ମହତ ଗୁଣର ବିକାଶ ଓ ପ୍ରକାଶରେ ହିଁ ଜୀବନ ମହିମାନ୍ଵିତ ହୁଏ । ଏହା ଈଶ୍ୱରଙ୍କର ଏକ ମହାନ ଦାନ । ଜୀବନ ଭଳି ସତ୍ୟ ଓ ବାସ୍ତବ ଆଉ କିଛି ନାହିଁ । ସୁଖ ଦୁଃଖ, ହର୍ଷବିଷାଦ, ଘାତପ୍ରତିଘାତ, ଅଭାବ-ଅନଟନ ଓ ଜ୍ୱାଳା-ଯନ୍ତ୍ରଣାରେ ଅତିଷ୍ଠ ହୋଇବି କିଛି ମଣିଷ ନିଜର ମହନୀୟ ଗୁଣକୁ ପ୍ରଦର୍ଶିତ କରିଯାଇଛନ୍ତି ଓ ଆଜିବି କିଛି ଲୋକ ସେଭଳି ଅଛନ୍ତି ।ସମାଜରେ ସୁଗୁଣ ଯୋଗୁଁ ମନୁଷ୍ୟ ପ୍ରଶଂସିତ ହୁଏ ଓ ଦୁର୍ଗୁଣ ଯୋଗୁଁ ନିନ୍ଦିତ ହୋଇଥାଏ । ମଣିଷର ପରିମାପକ ହେଉଛି ସୁଗୁଣ । ଦୟା, କ୍ଷମା, ଦାନ, ସାହାଯ୍ୟ ଓ ପ୍ରେମ ମନୁଷ୍ୟର ଏକ ସୁଗୁଣ । ନିରପେକ୍ଷତା ସେହିପରି ଏକ ସୁଗୁଣ । ଏହା ଏକ ସ୍ୱର୍ଗୀୟ ପ୍ରବୃତ୍ତି ଓ ଜୀବନର ବ୍ରତ । ଭାରତୀୟ ପରମ୍ପରାର ଆଦର୍ଶକୁ ଯଦି ରୋମନ୍ଥନ କରିବା ଦେଖିବା ଆଜିର ମାନସିକତା ଓ ତତ୍କାଳୀନ ମାନସିକତା ଭିତରେ ଆକାଶ ପାତାଳର ତାରତମ୍ୟକୁ ଦେଖି ପାରିବା । ବିଜ୍ଞାନର କରାମତିରେ ଭାରତ ଯେତିକି ମହିମାମୟ ନୁହେଁ, ତାଠାରୁ ଅଧିକା ମହିମାମୟ ତାର ପ୍ରାଚୀନ ସଭ୍ୟତାର ଦେବଦୁର୍ଲଭ ଗୁଣପାଇଁ । ସମ ଭାବ ସଂମ୍ପନ୍ନ ବ୍ୟକ୍ତି ସବୁସ୍ଥାନରେ ପୂଜାପାଏ । ନିଜ ପର ଭାବନାଠାରୁ ଦୂରରେ ରହି ଯିଏ ନିରପେକ୍ଷଭାବରେ କାର୍ଯ୍ୟକରେ ସେ ହିଁ ମହାନ, ସେ ହିଁ ନାମସ୍ୟ ଏ ସଂସାରରେ । ଆଜିର ସାମାଜିକ ବିଧିବ୍ୟବସ୍ଥା ଏଭଳି ରୂପଧାରଣ କରିଛି ଯଦ୍ୱାରା କି ସାଧାରଣ ମଣିଷଟିଏ ନ୍ୟାୟ ପାଇବା କଷ୍ଟ ସାଧ୍ୟ ହୋଇପଡିଛି । ଏହାର କାରଣ ହେଲା ନିରପେକ୍ଷଭାବରେ ସମସ୍ତଙ୍କ ପ୍ରତି ସମଭାବ ସମ୍ପନ ହୋଇ କାର୍ଯ୍ୟକରିବାର ମହାନ ଗୁଣର ବିଲୋପ ସାଧନ । ପ୍ରତ୍ୟେକ କ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣ ଏକ ଅମୋଘ ଅସ୍ତ୍ର ସାଜି ସମାଜକୁ କଳଙ୍କିତ କରିଚାଲିଛି । କହିବାକୁଗଲେ ସାମାକିକ ବିଧିବ୍ୟବସ୍ଥା ଏକପ୍ରକାର ଅନ୍ୟାୟ ଓ ଅଧର୍ମର ମାର୍ଗରେ ପରିଚାଳିତ ହେଉଅଛି । ନ୍ୟାୟ ଅନ୍ୟାୟାର ଉର୍ଦ୍ଧରେ ରହି ମଣିଷ ନିଜର ଅର୍ଥ ବଳ ହେଉ ବା କ୍ଷମତା ବଳରେ ହେଉ ଅନ୍ୟର ତଣ୍ଟି ଚିପିବାରେ । ତିନି ତୁଣ୍ଡେ ଛେଳି କୁକୁର ନ୍ୟାୟେ ଅନ୍ୟର କ୍ଷତି କରିବାକୁ ଯାଇ ନିଜେ ଭସ୍ମଅସୁର ପାଲଟୁଛି ଜାଣି ପାରୁନାହିଁ । ଯାହା ପାଖରେ ଅର୍ଥ ବଳ ଅଛି ବା କ୍ଷମତା ବଳ ଅଛି ସେ ହିଁ ସମାଜରେ ଅନ୍ୟାୟ ଅଧର୍ମର ନ୍ୟାୟ ପାଉଛି । ସାଧାରଣ ମଣିଷଟିଏ ସେଥିରୁ ବଞ୍ଚିତ ହେଉଛି । ନିରପେକ୍ଷ ତଦନ୍ତର ଦ୍ୱାହିଦେଇ ଆଜି ପ୍ରତ୍ୟେକ କ୍ଷେତ୍ରରେ ଦୁର୍ବଳ ଉପରେ ଅତ୍ୟାଚାର ଚାଲିଛି । କିନ୍ତୁ ଏ ଯେ କେତେଦିନ କେହି ବୁଝୁନାହାନ୍ତି । ଯଦିବା କେହି ନିରପେକ୍ଷ ବ୍ୟକ୍ତିବିଶେଷ ଅଛନ୍ତି ସେମାନେ ସବୁ ଦେଖି ମଧ୍ୟ ଧୃତରାଷ୍ଟ୍ର ପରି ଅନ୍ଧର ଅଭିନୟ କରୁଛନ୍ତି ଓ ଆଉ କେହି କେହି ନିଜ ଆଖିରେ ନିଜେ କଳାକାନା ବାନ୍ଧି ଧର୍ମର ଜୟ ହେଉ କହି ଗାନ୍ଧାରୀ ସାଜିଛନ୍ତି । ଯେଉଁଥି ପାଇଁ ଆଜି ଭାରତ ବର୍ଷରେ ଅନେକ ନିର୍ଦୋଷ ବ୍ୟକ୍ତି ଦୁଃଖ କଷ୍ଠରେ ଜୀବନ ନିର୍ବାହ କରୁଛନ୍ତି । କହିବାକୁଗଲେ ଏକପ୍ରକାରେ “ଜୋର ଯାର ମୂଲକ ତା’ର” ନ୍ୟାୟରେ ସାମାଜିକ ବିଧିବ୍ୟବସ୍ଥା ବନ୍ଧାପଡିଛି । ଦେବଦୁର୍ଲଭ ଗୁଣ ନିରପେକ୍ଷତା ଆଜି ମୂଲ୍ୟହୀନ ହୋଇ ଦୁର୍ନୀତିଗ୍ରସ୍ତଙ୍କ ପାଦତଳେ ଚାପିହୋଇ ରହିଯାଇଛି । ମୁଁହରେ ପୁଳାଏ ରଙ୍ଗ ବୋଳି ହୋଇ ନାଟକ ଦେଖାଇବା ନ୍ୟାୟରେ ମଣିଷ ଆଜି ନୀଳବର୍ଣ୍ଣ ଶୃଗାଳର ଭୂମିକା ନିର୍ବାହ କରୁଛି । ନିରପେକ୍ଷତା ଆଜି ହାର ମାନିବାକୁ ବାଧ୍ୟ ହେଉଛି । କିନ୍ତୁ ମାନେରଖିବା ଉଚିତ ଦିନେ ନା ଦିନେ ଏ ରଙ୍ଗ ଉଡିଯିବ ଓ ଦୁର୍ନୀତିର ମୁଖା ଖୋଲିଯିବ । ସେତେବେଳ ଆମେ ନିଜେ ନିଜେ କର୍ମକୁ ହିଁ ଦୋଷଦେଇ ଆତ୍ମ ସନ୍ତୋଷ ଲାଭକରିବା ଛଡା ଅନ୍ୟ ଉପାୟ ନାହିଁ । ତେଣୁ ନିଜ ପାଖରେ ଥିବା ଦେବଦୁର୍ଲଭ ନିରପେକ୍ଷତା ଗୁଣକୁ ପରିତ୍ୟାଗ ନ କରି ସାମାଜିକ କଲ୍ୟାଣ ସାଧନରେ ସମସ୍ତେ ବ୍ରତି ହେବା ଆବଶ୍ୟକ । ହୁଏତ କିଛି ଦିନ ଅନ୍ୟର ରଙ୍ଗ ଲୋହିତ ଚକ୍ଷୁର ଅନ୍ତରାଳରେ ରହିବାକୁ ହେବ, କିନ୍ତୁ ପରବର୍ତ୍ତି ପର୍ଯ୍ୟାୟରେ ଆନନ୍ଦନ ହିଁ ଆନନ୍ଦ ମିଳିବ । ଏଥିରେ ସନ୍ଦେହ ନାହିଁ । ଆଜି ଅନେକେ ଯଦି ନିଜ ପାଖରେ ଥିବା ନିରପେକ୍ଷତାର ଗୁଣକୁ ନିର୍ଭୟରେ ପ୍ରଦର୍ଶନ କରିବେ ନିଶ୍ଚିତ ସମାଜରୁ ଅନ୍ୟାୟ, ଅନୀତି ଓ ଦୁର୍ନୀତିର ଭୟାବହତା ଦୁରିଭୁତ ହୋଇ ସାମାଜିକ କ୍ଷେତ୍ର ହିଁ ନିଃସନ୍ଦେହରେ ଗୋଟେ ଗୋଟେ ନ୍ୟାୟାଳୟରେ ପରିଣତ ହୋଇ ସମାଜରେ ଥିବା ରୁଗଣ ବିଧିବ୍ୟବସ୍ଥାକୁ ଦୁର କରିବାରେ ସହାୟ ହୋଇପାରିବ । ଏହା ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇ ଅନେକ ଅବହେଳିତଙ୍କ ଆଖିର ଲୁହ ପୋଛି ପାରିବ ।
ରଞ୍ଜନ କୁମାର ପଣ୍ଡା
ସଂସ୍କୃତ ଶିକ୍ଷକ,
ସରକାରୀ ଉଚ୍ଚ ବିଦ୍ୟାଳୟ, ଗୁପ୍ତେଶ୍ଵର
କୋରାପୁଟ