
ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଖେମୁଣ୍ଡି ଓକିଲ ସଂଘ ଆନୁକୁଲ୍ୟରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୭ତମ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଶିଶିର କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀକୁ ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସେ ନିଜ ବକ୍ତବ୍ୟରେ ମନ୍ତ୍ରୀ ପାତ୍ର ଓକିଲଙ୍କ ସ୍ୱାର୍ଥରକ୍ଷା ଦିଗରେ ସରକାରଙ୍କ ଆନ୍ତରିକତା ରହିଥିବା ପ୍ରକାଶ କରିଥିଲେ । ଆଇନଜୀବୀ କଲ୍ୟାଣପାଣ୍ଠିକୁ ରାଜ୍ୟ ସରକାର ମ୍ୟାଚିଂଗ୍ରାଣ୍ଟ ଯୋଗାଇ ଦେଉଥବା ବେଳେ ପଞ୍ଚାୟତ ସ୍ତରୀୟ ଆଇନ ପରାମର୍ଶଦାତା ନିଯୁକ୍ତି ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯିବା କ୍ଷେତ୍ରରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ତେବେ ଆଇନଜୀବୀମାନେ ନିଜ ସ୍ୱାର୍ଥ ସହ ସମାଜର ସାଧାରଣ ଲୋକେ ଯେଭଳି ଉପଯୁକ୍ତ ଓ ତ୍ୱରିତ ନ୍ୟାୟ ପାଇପାରିବେ ସେ ଦିଗରେ ମଧ୍ୟ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ । ସେହିଭଳି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ପ୍ରାଧ୍ୟାପକ ଡ.ଭାଗୀରଥୀ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ପେଶାଗତ ଦୃଷ୍ଟିରୁ ଆଇନଜୀବୀମାନେ ବିଭିନ୍ନ ସମୟରେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାରୁ ‘ଆଇନଜୀବୀ ସୁରକ୍ଷା ଆଇନ’ ପ୍ରଣୟନ କରାଯିବାର ଆବଶ୍ୟକତା ରହିଥିବା ମତବ୍ୟକ୍ତ କରିଥିଲେ । ନିୟମିତ କନିଷ୍ଠ ଆଇନଜୀବୀମାନଙ୍କୁ ପାରିତୋଷିକ ପ୍ରଦାନ ସହ ସରକାର ସମସ୍ତ ଆଇନଜୀବୀଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଲାଗୁ କରିବା ଆବଶ୍ୟକ ବୋଲି ସେ କହିଥିଲେ । ସେହିଭଳି ଦ୍ୱିତୀୟ ଅଧିବେଶନରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନା ଆଇନଜୀବୀଙ୍କ ଏକତା ରକ୍ଷା ଉପରେ ଆହ୍ୱାନ ଦେବା ସହ ସଦାସର୍ବଦା ଆଇନଜୀବୀଙ୍କ ସାଙ୍ଗରେ ରହିଥିବା ପ୍ରକାଶ କରିଥିଲେ । ଏହି ଅବସରରେ ସ୍ମରଣିକା ‘ଦି ଲୟର’ ଉନ୍ମୋଚିତ ହେବା ସହ ଆଓଲା ପୂର୍ବତନ ସଭାପତି ଉମାକାନ୍ତ ମିଶ୍ରଙ୍କ ସମେତ ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ରସାନନ୍ଦ ରାଉତ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ନିରଞ୍ଜନ ନାୟକ ଏବଂ ଖେମୁଣ୍ଡି ବାର ସମ୍ପାଦକ ଅଶେଷ ମିଶ୍ର ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଆଗାମୀ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇ ଖୋର୍ଦ୍ଧା ବାରର ଆଇନଜୀବୀ ବିଚିତ୍ର ବଡ଼ଜେନାଙ୍କୁ ସଭାପତି ଓ ଅନୁଗୁଳ ବାରର ଆଇନଜୀବୀ ସତ୍ୟଜିତ୍ ସାହୁଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଏଥିରେ ଆଇନଜୀବୀ ପ୍ରଭାକର ରାଉତ, ବାର କାଉନସିଲ ସଦସ୍ୟ ଦୀପକ ପଟ୍ଟନାୟକ, ରାଜେନ୍ଦ୍ର ପ୍ରଧାନ, ଛବିଳ ମିଶ୍ର, ନିର୍ମଳ ସାହୁ, ପ୍ରଦୀପ ପଣ୍ଡା, ପୀତବାସ ପଣ୍ଡା, କିଶୋର ବିଷୋୟୀ, କିଶୋର ଚନ୍ଦ୍ର ମିଶ୍ର, ଡ.ସୁଧାଂଶୁ ପତି, ଅକ୍ଷୟ ପତି, ଖେମୁଣ୍ଡି ଓକିଲ ସଂଘ ଉପସଭାପତି ହରପ୍ରସାଦ ରଥ, ସହସମ୍ପାଦକ ମନୋରଞ୍ଜନ ପଣ୍ଡାଙ୍କ ସମେତ ପରେଶଚନ୍ଦ୍ର ରଥ, ରବିନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମୀନାରାୟଣ ପାଢ଼ୀ, ହେମନ୍ତ ପାଣିଗ୍ରାହୀ, ରଞ୍ଜନ ବେହେରା, ସୂର୍ଯ୍ୟନାରାୟଣ ସାହୁ, ପ୍ରଦୀପ ନାୟକ, ଏ.ସୋମେଶ୍ୱର ରଥ, ସନ୍ତୋଷ ସାହୁ, ନକୁଳ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ କରୁଣାକର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



