ନିର୍ବାଚନ ଆସିଲେ ମହିଳା ବଜେଟ୍ ବଢ଼େ : ନିରଂଜନ ପଟ୍ଟନାୟକ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ମହିଳା ସଶକ୍ତିକରଣ ଓ ମାକୁ ସମ୍ମାନର ନାରା ଦେଉଥିବା ନବୀନ ସରକାର କିଭଳି ଗରିବଙ୍କ ଝାଳ ବୁହା ଧନକୁ ଲୁଟ କରୁଛି ତାହା ଏବେ ସ୍ପଷ୍ଟ ଦିବାଲୋକରେ ଧରାପଡିଛି । ନୀବନ ବାବୁ କେବଳ ଭୋଟ ସର୍ବସ୍ୱ ରାଜନୀତି କରୁଛନ୍ତି । ଭୋଟ ସମୟ ଆସିଲେ ମହିଳାଙ୍କୁ ପ୍ରଲୋଭିତ କରିବାପାଇଁ ଟଙ୍କା, ମୋବାଇଲ ଠାରୁ ଆରମ୍ଭ କରି ନାନା ପ୍ରକାର ଯୋଜନା କରନ୍ତି । ମାତ୍ର ଭୋଟ ସରିଲେ ସବୁ ପାଶୋରି ଦେଉଛନ୍ତି । ସରକାରଙ୍କ ବଜେଟରେ ମହିଳାଙ୍କ ପ୍ରତି ଥିବା ଆନ୍ତରିକତାର ସ୍ପଷ୍ଟ ଛବି ଦେଖିବାକୁ ମିଳୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ୨୦୧୪ ନିର୍ବାଚନ ବୈତରଣୀ ପାର ହେବାପାଇଁ ସେହି ବର୍ଷ ମହିଳା ସଶକ୍ତିକରଣ ଲକ୍ଷ୍ୟ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ସ୍ୱତନ୍ତ୍ର ଅର୍ଥ ବରାଦ କରିଥିଲେ । ସେହି ବର୍ଷ ବଜେଟରେ ସ୍ୱୟଂସହାୟକ ଗୋଷ୍ଠି ପାଇଁ ୩୦.୮୦କୋଟି ଟଙ୍କାର ବ୍ୟୟ ବରାଦ କଲେ । ୨୦୧୪ ନିର୍ବାଚନ ପୂର୍ବରୁ ଉକ୍ତ ଟଙ୍କାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ବାଂଟି ବାହାସ୍ଫୋଟ ନେଲେ । ଗରିବଙ୍କ ଝାଳ ବୁହା ଧନକୁ ରାଜସ୍ୱ ଆକାରେ ଗ୍ରହଣ କରି ଦଳୀୟ ଭିତିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଟଙ୍କା ବାଂଟିିଲେ । ସେହିପରି ୫ବର୍ଷ ପରେ ପୁଣିଥରେ କିଭଳି ସରକାରକୁ ଆସିହେବ ସେହି ଆଭିମୁଖ୍ୟ ନେଇ ସରକାର ୨୦୧୮-୧୯ବଜେଟରେ ମହିଳାଙ୍କ ପାଇଁ ଦୁଇଟି ଯୋଜନାରେ ୧୦୬୧କୋଟି ଟଙ୍କା ବରାଦ କରିଛନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯଦି ନବୀନ ସରକାର ମହିଳାଙ୍କ ପାଇଁ ଏତେ ଦରଦ ତେବେ ପ୍ରତିବର୍ଷ ମହିଳା ସଶକ୍ତିକରଣ ଯୋଜନା ଲାଗି ବଜେଟରେ କାହିଁକି ଅର୍ଥ ପ୍ରବନ୍ଧନ ନକରି କେବଳ ନିର୍ବାଚନ ପୂର୍ବ ବର୍ଷ ମହିଳା ସଶକ୍ତିକରଣ ପାଇଁ ବଜେଟ ବ୍ୟବସ୍ଥା କରିଛନ୍ତି । ଗତ ୪ବର୍ଷ ଧରି ବଜେଟରେ ଟଙ୍କାଟିଏ ବି ରଖି ନଥିଲା, ରାଜ୍ୟ ସରକାର କେଉଁଠି ଶୋଇଥିଲେ । ମହିଳାଙ୍କ ପାଇଁ ସେତେବେଳେ ଦରଦ କେଉଁଠି ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ବର୍ଷ ବର୍ଷ ଧରି ନାରୀ ସଶକ୍ତିକରଣ ନାଁରେ ରାଜକୋଷ ଲୁଟି ଚାଲିଛନ୍ତି । ଏକ ପ୍ରେସ୍ ବିବୃତିରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୭-୧୮ରେ ମହିଳା ଓ ସଶକ୍ତିକରଣ ବିଭାଗର ବଜେଟ ଅର୍ଥ ୨୮୦୧.୬୧କୋଟି ଟଙ୍କା ଥିବାବେଳେ ହଠାତ୍ କାହିଁକି ଚଳିତବର୍ଷ ଏହା ୩୪୪୮.୩୨କୋଟି ଟଙ୍କାକୁ ବୃଦ୍ଧି ପାଇଲା ତାହା ଯଦି ସମୀକ୍ଷା ହେବ ତେବେ ନବୀନଙ୍କ ଭୋଟ ରାଜନୀତିରୁ ପରଦା ହଟିବ । ଚଳିତବର୍ଷ ସରକାର ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣ ଯୋଜନା ଓ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଜନାକୁ ମିଶାଇ ୧୦୬୧କୋଟି ଟଙ୍କାର ବଜେଟ ରଖିଛନ୍ତି । ୨୦୧୭-୧୮ରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଶକ୍ତିକରଣ ଯୋଜନାରେ ମାତ୍ର ୯୭କୋଟି ଟଙ୍କା ରଖିଥିବାବେଳେ ଏହାକୁ ଚଳିତବର୍ଷ ୧୦୬୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକି ବଜେଟରେ ଶତକଡା ୯୯୩% ଅର୍ଥ ବଢ଼ିଛି । ଏହା କେବଳ ଭୋଟ ପାଇଁ ରାଜସ୍ୱ ସ୍ୱାହାକୁ ନିଜର ସ୍ୱାର୍ଥ ସାଧନ କରିବା ଉଦ୍ଦେଶ୍ୟ ମାତ୍ର ବୋଲି ନିରଞ୍ଜନ କହିଛନ୍ତି । ଯଦି ଭାରତରେ ଓଡ଼ିଶାର ମହିଳାମାନଙ୍କ ସ୍ୱାବଲମ୍ବୀ ତଥା ସଶକ୍ତିକରଣ ଚିତ୍ର ଦେଖାଯାଏ ତେବେ ଆଜିର ଦିନରେ ଓଡ଼ିଶାର ସ୍ଥାନ ୨୯ତମ ସ୍ଥାନରେ ରହିଛି । ଭାରତ ସରକାରଙ୍କ ଜେଣ୍ଡର ଏମ୍ପାୱାରମେଂଟ ଇଣ୍ଡେକ୍ସ(ଲିଙ୍ଗଗତ ସଶକ୍ତିକରଣ ମାନଦଣ୍ଡ)ରେ ସ୍ପଷ୍ଟ ଭାବେ ଏହା ଉଲ୍ଲେଖ କରାଯାଇଛି । ସେହିପରି ୨୦୧୬ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ(ଏନ୍ସିଆର୍ବି) ରିପୋର୍ଟରେ ମହିଳାମାନଙ୍କ ସୁରକ୍ଷା ନେଇ ଓଡ଼ିଶାର ଯାହା ଚିତ୍ର ଦେଖାଯାଉଛି ତାହା ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ କ୍ଷୁବ୍ଧର ସହିତ କହିଛନ୍ତି । ନାରୀ ନିର୍ଯାତନାରେ ଭାରତରେ ଓଡ଼ିଶା ତଳଆଡୁ ତୃତୀୟ ସ୍ଥାନ ଅର୍ଥାତ ୨୮ତମ ସ୍ଥାନରେ ରହିଛି ।ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ ଉକ୍ତବର୍ଷ ୮୨୫୨ଟି ନାରୀ ନିର୍ଯାତନା ମାମଲା ୨୧୪୪ ବଳାକ୍ରାର ମାମଲା, ୫୭୫ଟି ଯୌତୁକ ନିର୍ଯାତନା ମୃତ୍ୟୁ ମାମଲା ଓ ୩୫୦୯ଟି ଯୌତୁକ ନିର୍ଯାତନା ମାମଲା ହୋଇଛି । ଏହା ବ୍ୟତୀତ ୨୦୦୧ରୁ ୨୦୧୯ ବର୍ଷ ମଧ୍ୟରେ ରାଜ୍ୟ ସରକାର ମହିଳା ସୁରକ୍ଷା ପାଇଁ ମାତ୍ର୧୮.୨୮କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି । ଗତ ୧୮ବର୍ଷ ମଧ୍ୟରେ ସରକାର ନାରୀଙ୍କ ସୁରକ୍ଷା ପାଇଁ କେବଳ ବର୍ଷକ ପିଛା ମାତ୍ର୧କୋଟି ଟଙ୍କା ଲେଖାଏଁ ବଜେଟରେ ପ୍ରବନ୍ଧନ କରୁଥିବାବେଳେ ପରିତାପର ବିଷୟ । ଅନ୍ୟ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକାଥରକେ ହଜାରେ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିବାର ଅର୍ଥ କଣ ତାହା ସରକାର ଜବାବ ଦେବା ଆବଶ୍ୟକ ବୋଲି ନିରଞ୍ଜନ ଦାବି କରିଛନ୍ତି ।

ରିପୋର୍ଟ : ଆକାଶ ମିଶ୍ର