ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲପାନ (ସାଧାରଣ) ଶ୍ରୀ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲକ୍ଷ୍ମୀକାନ୍ତ ସେଠି, ଡେପୁଟି କଲେକ୍ଟର (ନିର୍ବାଚନ) ଡଃ ବିଜୟାନନ୍ଦ ସେଠି ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ .ଜିଲ୍ଲାପାଳ ସୂଚନା ଦେଇଥିଲେ ଯେ, ଜିଲ୍ଲାର ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଗୋଟିଏ ଲେଖାଏଁ, ଏହିପରି ୧୩ଟି ପିଙ୍କ ବୁଥ ରହିବ, ଯାହାକୁ କେବଳ ମହିଳା ପୋଲିଂ ଅଧିକାରୀମାନେ ପରିଚାଳନା କରିବେ । ଏଥିପାଇଁ ମହିଳା ପୋଲିଂ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦିଆଯାଇସାରିଛି । ଏହି ସହିତ ୧୧ଟି ମଡେଲ ବୁଥର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ମଡେଲ ବୁଥ ଗୁଡିକରେ ଭୋଟରମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ କରାଯିବ । ଏହା ଦ୍ୱାରା ଭୋଟରମାନେ ସ୍ୱତନ୍ତ୍ର ଅନୁଭବ କରିବା ସହିତ ଭାରତୀୟ ଗଣତାନ୍ତ୍ରିକ ପଦ୍ଧତି ଉପରେ ଗର୍ବ ଅନୁଭବ କରିବେ । ଜିଲ୍ଲାରେ ଥିବା ୪୮୮୪୬ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ୧୦୫୩ଟି ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇଛି । ଏହି ଗାଡି ଗୁଡିକ ସାହାର୍ଯ୍ୟରେ ଦିବ୍ୟାଙ୍ଗ ଭୋଟର ମାନଙ୍କୁ ସେମାନଙ୍କ ଘରୁ ପୋଲିଂ ବୁଥ ପର୍ଯ୍ୟନ୍ତ ନେବା ଆଣିବାର ବ୍ୟବସ୍ଥା କରାଯିବ । ସଂଯୋଜକ ମାନେ ଏହାର ସୁବ୍ୟବସ୍ଥା କରିବେ । ଜିଲ୍ଲା ଅଫିସର କଣ୍ଟ୍ରୋଲ ରୁମରେ ଦିବାରାତ୍ର ଭୋଟର ହେଲ୍ପ ଲାଇନ କାର୍ଯ୍ୟ କରୁଛି । ୧୯୫୦ ଡାଏଲ କରି ଭୋଟରମାନେ ସାହାର୍ଯ୍ୟ ଗ୍ରହଣ କରିପାରିବେ ଓ ଅଭିଯୋଗ ମଧ୍ୟ କରିପାରିବେ । ପ୍ରତ୍ୟେକ ବୁଥରେ ଗୋଟିଏ ଭୋଟର ହେଲ୍ପ ଡେକ୍ସର ବ୍ୟବସ୍ଥା ରହିଛି ଯେଉଁଠି ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭୋଟର ଓ ଦୁର୍ବଳ ଭୋଟର ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ନିରପେକ୍ଷ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ । ସମସ୍ତ ୩୦୬୩ ବୁଥ ଗୁଡିକ ରା଼ମ୍ଫ, ପାଇଖାନା, ପିଇବା ପାଣି, ବିଜୁଳି ଭଳି ନିଶ୍ଚିତ ସର୍ଵନିମ୍ଵ ବ୍ୟବସ୍ଥା କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ଭଳି ଘଟଣାକୁ ଦୃଷ୍ଟିରେ ରଖି ବୁଥ ଗୁଡିକରେ ମଧ୍ୟ ପ୍ରାକ ପ୍ରସ୍ତୁତି କରାଯିବ । ବୁଥ ଗୁଡିକରେ ଆବଶ୍ୟକ ଔଷଧ, ଓ.ଆର.ଏସ ପ୍ୟାକେଟ ମହଯୁଦ ରହିବ । ତ୍ୱରିତ ଡାକ୍ତରୀ ଦଳ ଏଭଳି ଘଟଣାର ମୁକାବିଲା ପାଇଁ ସଦା ପ୍ରସ୍ତୁତ ରହିବେ . ଚଳିତ ମାସ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରିଜାଇଡ଼ିଂ ଅଫିସର ଓ ଫାଷ୍ଟ ପୋଲିଂ ଅଫିସର ମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ୧୦୯ ଜଣ ମାଷ୍ଟର ଟ୍ରେନର, ୭୨୦୦ ପୋଲିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି । ନିର୍ବାଚନ ଖର୍ଚ୍ଚ ନିରୀକ୍ଷଣ କରିବା ପାଇଁ ୫ ଜଣ ଏକ୍ସପେଣ୍ଡିଚର ଅବଜର୍ଭର ଜିଲ୍ଲାରେ ପହଞ୍ଚି ସାରିଛନ୍ତି ।ସେମାନଙ୍କ ସହ ୧୩ ଜଣ ଆସିଷ୍ଟାଣ୍ଡ ଏକ୍ସପେଣ୍ଡିଚର ଅବଜର୍ଭର, ୧୩ଟି ଆକାଉଣ୍ଟିଂ ଟିମ, ୩୯ଟି ଫ୍ଲାଇଙ୍ଗ ସ୍କ୍ୱାର୍ଡ ଟିମ, ୩୯ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ, ୩୯ଟି ଭିଡିଓ ସର୍ଭେଲାନ୍ସ ଟିମ, ୧୩ ଟି ଭିଡିଓ ଭିୟୁଇଙ୍ଗ ଟିମ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଜିଲ୍ଲାରେ ବ୍ୟାପକ ଅବକାରୀ ଚଢ଼ାଉ ଜାରି ରହିଛି । ବ୍ରହ୍ମପୁର ଅବକାରୀ ଜିଲ୍ଲାରୁ ୩୨ଟି ମାମଲା ରୁଜୁ ହୋଇଥିବା ବେଳେ ୨୨ଜଣଙ୍କୁ ଗିରଫ କରାଯାଇଛି । ୧୨୬୯.୫ ଲିଟର ଆଇ.ଡି.ଲିକର, ୨୩୮୫୦ ଲିଟର ୱାସ, ୯.୫୪ ଲିଟର ଆଇ.ଏମ.ଏଫ.ଏଲ ୨୩.୪୦୦ ଲିଟର ବିୟର, ୨୯.୮୦୦ ଲିଟର ଓଏସ, ୪୮ କିଲୋ ଗଞ୍ଜେଇ, ୪୦ ଲିଟର ତରି ଜବତ କରାଯାଇ ନଷ୍ଟ କରାଯାଇଛି । ସେହିପରି ଗଞ୍ଜାମ ଅବକାରୀ ଜିଲ୍ଲା ଅଧିକାରୀ ୫୫ଟି ମାମଲା ରୁଜୁ ହେବା ସହିତ ୪୬ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏଥିସହିତ ୩୫୬୬ ଲିଟର ଆଇ.ଡ଼ି. ଲିକର, ୨୬୬୦୦ ଲିଟର ୱାସ, ୭୨ ଲିଟର ଓ.ଏସ. ଲିକର, ୧୮.୭ଲିଟର ଆଇ.ଏମ.ଏପ.ଏଲ. ୩୦ଲିଟର ତରି, ୩୫ କିଲୋ ଗଞ୍ଜେଇ ଓ ୫ଟି ମୋଟର ସାଇକେଲ ଜବତ କରାଯାଇଛି । ଆଗାମୀ ଦିନରେ ଚଢଉକୁ ଜୋରଦାର କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା