାର ୮୨ ବର୍ଷରେ ୨୯ତମ ଜାତୀୟ ସମ୍ମିଳନୀ ସଂଗଠିତ କରୁଅଛି। ଲୁଣ୍ଠନମୁକ୍ତ, ଅତ୍ୟାଚାରମୁକ୍ତ, ଘୃଣାମୁକ୍ତ, ସସାଜଗଠନ ପାଇଁ ଏହି ସମ୍ମିଳନୀ ଦିଶା ନିର୍ଦ୍ଦେଶ ଦେବାକୁ ଥିବାରୁ ଏହାର ସଫଳତା ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟ ଆବାହକ ଜଗନ୍ନାଥ ପାତ୍ର ଗତ ଦୁଇବର୍ଷର ବିବରଣୀ ଉପସ୍ଥାପନ ସହ ଆସନ୍ତା ୨୮ ସେପ୍ଟେମ୍ବର ସହୀଦ ଭଗତ ସିଂହଙ୍କ ଜୟନ୍ତୀରେ ଶିକ୍ଷା ଓ ନିଯୁକ୍ତି ଦାବିରେ ରାଜ୍ୟବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ ସହ ଓଡ଼ିଶାରେ ଆସନ୍ତା ଅକ୍ଟୋବରରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନରେ ଛାତ୍ରସଂସଦକୁ ସାମ୍ପ୍ରଦାୟିକ ହିଂସା, ଦ୍ୱେଷ ଓ କଳାଧନର ପ୍ରଭାବମୁକ୍ତ ରଖିବା ପାଇଁ ଏ.ଆଇ.ଏସ୍ .ଏଫ୍ . ପ୍ରାର୍ଥୀମାନେ ଅନ୍ୟାନ୍ୟ ଧର୍ମନିରପେକ୍ଷ ବାମପନ୍ଥୀ ଶକ୍ତିଙ୍କୁ ନେଇ ନିର୍ବାଚନ ଲଢିବାର ପ୍ରସ୍ତାବ ଆଗତ କରିଥିଲେ। ଏହି ସମ୍ମିଳନୀରେ ପୂର୍ବତନ ଉଚ୍ଚଶିକ୍ଷା ଉପନିର୍ଦ୍ଦେଶକ ତଥା ବିଶ୍ୱ ଶିକ୍ଷକ ସଂଘର ନେତା ଡଃ ଅମୀୟ ମହାନ୍ତି ଉଦ୍ ବୋଧନ ଦେଇ ପ୍ରଚଳିତ ଶିକ୍ଷାର ବ୍ୟବସାୟୀକରଣ ଓ ଗୈରୀକରଣ ବନ୍ଦ କରି ସାର୍ବଜନୀନ ବିଜ୍ଞାନ ସମ୍ମତ ଶିକ୍ଷା ବ୍ୟବସ୍ଥା ପ୍ରଣୟନ ପାଇଁ ଗୁରୁତ୍ୱପ୍ରଦାନ କରିଥିଲେ। ସମଗ୍ର ରାଜ୍ୟର ବିଭିନ୍ନ କଲେଜ ଓ ଜିଲ୍ଲାମାନଙ୍କରୁ ଆସିଥିବା ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀ ସର୍ବଭାରତୀୟ ସମ୍ମିଳନୀ ପାଇଁ ପ୍ରତିନିଧି ନିର୍ବାଚିତ କରିଥିଲା। ଆଗାମୀ ଦିନ ପାଇଁ ୨୩ଜଣିଆ ରାଜ୍ୟ ପରିଷଦ ଓ ୭ ଜଣିଆ କର୍ମକର୍ତ୍ତା ମଣ୍ଡଳୀରେ ରାଜ୍ୟ ସଭାପତି ଭାବେ ସଂଘମିତ୍ରା ଜେନା, ଉପସଭାପତି ସଇଫୁଲ୍ଲା ଖାଁ ଓ ସୁମନ୍ତ ନାହାକ, ରାଜ୍ୟ ସମ୍ପାଦକ ଭାବେ ଜଗନ୍ନାଥ ପାତ୍ର, ସହସମ୍ପାଦକ ଭାବେ ଝିଲ୍ଲି ବାଗ୍ ଓ ଅପର୍ଣ୍ଣା ରାଉତରାୟ ଏବଂ କୋଷାଧ୍ୟକ୍ଷ ଭାବେ ଅରୁଣ ସର୍ଦ୍ଦାର ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀକୁ ଅଖିଳ ଭାରତ ଯୁବକ ସଂଘର ରାଜ୍ୟ ସଭାପତି ସଦନନ୍ଦ ସାହୁ, ପୂର୍ବତନ ଏ.ଆଇ.ଏସ୍ .ଏଫ୍ . ରାଜ୍ୟ ସଭାପତି ଡାକ୍ତର ପ୍ରଶାନ୍ତ ମିଶ୍ର, ଏନ୍ . ନାରାୟଣ ରେଡ୍ଡୀ, ପୂର୍ବତନ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ଅଭିଜିତ୍ ସାହୁ, ସୁବାଷ ମହାପାତ୍ର, ପ୍ରମୁଖ ଅଭିନନ୍ଦନନ ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ପୂର୍ବତନ ଜାତୀୟ ସଭାପତି ରାମକୃଷ୍ଣ ପଣ୍ଡା ପତାକା ଉତ୍ତୋଳନ କରିଥିଲେ।