ନିଜାମୁଦ୍ଦିନ ଧାର୍ମିକ ସମ୍ମଳନୀରୁ ଫେରି ଲୁଚିଥିବା ସଂଦିଗ୍ଧ ଘଟଣା ଏକ ଗୁଜବ ?…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁଚର୍ଚ୍ଚିତ ଓ ସ୍ପର୍ଷକାତର ନିଜାମୁଦଦ୍ଦିନ ଧାର୍ମିକ ସମ୍ମିଳନୀରୁ ଫେରିଥିବା କିଛି ବ୍ୟକ୍ତି ଜଳେଶ୍ୱରରେ ଲୁଚି ରହିଥିବା ଘଟଣା ସାମ୍ପ୍ରତିକ ପରିସ୍ଥିତିରେ ଏକ ଆଲୋଚ୍ୟର ବିଷୟ ହୋଇଛି । କିନ୍ତୁ ଏହା ଏକ ଗୁଜବ ହୋଇପାରେ ବୋଲି ସ୍ଥାନୀୟ ଓ ଜିଲା ପ୍ରଶାସନ ପ୍ରକାଶ କରିଛି । ତଥାପି ବହୁ ବ୍ୟକ୍ତିଙ୍କ ମନରୁ ସନ୍ଦେହ ଦୂରିଭୂତ ହୋଇନାହିଁ । ଘଟଣାରୁ ପ୍ରକାଶ ଦିଲ୍ଲିର ନିଜାମୁଦ୍ଦିନଠାରେ ଗତ କିଛିଦିନ ତଳେ ହୋଇଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଏକ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମଳନୀରେ ବିଶ୍ୱର ୧୪ଟି ରାଷ୍ଟ୍ରର ବହୁ ବ୍ୟକ୍ତିଙ୍କ ସହିତ ଦେଶର ୧୯ଟି ରାଜ୍ୟର କେତେକ ଲୋକ ଯୋଗ ଦେଇଥିଲେ । କିନ୍ତୁ ପରେ ସେଠାରୁ ଫେରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ କରୋନାରେ ମୃତ୍ୟୁବରଣ କରିଥିବା ଓ ଅନ୍ୟ କେତେକ କରୋନା ସଂକ୍ରମିତ ହୋଇଥିବା କେନ୍ତ୍ର ସରକାରଙ୍କ ଦ୍ୱାରା ଘୋଷଣା ହେବାପରେ ଦେଶରେ ଆତଙ୍କ ସୃଷ୍ଟି ହୋଇଛି । କରୋନାର ଭୟାବହତା ପ୍ରତି ସେମାନେ ସଚେତନତା ନ ଥିବାରୁ ଏହା ଦେଶର ବିଭିନ୍ନ ସ୍ଥାନରେ ମହାମାରୀର ରୂପ ନେବା ଆଶଙ୍କା ପ୍ରକାଶ ପାଇଛି । ଏହି ଧର୍ମ ସମ୍ମିଳନୀରେ ଜଳେଶ୍ୱର ଅଂଚଳର କେତେକ ବ୍ୟକ୍ତି ଯୋଗ ଦେଇ ନିଜ ଅଂଚଳକୁ ଫେରିଥିବା ସଂପର୍କରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜଳେଶ୍ୱରରେ ୩୬ଜଣ ସଂଦିଗ୍ଧ ବ୍ୟକ୍ତି ଲୁଚିଥିବା ଚର୍ଚ୍ଚା ଜୋର ଧରିଛି । ଏଥିନେଇ ସୋସିଆଲ ମିଡିଆରେ ଭାଇରାଲ ହେବା, ରାଜପୁର ସରପଂଚଙ୍କ ଏହା ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ଇତ୍ୟାଦିପରେ ପ୍ରଶାସନ ପକ୍ଷରୁ ଜଳେଶ୍ୱରର ରାଜପୁର ଅଂଚଳକୁ ଗସ୍ତ କରିଥିଲେ । ଏହି ଘଟଣାକୁ ପୋଲିସ୍ ଆଇଆଇସି ଧନେଶ୍ୱର ସାହୁ ଏକ ଗୁଜବ କହିଥିବା ବେଳେ ହାତୀଗଡ ସିଏତ୍‌ସି ମୁଖ୍ୟ ଡା. ପ୍ରଭାସ ନାୟକ ଗାଁ ପରିଦର୍ଶନ କରିଥିଲେ । ରାଜପୁରରୁ ୧୭ଜଣ ବ୍ୟକ୍ତି ଆଜମିରର ଦରଘାକୁ ବୁଲି ଯାଇଥିଲା ବେଳେ କେହି ନିଜାମୁଦ୍ଦିନ ଯାଇନଥିବାର ସେ ପ୍ରକାଶ କରିଛନ୍ତି । ସେଠାରେ ବସବାସ କରୁଥିବା ସମସ୍ତ ବ୍ୟକ୍ତି ସୁନ୍ନି ସମ୍ପ୍ରଦାୟର ହୋଇଥିବା ବେଳେ ନିଜାମୁଦ୍ଦିନରେ ସିଆ ସମ୍ପ୍ରଦାୟର ଧର୍ମ ସମ୍ମିଳନୀ ହୋଇଥିବା କୁହଯାଇଛି । ଜଳେଶ୍ୱରରୁ ନିଜାମୁଦ୍ଦିନ ଯାଇଥିବା ଘଟଣାରେ ଜିଲା ନୋଡାଲ ଅଫିସର ଡ. ଅନ୍ତର୍ଯ୍ୟାମୀ ମିଶ୍ର ଏହା ଏକ ଗୁଜବ ବୋଲି ମତବ୍ୟକ୍ତ କରିଛନ୍ତି । ରାଜପୁରରେ କେହି ରୋଗୀ ଥଣ୍ଡାରୋଗରେ ଆକ୍ରାନ୍ତ ନାହାନ୍ତି ବୋଲି ଜଣାଯାଇଛି । ଝାଡପିମ୍ପଳରେ ୨ ଯୁବକ ଦିଲ୍ଲୀରୁ ଆସି ପ୍ରଶାସନକୁ ନଜଣାଇ କିଛିଦିନ ଘରେ ଆତ୍ମଗୋପନ କରିବାପରେ ଏବେ ଗାଁରେ ବୁଲାବୁଲି କରୁଥିବା ନେଇ ସେ ଅଂଚଳର କେତେକ ବ୍ୟକ୍ତି ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବାରୁ ପୁଲିସ୍ ଓ ଡା. ନାୟକ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ସେମାନେ ନିଜ ଘରେ ହୋମ କରେଣ୍ଟାଇନ୍‌ରେ ରହିବାର ପ୍ରତିଶୃତି ଦେଇଛନ୍ତି । ସେମାନଙ୍କ ନିକଟରେ କୌଣସି କରୋନା ଲକ୍ଷଣ ନଥିବା ଡାକ୍ତର ନାୟକ କହିଛନ୍ତି । ସେହିପରି ଲକ୍ଷ୍ମଣନାଥ ଗ୍ରାମର ଜଣେ ଯୁବକ ଖୋର୍ଦ୍ଧାରୁ ଫେରି କାଳିକ ଗ୍ରାମର ଯୁବକ ବମ୍ବେରୁ ଫେରି, ସୁଗୋର ଯୁବକ ଗୋଆରୁ ଫେରି ଗାଁରେ ବେପାରୁଆ ବୁଲାବୁଲି ଓ ଜନବସତିକୁ ଯାଉଥିବାରୁ ଡାକ୍ତର, ପୋଲିସ୍ ଓ ବ୍ଲକ ପକ୍ଷରୁ ସେ ସ୍ଥାନକୁ ଯାଇ ସେମାନଙ୍କ ଠାରେ ଲକ୍ଷଣ ପ୍ରକାଶ ପାଇନଥିବାରୁ ନିଜଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା