ନିଆଁ ଲାଗି ୮ଟି ପରିବାରର ୧୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ:ତୁରନ୍ତ ସରକାରୀ ସହାୟତା ସହ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ଦାବୀ…

ଧରାକୋଟ (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଦିନ ଦିନ ୨ଘଣ୍ଟା ସମୟରେ ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମର ମଝିସାହିରେ ନିଆଁ ଲାଗି ୮ଟି ପରିବାରର ୧୪ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡ଼ି ଭସ୍ମୀଭୂତ ହୋଇଯାଇଛି । ଏହି ଘଟଣାର ଖବର ପାଇ ଧରାକୋଟ ଅଗ୍ନିକାଣ୍ଡ ଅଧିକାରୀ ପହଁଚିଥିଲେ । ନିଆଁ ଏତେ ଜୋରରେ ଲାଗିଥିଲା ଯେ ୨ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କଲା ପରେ ଯାଇ ନିଆଁକୁ ଆୟତ୍ତ କରିପାରିଥିଲେ । ଏହାପରେ ସ୍ଥାନୀୟ ତହସିଲଦାର ଗଦାଧର ପାତ୍ର ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ୫ଦିନ ପାଇଁ ଖାଦ୍ୟ, ପଲିଥିନ୍‌ ଅଗ୍ନିବିପନ୍ନ ପରିବାରକୁ ପ୍ରଦାନ କରିଥିଲେ ଏବଂ ସରକାରୀ ନିୟମ ପ୍ରକାରେ ବିପନ୍ନଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି କହିଥିଲେ । ଅଗ୍ନିବିପନ୍ନ ପରିବାର ଗୁଡ଼ିକ ଗରିବ ଶ୍ରେଣୀର ହୋଇଥିବାରୁ ଭିଟାମାଟି ହରାଇ ସର୍ବସ୍ୱାନ୍ତ ହୋଇପଡିଛି । ତୁରନ୍ତ ସରକାରୀ ଯୋଜନାରେ ଆର୍ଥିକ ସହାୟତା ସହ ଗୃହ ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ହେଲେ ଗ୍ରାମର କମଳ ଲୋଚନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, ହରି ପ୍ରଧାନ, କବିରାଜ ପ୍ରଧାନ, ଜଟିଆ ପ୍ରଧାନ, ରବି ଗୌଡ଼ ଓ ପିତବାସ ଗୌଡ଼ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା